First Indian PM to visit Slovakia:ସ୍ୱାଧୀନତା ପରେ ସ୍ଲୋଭାକିଆକୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ;ପ୍ରତିରକ୍ଷା ଏବଂ ନିବେଶ ଉପରେ ଫୋକସ
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର (ଜୁନ୍ ୧୩-୧୮) ଠାରୁ ପାଞ୍ଚ ଦିନିଆ ୟୁରୋପ ଗସ୍ତରେ ଯିବେ । ପାଞ୍ଚ ଦିନିଆ ୟୁରୋପ ଗସ୍ତ ସମୟରେ ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତ କରିବେ ପିଏମ୍ ମୋଦୀ । ସୂଚନାଥାଉକି, ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୧୪-୧୬ ରେ ସ୍ଲୋଭାକିଆ ଗସ୍ତ କରିବେ, ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବ। ଏହି ଗସ୍ତକୁ ଭାରତ ଏବଂ ସ୍ଲୋଭାକିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମୟରେ ଅନେକ ଚୁକ୍ତିନାମା (ଏମଓୟୁ) ସ୍ୱାକ୍ଷରିତ ହେବ। ଏହି ଗସ୍ତ ପ୍ରତିରକ୍ଷା, ଏଆଇ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ-ସ୍ଲୋଭାକିଆ ସହଭାଗୀତାକୁ ମଜବୁତ କରିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତର ମୁଖ୍ୟ କେନ୍ଦ୍ରବିନ୍ଦୁ ପ୍ରଯୁକ୍ତିବିଦ୍ୟା ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ (MEA) ବ୍ରିଫିଂ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିବରଣୀ ଦେଇଛନ୍ତି । MEA ସଚିବ (ପଶ୍ଚିମ) ସିବି ଜର୍ଜ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତ କରିବେ। ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ନିମନ୍ତ୍ରଣରେ, ପ୍ରଧାନମନ୍ତ୍ରୀ ମୋଦୀ ୫୨ତମ G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ରମାଗତ ସପ୍ତମ ଅଂଶଗ୍ରହଣ ଏବଂ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ କ୍ରମାଗତ ବତିଶତମ ଅଂଶଗ୍ରହଣ।
ଭାରତ ପାଇଁ ସ୍ଲୋଭାକିଆ କାହିଁକି ଗୁରୁତ୍ୱପୂର୍ଣ୍ଣ?
ଭାରତ ଏପରି ଏକ ସମୟରେ ସ୍ଲୋଭାକିଆ ଆଡକୁ ଗସ୍ତ କରିଛି ଯେତେବେଳେ ନିଜର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା, ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଏବଂ ୟୁରୋପ ସହିତ ଏହାର ଆର୍ଥିକ ସମ୍ପର୍କକୁ ନୂତନ ଗତି ପ୍ରଦାନ କରିବା ପାଇଁ ପ୍ରୟାସ କରୁଛି। ଅଟୋମୋବାଇଲ୍, ଇଞ୍ଜିନିୟରିଂ ଏବଂ ଉନ୍ନତ ଉତ୍ପାଦନ ଭଳି କ୍ଷେତ୍ରରେ ସହଯୋଗର ସମ୍ଭାବନା ଦୁଇ ରାଷ୍ଟ୍ରକୁ ନିକଟତର କରୁଛି।
ଏହି ଗସ୍ତ କେବଳ ବାଣିଜ୍ୟ ପର୍ଯ୍ୟନ୍ତ ସୀମିତ ନୁହେଁ। ଗତ କିଛି ବର୍ଷ ମଧ୍ୟରେ, ଭାରତ ନିଜର ପାରମ୍ପରିକ ଅଂଶୀଦାରମାନଙ୍କ ବ୍ୟତୀତ ୟୁରୋପ ସହିତ ସମ୍ପର୍କର ପରିସରକୁ ବିସ୍ତାର କରିଛି। ଫ୍ରାନ୍ସ, ଜର୍ମାନୀ ଏବଂ ଇଟାଲୀ ବ୍ୟତୀତ ଏବେ ମଧ୍ୟ ଏବଂ ପୂର୍ବ ୟୁରୋପର ଦେଶଗୁଡ଼ିକ ସହିତ ନୂତନ ସହଭାଗୀତା ଗଠନ ଉପରେ ଗୁରୁତ୍ୱ ଦିଆଯାଉଛି। ସ୍ଲୋଭାକିଆକୁ ଏହି ସମାନ ରଣନୀତିର ଏକ ଅଂଶ ଭାବରେ ବିବେଚନା କରାଯାଉଛି।
ସ୍ଲୋଭାକିଆ ୟୁରୋପୀୟ ସଂଘ ଏବଂ ନାଟୋର ସଦସ୍ୟ। ଏହି ପରିପ୍ରେକ୍ଷୀରେ ସ୍ଲୋଭାକିଆ ସହିତ ଦୃଢ଼ ସମ୍ପର୍କ ଭାରତକୁ ମଧ୍ୟ ୟୁରୋପରେ ନିଜର ଉପସ୍ଥିତି ବିସ୍ତାର କରିବାରେ ଏବଂ ୟୁରୋପୀୟ ବଜାରରେ ଉତ୍ତମ ପ୍ରବେଶ ହାସଲ କରିବାରେ ସାହାଯ୍ୟ କରିପାରିବ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ପରିବର୍ତ୍ତିତ ବିଶ୍ୱ ଅର୍ଥନୈତିକ ଏବଂ ଭୂରାଜନୈତିକ ସ୍ଥିତି ମଧ୍ୟରେ, ଭାରତ ନିବେଶ, ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପ ସହଯୋଗ ପାଇଁ ନୂତନ ସୁଯୋଗ ପ୍ରଦାନ କରୁଥିବା ରାଷ୍ଟ୍ରଗୁଡ଼ିକ ସହିତ ସମ୍ପର୍କକୁ ସୁଦୃଢ଼ କରିବାକୁ ଚାହୁଁଛି।

Comments are closed.