ଭୁବନେଶ୍ବର: ୨୦୨୬ ଫିଫା ବିଶ୍ୱକପ୍ର ମହାକୁମ୍ଭ ଆରମ୍ଭ ହୋଇସାରିଛି। ଏଥର ପ୍ରଥମ ଥର ପାଇଁ ୩୨ ବଦଳରେ ୪୮ଟି ଦଳ ବିଶ୍ୱକପ୍ ଜିତିବା ପାଇଁ ପରସ୍ପର ସହ ଲଢ଼ୁଛନ୍ତି। ବିଶ୍ୱକପ୍ ଆସିଲେ ପ୍ରତିଥର ପ୍ରତ୍ୟେକ ଭାରତୀୟଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠେ – ଭାରତ କେବେ ଫିଫା ବିଶ୍ୱକପ୍ ଖେଳିବ? କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଆଜକୁ ୭୬ ବର୍ଷ ପୂର୍ବେ ଅର୍ଥାତ୍ ୧୯୫୦ ମସିହାରେ ଭାରତ ପାଖରେ ବିଶ୍ୱକପ୍ ଖେଳିବାର ଏକ ସୁବର୍ଣ୍ଣ ସୁଯୋଗ ଥିଲା। ବିନା କୌଣସି ମ୍ୟାଚ୍ ଖେଳି ଭାରତ ବିଶ୍ୱକପ୍ ପାଇଁ କ୍ୱାଲିଫାଏ ମଧ୍ୟ କରିସାରିଥିଲା। କିନ୍ତୁ ଏମିତି କେଉଁ ପରିସ୍ଥିତି ସୃଷ୍ଟି ହେଲା, ଯେଉଁଥିପାଇଁ ଭାରତୀୟ ଦଳ ବ୍ରାଜିଲ୍ ଯାଇପାରିଲାନି ? କ’ଣ ଥିଲା ସେହି ବଡ଼ ଭୁଲ୍ ? ଆସନ୍ତୁ ଜାଣିବା ଆମର ଏହି ସ୍ପେଶାଲ୍ ରିପୋର୍ଟରେ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ୧୨ ବର୍ଷର ବ୍ୟବଧାନ ପରେ ୧୯୫୦ରେ ବ୍ରାଜିଲ୍ରେ ଫିଫା ବିଶ୍ୱକପ୍ ଆୟୋଜନ ହେବାକୁ ଯାଉଥିଲା। କ୍ୱାଲିଫାଇଙ୍ଗ୍ ରାଉଣ୍ଡରେ ଭାରତ ସହିତ ବର୍ମା (ମିଆଁମାର) ଏବଂ ଫିଲିପାଇନ୍ସ ଥିଲେ । କିନ୍ତୁ ଦୁଇ ଦଳ ସେମାନଙ୍କ ନାମ ପ୍ରତ୍ୟାହାର କରିନେବାରୁ ଭାରତ ସହଜରେ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିଗଲା। ଭାରତକୁ ପୁଲ୍-୩ରେ ସ୍ୱିଡେନ, ଇଟାଲୀ ଏବଂ ପାରାଗୁଏ ସହ ସ୍ଥାନ ମିଳିଥିଲା। ସେହି ସମୟରେ ଇଟାଲୀ ଦଳର ଅବସ୍ଥା ଭଲ ନଥିଲା ଏବଂ ପାରାଗୁଏ ମଧ୍ୟ ଶକ୍ତିଶାଳୀ ନଥିଲା। ଯଦି ଭାରତ ଖେଳିଥାନ୍ତା, ତେବେ ଗ୍ରୁପ୍ରେ ଦ୍ୱିତୀୟ ସ୍ଥାନ ପାଇ ଏକ ବଡ଼ ଇତିହାସ ରଚିପାରିଥାନ୍ତା।
୧୯୪୮ ଲଣ୍ଡନ ଅଲିମ୍ପିକ୍ସରେ ଫ୍ରାନ୍ସ ଭଳି ଶକ୍ତିଶାଳୀ ଦଳକୁ ଭାରତ କଡ଼ା ଟକ୍କର ଦେଇ ମାତ୍ର ୧-୨ ଗୋଲ୍ରେ ହାରିଥିଲା। ସେହି ସମୟରେ ଭାରତୀୟ ଖେଳାଳିମାନେ ଖାଲି ପାଦରେ ଫୁଟବଲ୍ ଖେଳୁଥିଲେ। ବର୍ଷ ବର୍ଷ ଧରି ଗୋଟିଏ ଚର୍ଚ୍ଚା ଚାଲିଆସିଛି ଯେ, ଭାରତୀୟ ଖେଳାଳିମାନେ ଜୋତା ନ ପିନ୍ଧି ଖାଲି ପାଦରେ ଖେଳିବାକୁ ଚାହୁଁଥିଲେ, କିନ୍ତୁ ଫିଫା ଏହାକୁ ମନା କରିଦେଇଥିଲା, ସେଥିପାଇଁ ଭାରତ ବିଶ୍ୱକପ୍ ଖେଳିଲାନି। କିନ୍ତୁ ଏହି ଅଭିଯୋଗକୁ ଅନେକ ଅସ୍ବୀକାର କରୁଛନ୍ତି । ଭାରତୀୟ ଖେଳାଳିଙ୍କ ଟ୍ରାଭେଲ୍ ବ୍ୟାଗ୍ରେ ବୁଟ୍ ଥିଲା ଏବଂ ସେତେବେଳେ ପାଦରେ ମୋଟା ପଟି ବାନ୍ଧି ଖେଳିବା ଏକ ବ୍ୟକ୍ତିଗତ ପସନ୍ଦ ଥିଲା।
ପ୍ରକୃତ କାରଣ କ’ଣ ଥିଲା ?
ତେବେ ଭାରତ କାହିଁକି ଗଲାନି ? ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ (AIFF) ଅଫିସିଆଲ୍ କାରଣ ଦର୍ଶାଇଥିଲା ଯେ, ଦଳ ଚୟନରେ ମତଭେଦ ଏବଂ ଅଭ୍ୟାସ ପାଇଁ ସମୟର ଅଭାବ ଥିଲା। କିନ୍ତୁ ଏହାର ଅସଲ କାରଣ ଥିଲା ଅଲିମ୍ପିକ୍ସ ଏବଂ ଏସିଆଡ୍ ପ୍ରତି ଅଧିକ ମୋହ।
ସେହି ସମୟରେ ବିଶ୍ୱକପ୍ର ଏତେ କ୍ରେଜ୍ କିମ୍ବା ଗ୍ଲାମର ନଥିଲା, ଅଲିମ୍ପିକ୍ସକୁ ହିଁ ସବୁଠାରୁ ବଡ଼ ମାନ୍ୟତା ଦିଆଯାଉଥିଲା।
୧୯୫୧ରେ ଦିଲ୍ଲୀରେ ପ୍ରଥମ ଏସିଆନ ଗେମ୍ସ ହେବାର ଥିଲା ଏବଂ ଭାରତ ସେଥିପାଇଁ ପ୍ରସ୍ତୁତି କରୁଥିଲା।
ନିୟମ ଅନୁଯାୟୀ, ବିଶ୍ୱକପ୍ ଖେଳିଲେ ଖେଳାଳିମାନଙ୍କୁ ‘ପ୍ରଫେସନାଲ୍’ ଟ୍ୟାଗ୍ ମିଳିଯାଇଥାନ୍ତା, ଯାହା ଦ୍ୱାରା ସେମାନେ ଅଲିମ୍ପିକ୍ସ କିମ୍ବା ଏସିଆଡ୍ ଭଳି ଟୁର୍ନାମେଣ୍ଟ ଖେଳିପାରିନଥାନ୍ତେ। ଅଫିସରମାନଙ୍କର ଏହି ଭୟ ଏବଂ ଅଜ୍ଞତା ଯୋଗୁଁ ଭାରତ ନିଜ ନାମ ପ୍ରତ୍ୟାହାର କରିନେଇଥିଲା।
୧୯୫୦ ମସିହା ମେ ୧୬ ତାରିଖରେ ଭାରତ ନିଜର ଦଳ ଘୋଷଣା କରିସାରିଥିଲା ଏବଂ ଜୁନ୍ ୨୫ରେ ପାରାଗୁଏ ସହ ପ୍ରଥମ ମ୍ୟାଚ୍ ଖେଳାଯିବାର ଥିଲା। ବ୍ରାଜିଲ୍ ସରକାର ମଧ୍ୟ ଭାରତର ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ଭାରତୀୟ କର୍ତ୍ତୃପକ୍ଷଙ୍କ ଗୋଟିଏ ଭୁଲ୍ ନିଷ୍ପତ୍ତି ଯୋଗୁଁ ଭାରତ ଫୁଟବଲ୍ ଇତିହାସର ସବୁଠାରୁ ବଡ଼ ମୁକାବିଲାରୁ ବଞ୍ଚିତ ହୋଇଗଲା। ସେହି ଦିନର ସେହି ଭୁଲ୍ ଆଜି ବି ପ୍ରତି ୪ ବର୍ଷରେ ଭାରତୀୟ ଫୁଟବଲ୍ ପ୍ରେମୀଙ୍କ ମନରେ ଏକ ବଡ଼ ଆଘାତ ଦିଏ।