ଭୂବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ପୁରୀ ଯାଇ ଶ୍ରୀମନ୍ଦିର ସମ୍ମୁଖରେ ଆଶୀର୍ବାଦର ଦୀପ ଜଳାଇଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ଅବସରରେ ସାଂସଦ ଡା.ସମ୍ବିତ ପାତ୍ର, ରାଜ୍ୟ ସଂପାଦକ ସରୋଜ କର, ଜିଲ୍ଲା ସଭାପତି ଡା.ଦେବେନ୍ଦ୍ରନାଥ ତରାଇଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତା ଉପସ୍ଥିତ ରହି ‘ଆଶୀର୍ବାଦର ଦୀପ’ ଜାଳିଥିଲେ ।
ସେହିପରି ଭୁବନେଶ୍ୱର ଶ୍ରୀରାମ ମନ୍ଦିରରେ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ରାଜ୍ୟ ସାଧାରଣ ସଂପାଦକ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କ ସମେତ ଅନେକ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରି ‘ଆଶୀର୍ବାଦର ଦୀପ’ ଜଳାଇଥିଲେ ।
ସୂଚନାଥାଉକି, ରାଜ୍ୟର ବିଭିନ୍ନ ମନ୍ଦିର ସମେତ ପ୍ରମୁଖ ଅନୁଷ୍ଠାନ ଓ ସ୍ଥାନଗୁଡ଼ିକରେ ଦୀପ ଜାଳି ତାଙ୍କ ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରାଯାଇଛି । ଦଳର ରାଜ୍ୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ସହ ସାଧାରଣ ଜନତା ନିଜ ନିଜ ଘରେ ମୋଦୀଙ୍କ ପାଇଁ ଦୀପ ଜାଳି ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନକାଳରେ ଦେଶରେ ବୈପ୍ଲବିକ ପରିବର୍ତ୍ତନ ଘଟିଛି । ଦେଶ ଆଜି ପ୍ରଗତି ପଥରେ ଆଗେଇ ଚାଲିଛି । ମୋଦୀଙ୍କ ନିରନ୍ତର ଭାବେ ଗତ ୫୦ବର୍ଷର ସାଧାରଣ ଜୀବନ ଏବଂ ୨୫ ବର୍ଷ ଧରି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ ଯେଉଁ ଭଳି ସୁଶାସନ ଦେଇଛନ୍ତି ତାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ନିଷ୍ଠାର ସହ ଜନ ସେବା କରି ଦେଶର କେବଳ ଅର୍ଥନୈତିକ ଶକ୍ତି ବୃଦ୍ଧି କରିନାହାନ୍ତି, ସାରା ବିଶ୍ୱରେ ଭାରତର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ପିଏମ୍ ମୋଦୀ । ମହିଳା, କୃଷକଠାରୁ ଆରମ୍ଭ କରି ଆଦିବାସୀଙ୍କ ପର୍ଯ୍ୟନ୍ତ ସବୁ ବର୍ଗକୁ ସୂଚାରୁରୂପେ ମୌଳିକ ସୁବିଧା ଉପଲବ୍ଧ କରାଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଠାରୁ ଆରମ୍ଭ କରି ଶିଳ୍ପ କ୍ଷେତ୍ରରେ ଆଜି ଦୃତ ପ୍ରଗତି ହୋଇଛି ବୋଲି ମନମୋହନ ସାମଲ କହିଛନ୍ତି ।

