Latest Odisha News

BREAKING NEWS

ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କରାଯିବା ଘଟଣାରେ ତଦନ୍ତ ପ୍ରକ୍ରିୟା ଅଧିକ ଜୋରଦାର ହୋଇଛି। ଏହି ସମ୍ବେଦନଶୀଳ ମାମଲାର ପୂରା ଗୁମର ଖୋଲିବା ପାଇଁ କ୍ରାଇମବ୍ରାଞ୍ଚ ଏବେ ବଡ଼ ପ୍ରସ୍ତୁତି ଚଳାଇଛି। ଘଟଣାରେ ଗିରଫ ହୋଇଥିବା ପ୍ରମୁଖ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା କରିବା ଲାଗି କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ରିମାଣ୍ଡ ପାଇଁ ଆବେଦନ କରାଯାଇଛି।

 

ମାମଲାର ତଦନ୍ତ ଭାର ହାତକୁ ନେବା ପରେ କ୍ରାଇମବ୍ରାଞ୍ଚ ଟିମ୍ ଏପର୍ଯ୍ୟନ୍ତ ଏକାଧିକ ସ୍ଥାନରେ ଚଢ଼ାଉ କରି ଅନେକ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି। ବର୍ତ୍ତମାନ ସୁଦ୍ଧା ଏହି ବର୍ବର ହତ୍ୟାକାଣ୍ଡ ମାମଲାରେ ସମୁଦାୟ ଗିରଫଦାରୀ ସଂଖ୍ୟା ୧୬ ରେ ପହଞ୍ଚିଛି। ତେବେ ଏହି ଘଟଣାରେ କେବଳ ସ୍ଥାନୀୟ ଲୋକ ନୁହନ୍ତି ବରଂ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ଆସିଥିବା କିଛି ବାହାର ଲୋକ ମଧ୍ୟ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

 

କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅଭିଯୁକ୍ତମାନଙ୍କୁ ମୁହାଁମୁହିଁ ବସାଇ ଜେରା କରାଯିବ। ଘଟଣା ଦିନ ସେଠାରେ ପ୍ରକୃତରେ କଣ ଘଟିଥିଲା ଏବଂ ଏହି ନିର୍ମମ ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ କଣ, ତାହା ସ୍ପଷ୍ଟ କରିବା ପାଇଁ ରିମାଣ୍ଡ ଅତ୍ୟନ୍ତ ଜରୁରୀ ବୋଲି କ୍ରାଇମବ୍ରାଞ୍ଚ ଟିମ୍ ହୃଦବୋଧ କରିଛି । ଏହା ସହିତ ଏହି ମାମଲାରେ ସଂପୃକ୍ତ ଥିବା ଆଉ ପ୍ରାୟ ୮ରୁ ୧୦ ଜଣ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଗିରଫ ବ୍ୟକ୍ତିମାନଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିବ ବୋଲି ଆଶା କରାଯାଉଛି।

 

ପୋଲିସ ଏବଂ କ୍ରାଇମବ୍ରାଞ୍ଚକୁ ସ୍ଥାନୀୟ ଲୋକଙ୍କଠାରୁ ଘଟଣା ସମୟର ପ୍ରାୟ ୧୦ରୁ ଅଧିକ ଭିଡିଓ ମିଳିଛି। ଏହି ଭିଡିଓଗୁଡ଼ିକୁ ଆଧାର କରି ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତକାରୀ ସଂସ୍ଥା ପ୍ରୟାସ ଚଳାଇଛି। ଖୁବ୍ ଶୀଘ୍ର କୋର୍ଟଙ୍କ ଅନୁମତି ମିଳିବା ପରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତମାନଙ୍କୁ ନିଜ ହେପାଜତକୁ ଆଣି ସେମାନଙ୍କର ବୟାନ ରେକର୍ଡ କରିବା ସହ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିପାରେ।

Leave A Reply

Your email address will not be published.