ମିଥୁନଙ୍କ ଘରେ ବାଜିଲା ଶେହନାଇ: ସରିଲା ଝିଅ ଦିଶାନୀଙ୍କ ନିର୍ବନ୍ଧ
ରାସ୍ତାକଡ଼ରୁ ଆଣି ଦିଶାନୀଙ୍କୁ ଦେଇଥିଲେ ଝିଅର ପରିଚୟ
ମୁମ୍ବାଇ: ବଲିଉଡର ଦିଗ୍ଗଜ ଅଭିନେତା ତଥା ‘ଡିସ୍କୋ ଡ୍ୟାନ୍ସର’ ମିଥୁନ ଚକ୍ରବର୍ତ୍ତୀଙ୍କ ପରିବାରରୁ ଆସିଛି ଏକ ବଡ଼ ଖୁସିର ଖବର। ମିଥୁନଙ୍କ ଲାଡଲୀ ଝିଅ ଦିଶାନୀ ଚକ୍ରବର୍ତ୍ତୀ ନିଜର ଲଙ୍ଗ୍-ଟାଇମ୍ ବୟଫ୍ରେଣ୍ଡ ମାଇଲ୍ସ ମ୍ୟାଣ୍ଟଜାରିସଙ୍କ ସହ ନିର୍ବନ୍ଧ କରିଛନ୍ତି। ସୋସିଆଲ ମିଡିଆରେ ଦିଶାନୀ ନିଜର ଏହି ଖାସ୍ ମୁହୂର୍ତ୍ତର କିଛି ଆକର୍ଷଣୀୟ ଫଟୋ ସେୟାର କରିବା ପରେ, ଚେନ୍ନାଇଠୁ ନେଇ ମୁମ୍ବାଇ ପର୍ଯ୍ୟନ୍ତ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ତେବେ ଏହି ନିର୍ବନ୍ଧ ସହ ଏକ ରହସ୍ୟମୟ ତାରିଖ ମଧ୍ୟ ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ସସପେନ୍ସ ଜାରି ରହିଛି।
ବଲିଉଡର ‘ମହାଗୁରୁ’ ମିଥୁନ ଚକ୍ରବର୍ତ୍ତୀଙ୍କ ଘରେ ଏବେ ଉତ୍ସବର ମାହୋଲ। ମିଥୁନଙ୍କ ଏକମାତ୍ର ଝିଅ ଦିଶାନୀ ଏବେ ତାଙ୍କ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦିଶାନୀ ଏହି ରୋମାଣ୍ଟିକ ପ୍ରପୋଜାଲର ଫଟୋ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କ ବୟଫ୍ରେଣ୍ଡ ମାଇଲ୍ସ ଆଣ୍ଠୁ ମାଡ଼ି ବସି ହାତରେ ମୁଦି ପିନ୍ଧାଉଥିବାର ଦେଖିବାକୁ ମିଳୁଛି। ଅନ୍ୟ ଏକ ଫଟୋରେ ଦିଶାନୀ ନିଜର ଡାଇମଣ୍ଡ ରିଙ୍ଗ୍ ଫ୍ଲଣ୍ଟ କରୁଛନ୍ତି। ଫଟୋ ସେୟାର କରି ଦିଶାନୀ ଲେଖିଛନ୍ତି— “୦୬.୧୨.୨୦୨୬… ସବୁଦିନ ପାଇଁ ମୋ ଜୀବନର ସବୁଠାରୁ ସହଜ ନିଷ୍ପତ୍ତି।”
ବାସ୍, ଏହି କ୍ୟାପସନ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ଯେ, ଏହା ହେଉଛି ଉଭୟଙ୍କ ବିବାହର ତାରିଖ। ଯଦିଓ ଏନେଇ ଚକ୍ରବର୍ତ୍ତୀ ପରିବାର ପକ୍ଷରୁ କୌଣସି ସୂଚନା ମିଳିନାହିଁ, ତଥାପି ପ୍ରଶଂସକମାନେ ଏହି ରହସ୍ୟରୁ ପରଦା ହଟିବାକୁ ଚାହିଁ ରହିଛନ୍ତି।
ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କିଏ ଏହି ମାଇଲ୍ସ ମ୍ୟାଣ୍ଟଜାରିସ ? ମାଇଲ୍ସ ହେଉଛନ୍ତି ହଲିଉଡ ଏବଂ ଆନ୍ତର୍ଜାତୀୟ ମନୋରଞ୍ଜନ ଜଗତର ଜଣେ ଜଣାଶୁଣା ଷ୍ଟେଡିକ୍ୟାମ୍ ଅପରେଟର୍ ଏବଂ କଲରିଷ୍ଟ। ସେ ଅନେକ ବଡ଼ ବଡ଼ ବ୍ରାଣ୍ଡ୍ସ ସହ କାମ କରିଛନ୍ତି। ଅନ୍ୟପଟେ ଦିଶାନୀ ମଧ୍ୟ ଆମେରିକାର ଲସ୍ ଆଞ୍ଜେଲସରେ ରହି ଆକ୍ଟିଂର ପାଠ ପଢୁଛନ୍ତି ଏବଂ ଖୁବଶୀଘ୍ର ଅଭିନୟ ଦୁନିଆରେ ପାଦ ଥାପିବାକୁ ପ୍ରସ୍ତୁତ ହେଉଛନ୍ତି।
ଦିଶାନୀଙ୍କ ନିର୍ବନ୍ଧ ଖବର ଆସିବା ପରେ, ଆଉ ଥରେ ଚର୍ଚ୍ଚାକୁ ଆସିଛି ମିଥୁନ ଚକ୍ରବର୍ତ୍ତୀଙ୍କ ସେହି ମହାନତା ଏବଂ ପ୍ରେରଣାଦାୟୀ କାହାଣୀ। ବହୁ ବର୍ଷ ପୂର୍ବେ କୋଲକାତାର ଏକ ରାସ୍ତା କଡ଼ରେ ଜଣେ ଅନାଥ ଶିଶୁକନ୍ୟା ପଡ଼ିଥିବା ଖବର ମିଥୁନ ପାଇଥିଲେ। ସେ ସେହି ଶିଶୁଟିକୁ ଉଦ୍ଧାର କରି ନିଜ ପତ୍ନୀ ଯୋଗିତା ବାଲିଙ୍କ ସହ ମିଶି ଆପଣେଇ ନେଇଥିଲେ ଏବଂ ନାଁ ଦେଇଥିଲେ ‘ଦିଶାନୀ’।
ତିନି ପୁଅଙ୍କ ମଧ୍ୟରେ ମିଥୁନ ଏବଂ ଯୋଗିତା ନିଜ ଝିଅକୁ ଅତି ଯତ୍ନରେ ବଢ଼େଇଛନ୍ତି, ଦୁନିଆର ସବୁ ସୁଖ ଏବଂ ଉଚ୍ଚଶିକ୍ଷା ଦେଇଛନ୍ତି। ଆଜି ସେହି ଦିଶାନୀ ଜଣେ ଆତ୍ମନିର୍ଭରଶୀଳ ଏବଂ ସଫଳ ଯୁବତୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି।
ନିଜର ବ୍ୟକ୍ତିଗତ ଜୀବନକୁ ସବୁବେଳେ ଲାଇମଲାଇଟ୍ରୁ ଦୂରେଇ ରଖୁଥିବା ଚକ୍ରବର୍ତ୍ତୀ ପରିବାରରେ ଏବେ ଖୁସି କହିଲେ ନସରେ। ସୋସିଆଲ ମିଡିଆରେ ଏହି ନବଦମ୍ପତିଙ୍କୁ ବଲିଉଡର ତାରକାମାନେ ଶୁଭେଚ୍ଛା ଜଣାଉଛନ୍ତି।
