Latest Odisha News

BREAKING NEWS

ମଝି ଆକାଶରେ ଏୟାର ଇଣ୍ଡିଆ ବିମାନକୁ ହାଇଜ୍ୟାକ୍ ଉଦ୍ୟମ!

ନୂଆଦିଲ୍ଲୀ: ଜର୍ମାନୀର ଫ୍ରାଙ୍କଫର୍ଟରୁ ବୁଧବାର ସକାଳେ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନକୁ ମଝି ଆକାଶରେ ହାଇଜ୍ୟାକ୍ ଉଦ୍ୟମ ହୋଇଛି। ଫଳରେ ସୁରକ୍ଷା ଦୃଷ୍ଟିରୁ, ବିମାନଟିକୁ ଜୟପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ବର୍ତ୍ତମାନ ବିମାନଟିର ସମ୍ପୂର୍ଣ୍ଣ ତଦନ୍ତ ଚାଲିଛି।

ଏହି ଘଟଣାରେ ମାଲବ୍ୟ ନଗରର ଆସିଷ୍ଟାଣ୍ଟ ପୋଲିସ କମିଶନର ଶିବ ଦୟାଲ କହିଛନ୍ତି ଯେ, ବିମାନବନ୍ଦର ଅଧିକାରୀମାନେ ଫ୍ରାଙ୍କଫର୍ଟ-ଦିଲ୍ଲୀ ବିମାନର ଜରୁରୀକାଳୀନ ଅବତରଣ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ବିମାନଟି ପ୍ରାୟ ୩୦୦ ଯାତ୍ରୀଙ୍କୁ ନେଇଯାଉଥିଲା।

ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନ AI2030କୁ ଜୟପୁରକୁ ସ୍ଥାନାନ୍ତର କରାଯାଇଥିଲା। ବିମାନଟି ସୁରକ୍ଷିତ ଭାବରେ ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରାଯାଇଥିଲା ଏବଂ ସୁରକ୍ଷା ଯାଞ୍ଚ ପାଇଁ ନିଆଯାଇଛି। ଏବେ ମଧ୍ୟ ଘଟଣାର ତଦନ୍ତ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ପାଇଲଟ୍ ହାଇଜ୍ୟାକ୍ ଆଲର୍ଟ କୋଡ୍ ବ୍ୟବହାର କରିଥିଲେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ବିମାନଟି ମୁମ୍ବାଇ ଫ୍ଲାଇଟ୍ ଇନଫର୍ମେସନ୍ ରିଜିଅନ୍ (FIR) ରେ ଥିବା ସମୟରେ, ପାଇଲଟ୍ ‘ସ୍କ୍ବାକ୍ କୋଡ୍ 7500’ ଦବାଇଥିଲେ, ଏହି କୋଡ୍ ଯାହା ହାଇଜ୍ୟାକ୍ କିମ୍ବା ବେଆଇନ ହସ୍ତକ୍ଷେପକୁ ସୂଚିତ କରେ।

ଏହା ମଧ୍ୟ କୁହାଯାଉଛି ଯେ, ପାଇଲଟ୍ ଭୁଲବଶତଃ ହାଇଜ୍ୟାକ୍ ଆଲର୍ଟ ବଟନ୍ ଦବାଇ ଦେଇଥିଲେ। ହାଇଜ୍ୟାକ୍ ଆଲର୍ଟ ପାଇବା ପରେ ଜୟପୁରରେ ଏକ ଜରୁରୀକାଳୀନ ଅବତରଣ କରାଯାଇଥିଲା। ଆଉ ଏକ ସୁରକ୍ଷା ଯାଞ୍ଚ ପରେ ବିମାନଟି ଦିଲ୍ଲୀ ଉଡ଼ାଣ କରିବ।

ଫ୍ଲାଙ୍କଫର୍ଟରୁ ଦିଲ୍ଲୀ ଅଭିମୁଖେ ବିମାନଟି ରାତି ୯:୧୫ ରେ ଉଡ଼ାଣ ଆରମ୍ଭ କରିଥିଲା ଏବଂ ସକାଳ ୧୦:୪୦ ରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। ଏହା ପୂର୍ବରୁ, ହାଇଜ୍ୟାକ୍ ଉଦ୍ୟମ ଖବର ମିଳିବା ପରେ ଏହାକୁ ଜୟପୁରକୁ ପଠାଇ ଦିଆଯାଇଥିଲା।

ସମସ୍ତ ଯାତ୍ରୀ ଏବଂ ସେମାନଙ୍କ ଲଗେଜଗୁଡ଼ିକର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଉଛି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ନୂଆଦିଲ୍ଲୀରେ ଜାତୀୟ ସୁରକ୍ଷା ଗାର୍ଡ (NSG)କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।

Leave A Reply

Your email address will not be published.