Latest Odisha News

BREAKING NEWS

ଅଗ୍ନିକାଣ୍ଡ ଗୁଜବ ଶୁଣି ଟ୍ରେନରୁ ଡେଇଁଲେ ଯାତ୍ରୀ, ଶିଶୁ ସମେତ ୪ ମୃତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୋରେନାରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି। ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀମାନେ ଅଗ୍ନିକାଣ୍ଡର ଗୁଜବ ଶୁଣି ଟ୍ରେନ୍ ରୁ ଡେଇଁ ପଡ଼ିଥିଲେ, ଯାହା ଫଳରେ ବିପରୀତ ଟ୍ରାକରେ ଆସୁଥିବା ପାତାଳକୋଟ ଏକ୍ସପ୍ରେସ୍ ଧକ୍କା ଦେଇଥିଲା। ଏହି ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି।

ରବିବାର (ଜୁନ୍ ୧୪) ଅପରାହ୍ନ ୪ଟାରେ ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସ୍ ମୋରେନାରୁ ଧୋଲପୁର ଅଭିମୁଖେ ଯାତ୍ରା କରିଥିଲା। ହେତମପୁର ଷ୍ଟେସନରେ ଟ୍ରେନ୍ ରେ ନିଆଁ ଲାଗିଥିବା ଗୁଜବ ହୋଇଥିଲା। ଯାତ୍ରୀମାନେ ଅଗ୍ନିକାଣ୍ଡ ବିଷୟରେ ଶୁଣିବା ମାତ୍ରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ଭୟଭୀତ ହୋଇ କିଛି ଯାତ୍ରୀ ଜୀବନ ବଞ୍ଚାଇବା ପାଇଁ ଟ୍ରେନ୍ ରୁ ଡେଇଁ ପଡ଼ିଥିଲେ। ଦୁର୍ଘଟଣା ବିଷୟରେ ସୂଚନା ପାଇ ପୋଲିସ ଏବଂ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତିନି ଜଣ ମହିଳା ଏବଂ ଜଣେ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ମୋରେନା ଜିଲ୍ଲା ମାଜିଷ୍ଟ୍ରେଟ୍ ଲୋକେଶ କୁମାର କହିଛନ୍ତି ଯେ ଦୁର୍ଘଟଣାରେ ତିନି ଜଣ ମହିଳା ଏବଂ ଜଣେ ଶିଶୁର ମୃତ୍ୟୁ ହୋଇଛି। ସେ କହିଛନ୍ତି ଯେ ଦୁଇ ଜଣ ମହିଳା ଏବଂ ଜଣେ ଶିଶୁ ଆଗ୍ରାର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ବିକାନେରର।

ଖଜୁରାହୋ-ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସର ଜେନେରାଲ କୋଚ୍ (ଇଞ୍ଜିନ୍ ରୁ ଦ୍ୱିତୀୟ କୋଚ୍)ରେ ଥିବା ଜଣେ ଯାତ୍ରୀ ଆଲାର୍ମ ଚେନ୍ ଟାଣି ଦେଇଥିଲେ। ଯାହା ଫଳରେ ଟ୍ରେନଟି ସେହି ସେକ୍ସନରେ ଅଟକି ଯାଇଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଟ୍ରେନଟି ଅଟକି ରହିଥିବା ସମୟରେ ଅଗ୍ନିକାଣ୍ଡ ଗୁଜବ ଶୁଣି  କିଛି ଯାତ୍ରୀ ଟ୍ରେନରୁ ଓହ୍ଲାଇ ନିକଟସ୍ଥ ରେଳ ଲାଇନକୁ ଯାଇଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରେନ ନମ୍ବର 20424 ଫିରୋଜପୁର-ସେଓନି ପାତାଲକୋଟ ଏକ୍ସପ୍ରେସ ଧକ୍କା ଦେବାରୁ କିଛି ଯାତ୍ରୀ ମୃତାହତ ହୋଇଥିବା ଜଣାପଡ଼ିଛି। ଘଟଣା ବିଷୟରେ ସୂଚନା ପାଇବା ପରେ ରେଳ ପ୍ରଶାସନ, ରେଳ ସୁରକ୍ଷା ବଳ (RPF), ସରକାରୀ ରେଳ ପୋଲିସ (GRP) ଏବଂ ସ୍ଥାନୀୟ ପ୍ରଶାସନର ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।

Leave A Reply

Your email address will not be published.