ଭୁବନେଶ୍ୱର: ପ୍ରଶାନ୍ତ ମହାସାଗରରେ ଏକ ଶକ୍ତିଶାଳୀ ‘ଏଲ୍ ନିନୋ’ ପ୍ରକ୍ରିୟା ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଆଗାମୀ ମାସଗୁଡ଼ିକରେ ସାରା ବିଶ୍ୱର ପାଣିପାଗରେ ବଡ଼ଧରଣର ବିପର୍ଯ୍ୟୟ ଆସିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଏଥିପାଇଁ ପୃଥିବୀର ବିଭିନ୍ନ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଦୀର୍ଘଦିନ ଧରି ମରୁଡ଼ି ଏବଂ ପ୍ରଳୟଙ୍କରୀ ବନ୍ୟା ଭଳି ଚରମ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଅଧିକ ରହିଛି।
ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନୋଆ) ଅନୁସାରେ ଆସନ୍ତା ନଭେମ୍ବରରୁ ଜାନୁଆରୀ ମଧ୍ୟରେ ଏହି ପ୍ରକ୍ରିୟା ଅତି ଭୟଙ୍କର ରୂପ ନେବାର ପ୍ରାୟ ୬୩ ପ୍ରତିଶତ ସମ୍ଭାବନା ରହିଛି। ବିଶେଷଜ୍ଞଙ୍କ ମତରେ, ୧୯୫୦ ମସିହା ପରଠାରୁ ଏହା ସବୁଠାରୁ ଶକ୍ତିଶାଳୀ ଏଲ୍ ନିନୋ ମଧ୍ୟରୁ ଅନ୍ୟତମ ହୋଇପାରେ। ସମୁଦ୍ର ପୃଷ୍ଠର ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବା ଯୋଗୁଁ ବାୟୁମଣ୍ଡଳର ଚଳନ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ ଆସିଥାଏ।
ଭାରତରେ ମଧ୍ୟ ଏହାର ପ୍ରଭାବକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ସାଧାରଣତଃ ଏଲ୍ ନିନୋ ସକ୍ରିୟ ହେଲେ ଦେଶରେ ମୌସୁମୀ ବର୍ଷାର ପରିମାଣ ଯଥେଷ୍ଟ ହ୍ରାସ ପାଇଥାଏ ଏବଂ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଏ। ଚଳିତ ଦକ୍ଷିଣ ପଶ୍ଚିମ ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକଠାରୁ ପ୍ରାୟ ୧୦ ପ୍ରତିଶତ କମ୍ ବର୍ଷା ହେବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।
ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଓଡ଼ିଶା ଗସ୍ତ ସମୟରେ କହିଛନ୍ତି ଯେ ଜୁନ୍ ମାସରୁ ହିଁ ଏହାର ପ୍ରଭାବ ଅନୁଭୂତ ହେବ। ଏହି କାରଣରୁ ଉତ୍ତର ଓଡ଼ିଶାରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଦକ୍ଷିଣ ଏବଂ କେନ୍ଦ୍ରୀୟ ଓଡ଼ିଶାରେ ସ୍ୱାଭାବିକ କିମ୍ବା ସାମାନ୍ୟ ଅଧିକ ବର୍ଷା ହୋଇପାରେ। ସମ୍ଭାବ୍ୟ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ସରକାର ଓ ବିପର୍ଯ୍ୟୟ ପରିଚାଳନା ସଂସ୍ଥାଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି।