No Flying Zone In Mayurbhanj:ଓଡ଼ିଶା ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ:ଡ୍ରୋନ୍ କ୍ୟାମେରା ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧ
ମୟୂରଭଞ୍ଜ:ଆସନ୍ତା ୧୯ ଓ ୨୦ ଜୁନ୍ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା, ଯାତାୟାତ ବ୍ୟବସ୍ଥା ଓ କାର୍ଯ୍ୟକ୍ରମ ସ୍ଥଳ ନିରୀକ୍ଷଣକୁ ନେଇ ପ୍ରଶାସନ ତତ୍ପର ହୋଇଉଠିଛି । ଫଳରେ ସୁରକ୍ଷା ଦୃଷ୍ଟିରୁ ସମସ୍ତ କାର୍ଯ୍ୟକ୍ରମ ସ୍ଥଳ ଓ ଫଙ୍କସନ୍ ସାଇଟ୍କୁ ନୋ ଡ୍ରୋନ୍ ଜୋନ୍ ବା ନୋ ଫ୍ଲାଇଙ୍ଗ୍ ଜୋନ୍’ ଘୋଷଣା କରାଯାଇଛି। କୌଣସି ପ୍ରକାର ଡ୍ରୋନ୍ କିମ୍ବା ଅନ୍ୟାନ୍ୟ କୌଣସି ଚିତ୍ର ଉତ୍ତୋଳନ ଡିଭାଇସ୍ ଉଡ଼ିପାରିବ ନାହିଁ । ଏହାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ଏସପିଙ୍କୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ।
ଭିଭିଆଇପିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏଭଳି ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି । ନିୟମକୁ କେହି ଅବମାନନା କଲେ ତାଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି ।
ସୂଚନାଥାଉକି ମୟୂରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲାଦଣ୍ଡାଧୀଶଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପତ୍ରରେ କୁହାଯାଇଛି ଯେ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯିବ । ଏହି ସମୟରେ କୌଣସି ମିଡ଼ିଆ କର୍ମୀ, ଇଭେଣ୍ଟ ମ୍ୟାନେଜମେଣ୍ଟ ଟିମ୍ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଡ୍ରୋନ୍ କ୍ୟାମେରା ବ୍ୟବହାର କରିବା ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି ରହିବ । ମୁଖ୍ୟ ନିର୍ଦ୍ଦେଶନାମା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ଉପଯୁକ୍ତ ଡିସପ୍ଲେ ଓ ସାଇନବୋର୍ଡ ଲଗାଇ ସ୍ପଷ୍ଟ ଭାବେ ନୋ ଡ୍ରୋନ୍ ଜୋନ୍ ଜଣାଇ ଦିଆଯିବ। ଏହି ନିର୍ଦ୍ଦେଶ ଉଲ୍ଲଙ୍ଘନ କଲେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।