Latest Odisha News

BREAKING NEWS

ଫିଫା ବିଶ୍ୱକପ୍ ୨୦୨୬ ସୁପରଷ୍ଟାର୍: ଲିଓନେଲ୍ ମେସି

ମେସିଙ୍କ ମାଇଲ୍‌ଷ୍ଟୋନ୍: ସର୍ବାଧିକ ୨୬ଟି ମ୍ୟାଚ୍ ଖେଳି ବିଶ୍ୱ ରେକର୍ଡ

ଆରମ୍ଭ ହୋଇଯାଇଛି ଫୁଟବଲ୍ ଜଗତର ସବୁଠାରୁ ବଡ଼ ମହାକୁମ୍ଭ ‘ଫିଫା ବିଶ୍ୱକପ୍ ୨୦୨୬ । ଏହି ସମୟରେ ଫିଫା ସ୍ପଟ୍‌ଲାଇଟ୍‌କୁ ଆସିଛନ୍ତି ଜଣେ ଏମିତି ଖେଳାଳି, ଯାହାଙ୍କୁ ଦୁନିଆ ‘ଦି ଆଟୋମିକ୍ ଫ୍ଲି’ ବା ‘ଜାଦୁଗର’ ବୋଲି କହେ। ଆମେ କହୁଛୁ ଆର୍ଜେଣ୍ଟିନାର ସେହି ଆକାଶୀ ରଙ୍ଗର ଜର୍ସି ନମ୍ବର ୧୦ – ଲିଓନେଲ୍ ମେସିଙ୍କ କଥା। ୨୦୨୨ରେ ବିଶ୍ୱକପ୍ ଜିତି ସେ ଫୁଟବଲ୍‌ର ସବୁ ସ୍ୱପ୍ନ ପୂରଣ କରିସାରିଛନ୍ତି, ହେଲେ ତାଙ୍କ ଜାଦୁ ଏବେ ବି ସରିନାହିଁ। ସେ ମଣିଷ ନା ଅନ୍ୟ ଗ୍ରହର ଏଲିଏନ୍‌, ସେ ନେଇ ଆଜି ବି ଚର୍ଚ୍ଚା ଜାରି ରହିଛି। ଆସନ୍ତୁ ନଜର ପକାଇବା ଏହି ମହାନ ଖେଳାଳିଙ୍କ କ୍ୟାରିୟର, କିଛି ରୋମାଞ୍ଚକର କାହାଣୀ ଉପରେ।

ଲିଓନେଲ୍ ମେସି – ଏକ ଏମିତି ନାଁ ଯିଏ ପୃଥିବୀ ପୃଷ୍ଠରେ ରହି ମହାଜାଗତିକ ରେକର୍ଡ ସୃଷ୍ଟି କରିଛନ୍ତି। ବାର୍ସିଲୋନା ପାଇଁ ୧୭ ବର୍ଷ ଖେଳି ସେ ଜିତିଛନ୍ତି ୩୪ଟି ବଡ଼ ଟାଇଟଲ୍। ଏହାପରେ PSG ପାଇଁ ଦୁଇଟି ଲିଗ୍-୧ ଏବଂ ବର୍ତ୍ତମାନ ଇଣ୍ଟର ମିଆମିକୁ ସେମାନଙ୍କର ପ୍ରଥମ MLS କପ୍ ଜିତାଇ ସେ କ୍ଲବ୍ ସ୍ତରରେ ବିଶ୍ୱ ରେକର୍ଡ ୪୦ଟି ଟ୍ରଫି ନିଜ ନାମରେ କରିଛନ୍ତି। କେବଳ ସେତିକି ନୁହେଁ, ନିଜ ଦେଶ ପାଇଁ ମଧ୍ୟ ମେସି ଅଣ୍ଡର-୨୦ ବିଶ୍ୱକପ୍, ଅଲିମ୍ପିକ୍ ଗୋଲ୍ଡ, ଫାଇନାଲିସିମା ଏବଂ ଦୁଇ ଦୁଇଟି କୋପା ଆମେରିକା ଜିତି ସାରିଛନ୍ତି। ଆଉ ୩୫ ବର୍ଷ ବୟସରେ କତାର୍ ୨୦୨୨ ବିଶ୍ୱକପ୍ ଜିତି ସେ ଆର୍ଜେଣ୍ଟିନାକୁ ଦେଇଛନ୍ତି ତୃତୀୟ ବିଶ୍ୱକପ୍‌ର ସୁନା ବ୍ୟାଜ୍। ରେକର୍ଡ ୮ ଥର ଫିଫାର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିବା ମେସିଙ୍କ ଡ୍ରିବ୍ଲିଂ ଏବଂ ପାସିଂ ଆଜି ବି ଅତୁଳନୀୟ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମେସିଙ୍କ ମାଆ ମୋଟାଉନ୍ ମେଗାଷ୍ଟାର୍ ଗାୟକ ଲିଓନେଲ୍ ରିଚିଙ୍କ ବଡ଼ ପ୍ରଶଂସକ ଥିଲେ, ତେଣୁ ସେ ତାଙ୍କ ପୁଅର ନାଁ ‘ଲିଓନେଲ୍’ ରଖିଥିଲେ। ପିଲାଦିନେ ମେସି ଏକ ଗ୍ରୋଥ୍ ହରମୋନ୍ ସମସ୍ୟାରେ ପୀଡ଼ିତ ଥିଲେ। ୧୩ ବର୍ଷ ବୟସରେ ଯେତେବେଳେ ସେ ବାର୍ସିଲୋନାକୁ ଟ୍ରାଏଲ୍ ପାଇଁ ଆସିଲେ, ତାଙ୍କ ଉଚ୍ଚତା ମାତ୍ର ୪ ଫୁଟ୍ ୬ ଇଞ୍ଚ ଥିଲା। କ୍ଲବ୍ ପ୍ରଥମେ ଖର୍ଚ୍ଚ ପାଇଁ ମନା କରିଥିଲେ ମଧ୍ୟ ଡିରେକ୍ଟର ଚାର୍ଲି ରେକ୍ସାଚ୍ ସମସ୍ତ ନିୟମ ଭାଙ୍ଗି ମେସିଙ୍କୁ ଏକ ‘ଖାଇବା ନେପକିନ୍’ ଉପରେ ସାଇନ୍ କରି କ୍ଲବ୍‌ରେ ସାମିଲ୍ କରିଥିଲେ। ଖାଲି ସେତିକି ନୁହେଁ, ୨୦୨୨ ବିଶ୍ୱକପ୍ ଜିତିବା ପରେ ମେସି ଇନଷ୍ଟାଗ୍ରାମରେ ଯେଉଁ ଫଟୋ ପୋଷ୍ଟ କରିଥିଲେ, ତାହା ୭୪.୭ ମିଲିୟନ୍ ଲାଇକ୍ ସହ ଆଜି ବି ଇତିହାସର ସବୁଠାରୁ ଅଧିକ ଲାଇକ୍ ପାଇଥିବା ପୋଷ୍ଟ ହୋଇ ରହିଛି।

ମେସିଙ୍କ ବିଶ୍ୱକପ୍ ମାଇଲ୍‌ଷ୍ଟୋନ୍
🔢 ସର୍ବାଧିକ ମ୍ୟାଚ୍ | ୨୬ଟି ମ୍ୟାଚ୍ ଖେଳି ବିଶ୍ୱ ରେକର୍ଡ ।
⏱️ ସର୍ବାଧିକ ମିନିଟ୍ | ବିଶ୍ୱକପ୍ ଇତିହାସରେ ସବୁଠାରୁ ଅଧିକ ୨,୩୧୪ ମିନିଟ୍ ଖେଳିଛନ୍ତି।
⚽ ଗୋଲ୍ ଓ ଆସିଷ୍ଟ | ସମୁଦାୟ ୨୧ଟି ଗୋଲ୍ ସହ ଆସିଷ୍ଟ (ପେଲେଙ୍କ ସହ ସମାନ)।
🎯 ସର୍ବାଧିକ ଆସିଷ୍ଟ | ୫ଟି ଭିନ୍ନ ବିଶ୍ୱକପ୍‌ରେ ଗୋଲ୍ ସହାୟତା (Assist) କରିବାରେ ଏକମାତ୍ର ଖେଳାଳି।
🏆 ଗୋଲ୍ଡେନ୍ ବଲ୍ | ଇତିହାସରେ ଏକମାତ୍ର ଖେଳାଳି ଭାବେ ୨ଟି ବିଶ୍ୱକପ୍ ଗୋଲ୍ଡେନ୍ ବଲ୍ ଜିତିଛନ୍ତି।
🇦🇷 ଆର୍ଜେଣ୍ଟିନା ଟପ୍ ସ୍କୋରର୍ | ବିଶ୍ୱକପ୍‌ରେ ଦେଶ ପାଇଁ ସର୍ବାଧିକ ୧୩ଟି ଗୋଲ୍।

ଗତ ୬୨ ବର୍ଷ ହେବ କୌଣସି ଦେଶ କ୍ରମାଗତ ଦୁଇଟି ବିଶ୍ୱକପ୍ ଜିତିପାରି ନାହିଁ, ହେଲେ ଏଥର ଆର୍ଜେଣ୍ଟିନାର ଆତ୍ମବିଶ୍ୱାସ ଆକାଶଛୁଆଁ। କୋଚ୍ ଲିଓନେଲ୍ ସ୍କାଲୋନିଙ୍କ ରଣନୀତି, ଗୋଲକିପର ଏମି ମାର୍ଟିନେଜ୍‌ଙ୍କ ସୁରକ୍ଷା ପାଚେରୀ ଏବଂ ମେସିଙ୍କ ଯାଦୁଗରୀ ଆର୍ଜେଣ୍ଟିନାକୁ ପୁଣି ଥରେ ପ୍ରତିଦ୍ୱନ୍ଦ୍ୱିତାରେ ଆଗରେ ରଖିଛି। ଆଞ୍ଜେଲ୍ ଡି ମାରିଆ ଅବସର ନେଇଥିଲେ ମଧ୍ୟ ଏଞ୍ଜୋ ଫର୍ଣ୍ଣାଣ୍ଡେଜ୍, ଆଲେକ୍ସିସ୍ ମ୍ୟାକ୍ ଆଲିଷ୍ଟର, ଜୁଲିଆନ୍ ଆଲଭାରେଜ୍ ଏବଂ ଯୁବ ତାରକା ନିକୋ ପାଜ୍‌ଙ୍କ ଭଳି ଖେଳାଳି ଦଳର ଶକ୍ତି ବଢ଼ାଇଛନ୍ତି। ଖାଲି ସେତିକି ନୁହେଁ, ନିଜର ରେକର୍ଡ ଷଷ୍ଠ ବିଶ୍ୱକପ୍ ଖେଳିବାକୁ ଯାଉଥିବା କ୍ୟାପ୍ଟେନ୍ ମେସି ଏବେ ଆମେରିକାରେ ଇଣ୍ଟର ମିଆମି ପାଇଁ ଖେଳୁଥିବାରୁ, ଏଠାକାର ପରିବେଶ ସହିତ ସେ ବେଶ୍ ପରିଚିତ।

ଏବେ ଅପେକ୍ଷା ଲିଓନେଲ୍ ମେସି ତାଙ୍କର ଏହି ସମ୍ଭାବ୍ୟ ଶେଷ ବିଶ୍ୱକପ୍ ଅଭିଯାନରେ ଆର୍ଜେଣ୍ଟିନାକୁ କ୍ରମାଗତ ଦ୍ୱିତୀୟ ଏବଂ ଦେଶ ପାଇଁ ଚତୁର୍ଥ ଷ୍ଟାର୍ ଦେଇପାରୁଛନ୍ତି କି ନାହିଁ। ହେଲେ ଗୋଟିଏ କଥା ସ୍ପଷ୍ଟ, ଏଥର ସେ ଟ୍ରଫି ଜିତନ୍ତୁ ବା ନଜିତନ୍ତୁ, ଫୁଟବଲ୍ ଇତିହାସରେ ତାଙ୍କ ନାଁ ସ୍ବର୍ଣ୍ଣାକ୍ଷରରେ ହିଁ ଲିପିବଦ୍ଧ ହୋଇ ରହିବ ।

Leave A Reply

Your email address will not be published.