ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା । ଏହାକୁ ସୁରୁଖୁରୁରେ ଆୟୋଜନ କରିବା ନେଇ ସବୁ ପ୍ରଶାସନିକ ଵିଭାଗ ପକ୍ଷରୁ ଚାଲିଛି ଜୋରସୋରରେ ପ୍ରସ୍ତୁତି । ସୁରକ୍ଷିତ ରଥଯାତ୍ରା ପାଇଁ ଅଗ୍ନିଶମ ବିଭାଗ ମଧ୍ୟ ପ୍ରସ୍ତୁତି ଜାରି ରଖିଛି । ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡ଼ଙ୍ଗୀ ପୁରୀ ଆସି ରଥଯାତ୍ରା ନିମନ୍ତେ ଅଗ୍ନିଶମ ବିଭାଗର ସମସ୍ତ ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି । ଯାତ୍ରୀ ରହୁଥିବା ସ୍ଥାନ ସମେତ ସବୁ ହୋଟେଲ, ଲଜ୍, ଗେଷ୍ଟ ହାଉସ, ଯାତ୍ରୀ ନିବାସ, ହୋମ୍ ଷ୍ଟେ, ଧର୍ମଶାଳା ସମେତ ସପିଙ୍ଗ ମଲ୍ ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କୁ କଡ଼ା ଯାଞ୍ଜ ନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ପୁରୀ ସହରରେ ଥିବା ୭୦୦ରୁ ଅଧିକ ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ହେତୁ ଏହାକୁ ନେଇ ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଉଦବେଗ ପ୍ରକାଶ କରିଛନ୍ତି । ରଥଯାତ୍ରା ପୁର୍ବରୁ ସବୁ ବ୍ୟବସାୟିକ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଅଗ୍ନିଶମ ଅଧକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ପୁରୀ ସହରରେ ଥିବା ଅଧିକାଂଶ ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାକୁ ନେଇ ବୁଦ୍ଧିଜୀବୀ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି । ରଥାଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତ ଛୋଟରୁ ବଡ ହୋଟେଲ, ଲଜ୍, ଗେଷ୍ଟ ହାଉସରେ ରହିବେ । ଜଦି କିଛି ଅଘଟଣ ଘଟେ ଅନେକ ଲୋକଙ୍କ ଧନଜୀବନ ହାନି ହେବାର ଆଶଙ୍କା ରହିଛି । ସାରା ବିଶ୍ୱରେ ଓଡ଼ଶା ସରକାର ବଦନାମ ହେବାର ଆଶଙ୍କା ରହିଛି । ଏଣୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ହୋଟେଲ୍, ଲଜ୍, ଗେଷ୍ଟ ହାଉସ୍, ଧର୍ମଶାଳା, ଯାତ୍ରୀ ନିବାସ, ହୋମ୍ ଷ୍ଟେ ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚକୁ କଡାକଡି କରାଯିବା ନେଇ ବୁଦ୍ଧିଜୀବୀ ମତ ଦେଇଛନ୍ତି । ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ହୋଟେଲ୍, ଲଜ୍, ଗେଷ୍ଟ ହାଉସ ଗୁଡ଼ିକରେ ଯାତ୍ରୀ ରଖିବା ଉପରେ କଡା କଟକଣା ଲାଗିବା ଉଚିତ୍ ବୋଲି ବୁଦ୍ଧିଜିବୀ ମତବ୍ୟକ୍ତ କରିଛନ୍ତି ।
ପର୍ଯ୍ୟଟନ ସହର ପୁରୀରେ ହୋଟେଲ, ଲଜ୍, ଗେଷ୍ଟ ହାଉସ୍, ଯାତ୍ରୀ ନିବାସ, ଧର୍ମଶାଳା, ହୋମ ଷ୍ଟେକୁ ମିଶାଇଲେ ୧୨ ଶହରୁ ଅଧିକ ହେବ । ହେଲେ କିଛି ହାତ ଗଣତି ବଡ ହୋଟେଲକୁ ଛାଡିଦେଲେ ଅଧିକାଂଶ ହୋଟେଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା। ଶ୍ରୀମନ୍ଦିର ଚାରିପାଖରେ ଥିବା ସାହି ଗୁଡ଼ିକରେ ଘରେ ଘରେ ଛତୁ ଫୁଟିଲା ଭଳି ଲଜିଂ, ହୋମ୍ ଷ୍ଟେ ରହିଛି । ଉକ୍ତ ସ୍ଥାନକୁ ଯିବା ପାଇଁ ଅତି ସଂକୀର୍ଣ୍ଣ ରାସ୍ତା ରହିଛି । କିଛି ଅଘଟଣ ଘଟିଲେ ସଙ୍ଗେ ସଙ୍ଗେ ବାହାରିବା ପାଇଁ ପର୍ଯ୍ୟାପ୍ତ ରାସ୍ତା ନାହିଁ ।
ଘରେ ହୋଇଥିବା ଲଜିଂ, ହୋମ୍ ଷ୍ଟେ ରେ ଅତି ନିମ୍ନ ମାନର ବିଦ୍ୟୁତ୍ ଓୟାରିଂ ରହିଛି । ଫଳରେ ହଠାତ୍ ଯଦି ସର୍ଟ ସର୍ଟିକରୁ ଅଗ୍ନିକାଣ୍ଡ ଘଟେ ଏହାର ସଙ୍ଗେ ସଙ୍ଗେ ମୁକାବିଲା ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ଯାହା ଫଳରେ ଅଗ୍ନିକାଣ୍ଡ ଘଟିଲେ ନିଆଁ ବ୍ୟାପିଯାଇ ଲୋକ ଙ୍କ ଜୀବନ ହାନି ହେବାର ଆଶଙ୍କା ରହିଛି । ଅନେକ ସାହି ଗୁଡ଼ିକ ରାସ୍ତା ଅତି ସଂକୀର୍ଣ୍ଣ ହୋଇଥିବାରୁ କିଛି ଅଗ୍ନିକାଣ୍ଡ ଘଟଣା ଘଟିଲେ ସଙ୍ଗେ ସଙ୍ଗେ ଏହାର ମୁକାବିଲା ଓ ଉଦ୍ଧାର ପାଇଁ ଅଗ୍ନିଶମ ଗାଡି ଘଟଣା ସ୍ଥଳକୁ ଯାଇପାରିବ ନାହିଁ ।
ଅନେକ ଲଜିଂ ବିନା ଟ୍ରେଡ ଲାଇସେନ୍ସ ରେ ଓ ବିନା ଫାୟାର ସାର୍ଟିଫିକେଟ ରେ ବେଆଇନ ଭାବେ ଚାଲିଛି । ଏଗୁଡ଼ିକୁ ଶୀଘ୍ର ଯାଞ୍ଜ୍ କରାଯାଇ ବେଆଇନ୍ ଭାବେ ହୋଟେଲ, ଲଜ, ଗେଷ୍ଟ ହାଉସ କୁ ପ୍ରସାଶନ ସିଲ୍ କରିବା ସହ ବେଆଇନ କାର୍ଯ୍ଯ କରୁଥିବା ବ୍ୟକ୍ତିଙ୍କ ବିରୋଧ ରେ କଡା କାର୍ଯ୍ୟନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି । ପ୍ରତିବର୍ଷ କେବଲ ରଥାଯାତ୍ରା ଆସିଲେ ପ୍ରଶାସନ ହୋଟେଲ୍, ଲଜ୍, ଗେଷ୍ଟ ହାଉସ ଯାଞ୍ଚ କରୁଛି । ହେଲେ ପର୍ଯ୍ୟଟନ ସହର ପୁରୀକୁ ବର୍ଷ ସାରା ପର୍ଯ୍ୟଟକଙ୍କ ଆଗମନ ହେଉଥିବା ବେଳେ ପର୍ଯ୍ୟଟକ ମାନେ ଅସୁରକ୍ଷିତ ଭାବେ ହୋଟେଲ, ଲଜ, ଗେଷ୍ଟ ହାଉସ ରେ ରହୁଛନ୍ତି । କେବଳ ରଥଯାତ୍ରା ପୁର୍ବରୁ ଲୋକ ଦେଖାଣିଆ ଭାବେ ଯାଞ୍ଜ କାର୍ଯ୍ୟ କରାନଯାଇ ଅଗ୍ନି ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ କରିନଥିବା ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ବିରୁଦ୍ଧ ରେ କଡା କାର୍ଯ୍ୟନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମତ ଦେଇଛନ୍ତି ।
ସେପଟେ ବଡ଼ଦାଣ୍ଡରେ ୪୮ ଟି ବିପଦଶଙ୍କୁଳ କୋଠା ଚିହ୍ନଟ କରିଛି ପ୍ରଶାସନ । ଏହି କୋଠା ଗୁଡ଼ିକ ଯେ କୌଣସି ମୁହୂର୍ତ୍ତ ରେ ଭୁଶୁଡ଼ି ଯିବାର ଆଶଙ୍କା ରହିଛି । ରଥଯାତ୍ରା ସମୟ ରେ ଏହି ସବୁ କୋଠା ଉପରେ ଯେଭଳି କେହି ଭକ୍ତ ନ ଚଢ଼ିବେ ଯୋଜନା ହୋଇଛି । ରଥଯାତ୍ରା ପୁର୍ବରୁ ଏହି ସବୁ କୋଠା କୁ ସିଲ୍ କରିବାକୁ ନିଷ୍ପତ୍ତି ହୋଇଛି । ଏହି ବିପଦଶଙ୍କୁଳ କୋଠା ତାଲିକାରେ ବଡ ଦାଣ୍ଡ ରେ ଥିବା ଗୋଏଙ୍କା ଧର୍ମଶାଳା, ରାଧା ବଲ୍ଲଭ ମଠ ଓ ଝାଞ୍ଜପିଟା ମଠ ରହିଛି । ତେବେ ଏହି ମଠରେ ଶହ ଶହ ଭକ୍ତ ରାତ୍ରି ଯାପନ କରନ୍ତି । ତେବେ ଏହି ବିପଦ ଶଙ୍କୁଳ କୋଠାରେ ଭକ୍ତଙ୍କୁ ରହିବା ପାଇଁ କିଭଳି ଦିଆଯାଉଛି ସେନେଇ ପ୍ରଶ୍ନ ଉଠିଛି । ଏସବୁ ଭୁଶୁଡ଼ି ପଡ଼ିଲେ ଯେଉଁ ଜୀବନହାନି ହେବ ସେଥି ପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି ।
ପୁରୀ ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ୍ ବଡ ଦାଣ୍ଡରେ ଅସୁରକ୍ଷିତ ୪୮ଟି କୋଠାକୁ ଚିହ୍ନଟ କରିଛି । ପ୍ରତିବର୍ଷ ରଥ ଯାତ୍ରା ପୁର୍ବରୁ ଏହି ଅସୁରକ୍ଷିତ କୋଠା ଚିହ୍ନଟ କରାଯାଏ । ରଥଯାତ୍ରା ସମୟରେ ଏହି କୋଠା ଗୁଡ଼ିକ ଉପରେ ଚଢ଼ିବା ପାଇଁ କଟକଣା ଲାଗେ । ହେଲେ କଟକଣା ଅମାନ୍ୟ କରାଯାଇ ଭକ୍ତଙ୍କୁ ଏହି ଅସୁରକ୍ଷିତ କୋଠା ଉପରେ ବସିବାକୁ ଦିଆଯାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି କିଛି ବ୍ୟକ୍ତି । ଏଣୁ କେବଳ ଲୋକ ଦେଖାଣିଆ ଭାବେ ଅସୁରକ୍ଷିତ କୋଠାକୁ ଚିହ୍ନଟ କରାନଯାଇ ଏହି କୋଠା ଉପରେ ଲୋକ ମାନେ ନ ବସିବା ପାଇଁ କଡା କଟକଣା ଲାଗୁ କରାଯିବାକୁ ବୁଦ୍ଧିଜୀବୀ ମତ ଦେଇଛନ୍ତି ।
