Latest Odisha News

BREAKING NEWS

ମୌସୁମୀ ଆସିଛି ହେଲେ ବର୍ଷା ନାହିଁ: ଏଲ୍ ନିନୋ ପ୍ରଭାବରେ ରାଜ୍ୟରେ ଗୁଳୁଗୁଳି ଜାରି

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ କରିସାରିଛି। ଜୁନ୍ ୧୨ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାର କିଛି ଅଞ୍ଚଳକୁ ଛୁଇଁବା ପରେ, ସୋମବାର ସୁଦ୍ଧା ଏହା ରାଜ୍ୟର ଅଧିକାଂଶ ଭାଗକୁ ଅଗ୍ରସର ହୋଇଛି। ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ମୌସୁମୀ ସମଗ୍ର ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

 

ତେବେ ମୌସୁମୀ ଆସିଥିଲେ ମଧ୍ୟ ବର୍ଷାର ପତ୍ତା ନାହିଁ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଜାରି ରହିଛି। ଦିନର ତାପମାତ୍ରା ସାମାନ୍ୟ କମିଥିଲେ ମଧ୍ୟ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମୌସୁମୀ ଆସିବା ପରେ ମଧ୍ୟ ବର୍ଷା ନ ହେବାର ଏହି ‘ଲୁଚକାଳି’ ଖେଳ ଏବେ ଚାଷୀ ଓ ସାଧାରଣ ଜନତାଙ୍କୁ ଚିନ୍ତାରେ ପକାଇଛି।

 

ସାଧାରଣତଃ ଜୁନ୍ ମାସରେ ମୌସୁମୀ ଆସିବା ପରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥାଏ, ଯାହା ମୌସୁମୀ ପ୍ରବାହକୁ ସକ୍ରିୟ କରି ଭାରି ବର୍ଷା କରାଇଥାଏ। କିନ୍ତୁ ଏଥର ଆରବ ସାଗରରୁ ପବନ ପ୍ରବାହ ବାଧାପ୍ରାପ୍ତ ହେଉଥିବାରୁ ପୂର୍ବ ଉପକୂଳରେ କୌଣସି ପାଣିପାଗ ସିଷ୍ଟମ ସୃଷ୍ଟି ହୋଇପାରୁନାହିଁ। ଲଘୁଚାପ କିମ୍ବା ଘୂର୍ଣ୍ଣିବଳୟର ଅଭାବ ଯୋଗୁଁ ମୌସୁମୀ ପହଞ୍ଚିଥିଲେ ମଧ୍ୟ ପର୍ଯ୍ୟାପ୍ତ ବର୍ଷା ହେଉନାହିଁ।

 

ଏହି ଅନିୟମିତତା ପଛରେ ‘ଏଲ୍ ନିନୋ’ର ପ୍ରଭାବକୁ ମୁଖ୍ୟ କାରଣ ବୋଲି କୁହାଯାଉଛି। ପ୍ରଶାନ୍ତ ମହାସାଗରର ପୃଷ୍ଠଭାଗ ଅତ୍ୟଧିକ ଉତ୍ତପ୍ତ ହେବା କାରଣରୁ ଏହା ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଜଳୀୟବାଷ୍ପ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଏଲ୍ ନିନୋର ଏହି ସକ୍ରିୟତା କେବଳ ଓଡ଼ିଶା ନୁହେଁ, ବରଂ ସାରା ଦେଶର ବର୍ଷା ପରିମାଣକୁ ପ୍ରଭାବିତ କରୁଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି।

 

ପାଣିପାଗ ବିଭାଗ ସ୍ଥିତି ଉପରେ ନଜର ରଖିଛି। ଆଗାମୀ ଦିନରେ ବାୟୁମଣ୍ଡଳୀୟ ସ୍ଥିତିରେ ପରିବର୍ତ୍ତନ ଆସିଲେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ଆଶା କରାଯାଉଛି।

Comments are closed.