ପୁରୀ: ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି ଆକ୍ସନ ମୋଡରେ ପୁରୀ ପୋଲିସ । ସହରକୁ ଅପରାଧମୁକ୍ତ ଓ ସୁରକ୍ଷିତ ରଖିବା ପାଇଁ ପୁଲିସ ଆକ୍ସନ ମୋଡକୁ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୩ ଜଣ ଅଭିଯୁକ୍ତ ଗିରଫ କରାଯାଇଥିବା ବେଳେ ୮ଟି ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ଠାରୁ ଖଣ୍ଡା, ଛୁରୀ, ଲୁହା ରଡ୍, କୋରେକ୍ସ ବୋତଲ, ମଦ ଜବତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପୁରୀ ଏସପି ପ୍ରତୀକ ସିଂ ଏନେଇ ସୂଚନା ଦେଇଛନ୍ତି।
ସେପଟେ ଶ୍ରୀମନ୍ଦିର ଆଗରେ ଭକ୍ତଙ୍କୁ ଦଲାଲ ଲୁଟିବା ଘଟଣାରେ ସିଂହଦ୍ଵାରା ଥାନା ପୁଲିସ ପକ୍ଷରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ଶୋଷଣ କରୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯାଇଛି। ଚଢ଼ାଉ ସମୟରେ ପୋଲିସ ବିପୁଳ ପରିମାଣର ମାରଣାସ୍ତ୍ର ଓ ନିଶାଦ୍ରବ୍ୟ ଜବତ କରିଛି। ପୋଲିସ ୩ଟି ଖଣ୍ଡା, ୪ଟି ଛୁରୀ, ଲୁହା ରଡ୍, କୋରେକ୍ସ ବୋତଲ ସହ ୭୫୦ ଲିଟରରୁ ଅଧିକ ମଦ ଜବତ କରିଛି।
ପୁରୀ ପୋଲିସ ପକ୍ଷରୁ କୁହାଯାଇଛି, “ଦର୍ଶନାର୍ଥୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ମନ୍ଦିର ପ୍ରଶାସନ ସହ ସମନ୍ୱୟ ରଖି କାର୍ଯ୍ୟ କରୁଛୁ। ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ରଥଯାତ୍ରା ସମୟରେ ଭକ୍ତମାନେ ଯେପରି ଶାନ୍ତିଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିପାଇଁ ପୋଲିସ ପ୍ରସ୍ତୁତ ଅଛି।”
ପୋଲିସ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ୩୦୭ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
