ବଲାଙ୍ଗୀର: ଆନ୍ଧ୍ର ବିଏଡ୍ ନାମରେ ବଡ଼ଧରଣର ଠକେଇ । ଏଭଳି ଘଟଣା ସାମ୍ନାକୁ ଆସିଛି ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାରୁ । ବଲାଙ୍ଗିର, ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ୨୦ ଆଶାୟୀଙ୍କଠାରୁ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚଳୁ କରି ନେଇଛି ଜଣେ ମଧ୍ୟସ୍ଥି । ଏନେଇ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଛନ୍ତି ଠକେଇର ଶିକାର ଛାତ୍ରଛାତ୍ରୀ ମାନେ ।
ଅଭିଯୋଗକାରୀଙ୍କ କହିବା ଅନୁସାରେ, ଅଭିଯୁକ୍ତ ମଧ୍ୟସ୍ଥି ପତିତପାବନ ହେର୍ଣ୍ଣାଙ୍କ ଜରିଆରେ ସେମାନେ ଆନ୍ଧ୍ରର ଏକ ଅନୁଷ୍ଠାନରେ ବି.ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇଥିଲେ । ଏଥିନିମନ୍ତେ ଜଣ ପିଛା ୧.୫ ଲକ୍ଷ ଟଙ୍କା ପାଠକ୍ରମ ଫିସ୍ ଏବଂ ପ୍ରମାଣପତ୍ର ପାଇଁ ଅତିରିକ୍ତ ୧୦ ହଜାର ଟଙ୍କା ଦେଇଥିଲେ । ସମସ୍ତେ ପରୀକ୍ଷା ଦେଇ ସଫଳତାର ସହ ପାସ୍ କରିଥିଲେ । ପ୍ରାୟ ବର୍ଷେ ହେଲା ପାଠ୍ୟକ୍ରମ ସରିଲାଣି । କିନ୍ତୁ ପ୍ରମାଣପତ୍ର ମାଗିବାରୁ ଧରାଛୁଆଁ ଦେଉନାହାନ୍ତି ମଧ୍ୟସ୍ଥି ଜଣକ ବୋଲି ଅଭିଯୋଗ ହୋଇଛି ।
ଏହାପରେ ସେମାନେ ଆନ୍ଧ୍ରପ୍ରଦେଶର ସମ୍ପୃକ୍ତ ବି.ଏଡ୍ କଲେଜ ସହିତ ଯୋଗାଯାଗ କରିଥିଲେ । ହେଲେ ଫିସ୍ ବକେୟା ଥିବା କର୍ତ୍ତୃପକ୍ଷ କହିଥିଲେ । ଯାହା ଶୁଣିବା ପରେ କଣ୍ଟାବାଞ୍ଜି ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଛନ୍ତି ଆଶାୟୀ ମାନେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
