Latest Odisha News

BREAKING NEWS

Indian-crewed vessel: ଓମାନ ନିକଟରେ ପୁଣି ଭାରତୀୟ ନାବିକଙ୍କ ଜାହାଜ ଉପରେ ଆକ୍ରମଣ? ସରକାର କହିଲେ…

ନୂଆଦିଲ୍ଲୀ: ଓମାନ ଉପସାଗରରେ ଭାରତୀୟ ନାବିକ ଥିବା ଆଉ ଏକ ଜାହାଜ ଉପରେ ଆକ୍ରମଣ ହୋଇଥିବା ଖବରକୁ ଭାରତ ସରକାର ଶନିବାର ଦିନ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି। ବିଦେଶ ମନ୍ତ୍ରାଳୟ (MEA) ଏହି ଖବରକୁ ଭୁଲ ବୋଲି କହିଛି।

କିଛି ଅପ୍ରମାଣିତ ରିପୋର୍ଟରେ ଦାବି କରାଯାଇଥିଲା ଯେ ମାର୍ଶାଲ ଦ୍ୱୀପପୁଞ୍ଜର ପତାକା ବହନ କରୁଥିବା ତେଲ ଓ ରାସାୟନିକ ଟ୍ୟାଙ୍କର MT Liaki Freedom ଶୁକ୍ରବାର ରାତିରେ ଓମାନ ଉପସାଗରରେ ଆକ୍ରମଣର ଶିକାର ହୋଇଥିଲା। ଜାହାଜଟି VHF (Very High Frequency) ଯୋଗାଯୋଗ ବନ୍ଦ କରିଦେବା ପରେ ଏଭଳି ଖବର ପ୍ରଚାର ହୋଇଥିଲା।

ଏହି ରିପୋର୍ଟଗୁଡ଼ିକରେ ଜାହାଜରେ ଅନେକ ଭାରତୀୟ ନାବିକ ଥିବା ଏବଂ ମୃତାହତ ହେବାର ଆଶଙ୍କା ଥିବା କଥା କୁହାଯାଇଥିଲା। କିନ୍ତୁ ଭାରତ ସରକାର ଏହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି।

MEA କହିଛି, “ଆମେ MT Liaki Freedom ର କ୍ୟାପ୍ଟେନଙ୍କ ସହ କଥା ହୋଇଛୁ। ସେ ନିଶ୍ଚିତ କରିଛନ୍ତି ଯେ ସମସ୍ତ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି ଏବଂ ପ୍ରଚାରିତ ସୂଚନା ସମ୍ପୂର୍ଣ୍ଣ ଭୁଲ।”

ବିଶ୍ୱର ବିଭିନ୍ନ ଦେଶର ନାବିକମାନଙ୍କ ପ୍ରତିନିଧିତ୍ୱ କରୁଥିବା Forward Seamen’s Union of India (FSUI) ମଧ୍ୟ ପ୍ରଥମେ ଆକ୍ରମଣ ଘଟିଥିବା କଥା କହିଥିଲା। ପରେ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ MT Liaki Freedom ଉପରେ କୌଣସି ଆକ୍ରମଣ ହୋଇନଥିଲା।

ଏହାପୂର୍ବରୁ ଓମାନ ନିକଟବର୍ତ୍ତୀ ସମୁଦ୍ର ଅଞ୍ଚଳରେ ତିନୋଟି ଭାରତୀୟ ନାବିକ ଥିବା ଜାହାଜ ଆକ୍ରମଣର ଶିକାର ହୋଇଥିଲା।

ଜୁନ ୮ ତାରିଖରେ ପାଲାଉ ପତାକା ବହନ କରୁଥିବା MT Marivex ଉପରେ ଆକ୍ରମଣ ହୋଇଥିଲା। ଜାହାଜରେ ୨୪ ଜଣ ଭାରତୀୟ ନାବିକ ଥିଲେ ଏବଂ ଓମାନ କର୍ତ୍ତୃପକ୍ଷ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ଜୁନ ୧୦ ତାରିଖରେ MT Settebello ନାମକ ଆଉ ଏକ ପାଲାଉ ପତାକା ବହନ କରୁଥିବା ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ତିନିଜଣ ନାବିକଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଛି।

ଜୁନ ୧୧ ତାରିଖରେ ଗୁନି- ବିଶାଉ ପତାକା ବହନ କରୁଥିବା MT Jalveer ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏହି ଜାହାଜରେ ୨୦ ଜଣ ଭାରତୀୟ ନାବିକ ଥିଲେ ଏବଂ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଏହି ଘଟଣାଗୁଡ଼ିକ ପରେ ଭାରତ କଡ଼ା ପ୍ରତିବାଦ ଜଣାଇଛି। ଭାରତ ସରକାର କହିଛନ୍ତି ଯେ ବାଣିଜ୍ୟିକ ଜାହାଜ ଉପରେ ଏଭଳି ଆକ୍ରମଣ କେବେବି ଗ୍ରହଣୀୟ ନୁହେଁ ଏବଂ ସମୁଦ୍ର ମାର୍ଗ ସବୁବେଳେ ଖୋଲା ଓ ସୁରକ୍ଷିତ ରହିବା ଉଚିତ।

ବିଦେଶ ମନ୍ତ୍ରୀ ଡ଼. ଏସ୍. ଜୟଶଙ୍କର ମଧ୍ୟ ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ କଥା ହୋଇ ଏହି ଆକ୍ରମଣଗୁଡ଼ିକ ବିରୋଧରେ ଭାରତର କଡ଼ା ଆପତ୍ତି ଜଣାଇଥିଲେ। ସେ କହିଥିଲେ, “ବାଣିଜ୍ୟିକ ଜାହାଜ ଉପରେ ଏଭଳି ଘାତକ ଆକ୍ରମଣ କୌଣସି ପରିସ୍ଥିତିରେ ଯଥାର୍ଥ ନୁହେଁ।”

ଏପରିସ୍ଥିତିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସବୁ ଆକ୍ରମଣ ପାଇଁ ଇରାନକୁ ଦାୟୀ କରିଥିବା ବେଳେ ଇରାନ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଖାରଜ କରିଛି।

Comments are closed.