Latest Odisha News

BREAKING NEWS

ମାତ୍ର ୫ ଟଙ୍କାରେ ମିଳୁଛି ପେଟପୂରା ମାଛ-ଭାତ, ସରକାରଙ୍କୁ ପ୍ରଶଂସାରେ ପୋତିଲେ ଜନତା

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ସାଧାରଣ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଆରମ୍ଭ ହୋଇଥିବା ‘ମାଆ ଆହାର କିଚେନ୍’ ମାଧ୍ୟମରେ ଏବେ ସାଧାରଣ ଜନତାଙ୍କୁ ମାତ୍ର ୫ ଟଙ୍କାରେ ପେଟପୂରା ଭାତ, ମାଛ ପିସ୍ ଓ ମାଛ ଝୋଳ ଯୋଗାଇ ଦିଆଯାଉଛି। ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନାକୁ ନେଇ ସ୍ଥାନୀୟ ଗରିବ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି।

ଏହି ଯୋଜନା ରାଜ୍ୟ ରାଜନୀତିରେ ମଧ୍ୟ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାରମ୍ବାର ଦାବି କରିଥିଲେ ଯେ, ଯଦି ବିଜେପି ପଶ୍ଚିମବଙ୍ଗରେ କ୍ଷମତାକୁ ଆସେ, ତେବେ ରାଜ୍ୟରେ ମାଛ ଖାଇବା ଉପରେ କଟକଣା ବା ବ୍ୟାନ୍ ଲଗାଇଦେବ। କିନ୍ତୁ ଶୁଭେନ୍ଦୁ ସରକାର ମମତାଙ୍କ ଏହି ପ୍ରଚାରକୁ ସମ୍ପୂର୍ଣ୍ଣ ଭୁଲ୍ ପ୍ରମାଣିତ କରିଛନ୍ତି। ମାଛ ବ୍ୟାନ୍ କରିବା ବଦଳରେ ସରକାର ବଙ୍ଗାଳୀ ସଂସ୍କୃତିର ଅଭିନ୍ନ ଅଙ୍ଗ କୁହାଯାଉଥିବା ମାଛ-ଭାତକୁ ସବୁଠାରୁ ଶସ୍ତାରେ ଗରିବଙ୍କ ଥାଳିରେ ପହଞ୍ଚାଇଛନ୍ତି।

ବର୍ତ୍ତମାନ ରାଜ୍ୟସାରା ପ୍ରାୟ ୪୦୦ଟି ଆହାର କେନ୍ଦ୍ର ଜରିଆରେ ଏହି ସେବା ଯୋଗାଇ ଦିଆଯାଉଛି, ଯାହା ବଙ୍ଗାଳୀ ସାଂସ୍କୃତିକ ପରିଚୟକୁ ଆହୁରି ସୁଦୃଢ଼ କରୁଛି। ବିଶେଷ କରି ଚଳିତ ଗ୍ରୀଷ୍ମ ଋତୁର ପ୍ରକୋପ ଏବଂ ବଢୁଥିବା ଦରଦାମ ମଧ୍ୟରେ ଦିନ ମଜୁରିଆ, ରିକ୍ସା ଚାଳକ ଏବଂ ଅସହାୟ ଲୋକଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱାସନା ପାଲଟିଛି। ଏହି କେନ୍ଦ୍ରଗୁଡ଼ିକରେ ଲୋକମାନେ ମାତ୍ର ୫ ଟଙ୍କା ଦେଇ ଆରାମରେ ପେଟପୂରା ଖାଇପାରୁଛନ୍ତି।

ସ୍ଥାନୀୟ ହିତାଧିକାରୀମାନେ ସରକାରଙ୍କ ଏହି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏଭଳି ମହଙ୍ଗା ସମୟରେ ଏତେ କମ୍ ଟଙ୍କାରେ ମାଛ-ଭାତ ମିଳିବା ସେମାନଙ୍କ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବାରେ ବହୁତ ସାହାଯ୍ୟ କରୁଛି। ସରକାରଙ୍କ ଏହି ରଣନୀତି ତୃଣମୂଳ ସ୍ତରରେ ସାଧାରଣ ଜନତାଙ୍କ ମନ ଜିତିବାରେ ବେଶ୍ ସଫଳ ହେଉଥିବା ପରିଲକ୍ଷିତ ହେଉଛି।

Leave A Reply

Your email address will not be published.