ମୁମ୍ବାଇ: କ୍ରିକେଟ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମୈଦାନରେ ନିଜର ଦମଦାର ଅଲରାଉଣ୍ଡ ପ୍ରଦର୍ଶନ ଦେଖାଇଛନ୍ତି। ଚାଲିଥିବା ମୁମ୍ବାଇ ଟି-୨୦ ଲିଗର ଏକ ମ୍ୟାଚରେ ସେ ପ୍ରଥମେ ବୋଲିଂରେ ଚମତ୍କାର କରି ୩ଟି ୱିକେଟ ହାସଲ କରିଥିଲେ। ଏହାପରେ ବ୍ୟାଟିଂରେ ମଧ୍ୟ ନିଜର ଜଲୱା ଦେଖାଇ ଏକ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ଏହି ଚମତ୍କାର ପ୍ରଦର୍ଶନ ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।
ଗତକାଲି ବାନ୍ଦ୍ରା ବ୍ଲାଷ୍ଟର୍ସ ଏବଂ ARCS ଅନ୍ଧେରୀ ମଧ୍ୟରେ ଚାଲିଥିଲା ମ୍ୟାଚ। ARCS ଅନ୍ଧେରୀ ପକ୍ଷରୁ ଖେଳିଥିବା ଅର୍ଜୁନ ପ୍ରଥମେ ବୋଲିଂ କରିବା ସମୟରେ ପ୍ରତିପକ୍ଷ ଟିମ ବାନ୍ଦ୍ରା ବ୍ଲାଷ୍ଟର୍ସର ବ୍ୟାଟରଙ୍କୁ ନିଜ ବୋଲିଂର ଜାଲରେ ଛନ୍ଦିଥିଲେ। ସେ ନିଜର ସଠିକ୍ ଲାଇନ୍ ଏବଂ ଲେନ୍ଥ ବଳରେ ତିନି ଜଣ ଗୁରୁତ୍ୱପୂର୍ଣ୍ଣ ବ୍ୟାଟରଙ୍କୁ ଆଉଟ୍ କରି ଦଳକୁ ବଡ଼ ସଫଳତା ଦେଇଥିଲେ। ତାଙ୍କର ଏହି ବୋଲିଂ ଯୋଗୁଁ ବାନ୍ଦ୍ରୀ ଟିମକୁ ବଡ଼ ସ୍କୋର କରିବାରେ ରୋକିଥିଲା।
କେବଳ ବୋଲିଂ ନୁହେଁ ବ୍ୟାଟିଂରେ ମଧ୍ୟ ଅର୍ଜୁନ ନିଜର ପ୍ରଦର୍ଶନ ଦେଖାଇଛନ୍ତି। ଦଳ ପାଇଁ ମଧ୍ୟଭାଗରେ ବ୍ୟାଟିଂ କରିବାକୁ ଆସି ସେ ପଡ଼ିଆର ଚାରିଆଡ଼କୁ ସଟ୍ ମାରିଥିଲେ। ଚୌକା ଓ ଛକା ବର୍ଷା କରି ସେ ମାତ୍ର କେଇଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କର ଏହି ଦ୍ରୁତ ଇନିଂସ ଦଳକୁ ସହଜ ବିଜୟ ଆଡ଼କୁ ନେଇଯାଇଥିଲା।
ଅର୍ଜୁନ ତେନ୍ଦୁଲକର ଏହା ପୂର୍ବରୁ ଆଇପିଏଲ୍ ଏବଂ ବିଭିନ୍ନ ଘରୋଇ କ୍ରିକେଟ୍ ପ୍ରତିଯୋଗିତାରେ ନିଜର ପ୍ରତିଭା ଦେଖାଇ ସାରିଛନ୍ତି। ତେବେ ମୁମ୍ବାଇ ଲିଗରେ ତାଙ୍କର ଏହି ସାମ୍ପ୍ରତିକ ଫର୍ମ ଆଗାମୀ ବଡ଼ ମ୍ୟାଚ୍ ଗୁଡ଼ିକ ପାଇଁ ସଙ୍କେତ ଦେଇଛି। ଯଦି ଏହି ପ୍ରଦର୍ଶନ ଜାରି ରୁହେ ତେବେ ଆଗାମୀ ଦିନରେ ସେ ଜଣେ ପରିପକ୍ୱ ଅଲରାଉଣ୍ଡର ଭାବେ ତାଙ୍କୁ ଦେଖିବାକୁ ମିଳିପାରେ।