Latest Odisha News

BREAKING NEWS

ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୭୫୫ ନୂଆ ପଦବୀ

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଏବଂ ଲୋକଙ୍କ ନିକଟରେ ଉନ୍ନତମାନର ଚିକିତ୍ସାସେବା ପହଞ୍ଚାଇବା ଲକ୍ଷ୍ୟରେ ଓଡ଼ିଶା ସରକାର ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ଚିକିତ୍ସା ଶିକ୍ଷାନୁଷ୍ଠାନଗୁଡ଼ିକରେ ମୋଟ ୭୫୫ଟି ନୂଆ ପଦବୀ ମଞ୍ଜୁର କରିଛନ୍ତି।

ଏହି ନିଷ୍ପତ୍ତି କେବଳ ନୂଆ ପଦବୀ ସୃଷ୍ଟିରେ ସୀମିତ ନୁହେଁ; ବରଂ ରାଜ୍ୟରେ ଚିକିତ୍ସା ଶିକ୍ଷାର ଗୁଣବତ୍ତା ବୃଦ୍ଧି, ଦକ୍ଷ ଡାକ୍ତର ସୃଷ୍ଟି ଏବଂ ରୋଗୀଙ୍କୁ ଅଧିକ ଉନ୍ନତ ଓ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ଏକ ଦୂରଦର୍ଶୀ ପଦକ୍ଷେପ ।

ମଞ୍ଜୁର ହୋଇଥିବା ପଦବୀଗୁଡ଼ିକ ମଧ୍ୟରେ ୭ଟି ପ୍ରଫେସର, ୩୫ଟି ଆସୋସିଏଟ ପ୍ରଫେସର, ୫୦ଟି ଆସିଷ୍ଟାଣ୍ଟ ପ୍ରଫେସର, ୨୯ଟି ଟ୍ୟୁଟର, ୨୪୮ଟି ସିନିୟର ରେସିଡେଣ୍ଟ, ୧୯୦ଟି ଜୁନିୟର ରେସିଡେଣ୍ଟ (ଏମ୍‌ବିବିଏସ୍‌), ୧୧୨ଟି କାଜୁଆଲଟି ମେଡିକାଲ ଅଫିସର (ସିଏମ୍‌ଓ) ଏବଂ ୮୪ଟି ବ୍ଲଡ୍‌ ବ୍ୟାଙ୍କ ଅଫିସର (ବିବିଓ) ପଦବୀ ରହିଛି। ଏହି ପଦବୀଗୁଡ଼ିକ ପୂରଣ ହେବା ପରେ ମେଡିକାଲ କଲେଜଗୁଡ଼ିକରେ ଶିକ୍ଷକ ଏବଂ ଚିକିତ୍ସକଙ୍କ ଉପଲବ୍ଧତା ବୃଦ୍ଧି ପାଇବ।

ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି। ଏହି ୭୫୫ଟି ପଦବୀ ମଞ୍ଜୁର ହେବା ଫଳରେ ମେଡିକାଲ କଲେଜଗୁଡ଼ିକରେ ଆବଶ୍ୟକ ମାନବ ସମ୍ବଳ ବୃଦ୍ଧି ପାଇବ ଏବଂ ରୋଗୀମାନେ ଅଧିକ ଉନ୍ନତ ଚିକିତ୍ସାସେବାର ସୁବିଧା ପାଇପାରିବେ।

ବିଗତ ଦିନରେ ତିନଟି ନୂତନ ମେଡିକାଲ କଲେଜରେ ୨୫୦ ଏମବିବିଏସ ସିଟରେ ପାଠ ପଢା ବଢିଛି | ସେହିପରି ସମ୍ପ୍ରତି ପିଜି ସିଟ ବଢି ୬୮ କୁ ପହଁଚିଛି | ଫଳରେ ପ୍ରଫେସର ଏବଂ ଅନ୍ୟାନ୍ୟ ପଦବୀ ମଞ୍ଜୁର ଆବଶ୍ୟକ ଥିଲା | ଏହି ପଦବୀ ମଞ୍ଜୁର ଫଳରେ ଗୁଣାତ୍ମକ ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.