Latest Odisha News

BREAKING NEWS

ମାଗଣା ଚାଉଳରେ ପେଟ ପୂରୁଛି, ହେଲେ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ

ରାୟଗଡ଼ା: ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଗରିବ ଏବଂ ଅସହାୟ ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦିଆଯାଉଛି। ଏହି ଯୋଜନା ଫଳରେ ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଜିଲ୍ଲାରେ ଲୋକଙ୍କ ପେଟକୁ ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳୁଛି ସତ, କିନ୍ତୁ ଶରୀର ପାଇଁ ନିହାତି ଆବଶ୍ୟକ ଥିବା ପୁଷ୍ଟିକର ଖାଦ୍ୟ ଏବେ ବି ସେମାନଙ୍କ ପାଇଁ ସାତ ସପନ ହୋଇ ରହିଛି। ସରକାରୀ ଚାଉଳ କେବଳ ଭୋକ ମେଣ୍ଟାଉଛି, କିନ୍ତୁ ଏହା ଶରୀରକୁ ସମ୍ପୂର୍ଣ୍ଣ ସୁସ୍ଥ ରଖିବାରେ ବିଫଳ ହେଉଛି।

 

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଦୈନନ୍ଦିନ ଖାଦ୍ୟରେ କେବଳ ଭାତ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍ସ (ଖଣିଜ ଲବଣ) ମିଳିପାରୁନାହିଁ। ଫଳସ୍ୱରୂପ ରାୟଗଡ଼ା ଜିଲ୍ଲାରେ ଅପପୁଷ୍ଟି ଏବଂ ରକ୍ତହୀନତା ଏବେ ବି ଏକ ଉଦ୍‌ବେଗଜନକ ସମସ୍ୟା ଭାବେ ଉଭା ହୋଇଛି। ବିଶେଷ କରି କୋମଳମତି ଶିଶୁ, ଗର୍ଭବତୀ ଏବଂ ପ୍ରସୂତି ମହିଳାମାନେ ଏହାର ସର୍ବାଧିକ ଶିକାର ହେଉଛନ୍ତି। ପନିପରିବା, ଡାଲି ଜାତୀୟ ଶସ୍ୟ, ଅଣ୍ଡା ଏବଂ ପ୍ରୋଟିନ୍ ଯୁକ୍ତ ଖାଦ୍ୟ କିଣିବା ଗରିବ ଆଦିବାସୀ ପରିବାରଗୁଡ଼ିକ ପାଇଁ ସମ୍ଭବ ହୋଇପାରୁନାହିଁ। ବଜାରରେ ଏଗୁଡ଼ିକର ଦର ଆକାଶଛୁଆଁ ଥିବାରୁ ସେମାନେ ବାଧ୍ୟ ହୋଇ କେବଳ ସରକାରୀ ଚାଉଳ ଏବଂ ସାମାନ୍ୟ ଲୁଣ କିମ୍ବା ଲଙ୍କା ଉପରେ ନିର୍ଭର କରି ଜୀବନ ନିର୍ବାହ କରୁଛନ୍ତି।

 

ଅଙ୍ଗନୱାଡ଼ି ଏବଂ ସରକାରୀ ସ୍ତରରେ ଅନେକ ପୁଷ୍ଟିକର ଖାଦ୍ୟ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଦୁର୍ଗମ ଅଞ୍ଚଳରେ ଏହାର ସଠିକ୍ ପରିଚାଳନା ହୋଇପାରୁନାହିଁ। କେବଳ ପେଟଭରି ଭାତ ଖାଇଦେଲେ ଖାଦ୍ୟ ନିରାପତ୍ତା ସମ୍ପୂର୍ଣ୍ଣ ହୋଇଗଲା ବୋଲି ଭାବିବା ଭୁଲ୍। ସରକାର ଯଦି ମାଗଣା ଚାଉଳ ସହିତ ଡାଲି, ଖାଇବା ତେଲ ଏବଂ ଅନ୍ୟାନ୍ୟ ପୁଷ୍ଟିକର ସାମଗ୍ରୀ ରିହାତି ମୂଲ୍ୟରେ ପିଡିଏସ୍ ବ୍ୟବସ୍ଥା ମାଧ୍ୟମରେ ଯୋଗାଇବାର ବ୍ୟବସ୍ଥା କରନ୍ତେ, ତେବେ ରାୟଗଡ଼ାରେ ଅପପୁଷ୍ଟି ହାରକୁ ବହୁ ମାତ୍ରାରେ କମାଯାଇପାରନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.