ପୁରୀ: କଥାରେ ଅଛି ନିଶ୍ୱାସର ନାହିଁ ବିଶ୍ୱାସ। କେତେବେଳେ କେଉଁ ବୟସରେ ଏବଂ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟେ ତାହା ମଧ୍ୟ କହିହୁଏନାହିଁ। ଏପରି ଏକ ଦୁଃଖଦ ଘଟଣା ପୁରୀ ଜିଲ୍ଲାରୁ ଆସିଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ପୁରୀର ଦ୍ଵିତୀୟ ବର୍ଷର ଛାତ୍ରୀ ସଂଗ୍ରାମିକା ପଣ୍ଡାଙ୍କ ଅକାଳ ବିୟୋଗ ହୋଇଛି । ସଂଗ୍ରାମିକା ତାଙ୍କ ମା’ ବାପାଙ୍କ ସହ ଭଢା ଘରେ ରହୁଥିଲେ । ତେବେ ଶନିବାର ରାତି ଅନିଦ୍ରା ହୋଇ ନିଜର ପ୍ରାକ୍ଟିକାଲ୍ ରେକର୍ଡ଼ ଲେଖୁଥିଲେ। ରବିବାର ସକାଳେ ଶୋଇଥିଲେ ଓ ଦିପହର ସମୟରେ ତାଙ୍କୁ ଡାକିଲା ବେଳକୁ ଆଉ ଉଠି ନଥିଲେ।
ତାଙ୍କୁ ପୁରୀ ଜିଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ସଂଗ୍ରାମିକାଙ୍କ ମା’ ବାପାଙ୍କ ବ୍ୟତୀତ ଅନ୍ୟ କେହି ପରିବାର ସଦସ୍ୟ ନଥିବାରୁ ମହାବିଦ୍ୟାଳୟର ଛାତ୍ରମାନେ ଶେଷକୃତ୍ୟ କରିଥିଲେ । ଛାତ୍ର ସଂସଦର ସାଧାରଣ ସମ୍ପାଦକ ସୌମ୍ୟଜିତ୍ ପାତ୍ର ମୁଖାଗ୍ନି ଦେଇଥିଲେ । ସୋମବାର ଅପରାହ୍ନରେ ମହାବିଦ୍ୟାଳୟରେ ଶୋକସଭା ଅନୁଷ୍ଠିତ ହୋଇଥିଲା।