ଭୁବନେଶ୍ବର: ରାଜ୍ୟର ଦୁର୍ଗମ, ଆଦିବାସୀ ଓ ଟେଲିକମ୍ ସେବାରୁ ବଞ୍ଚିତ ଅଞ୍ଚଳବାସୀଙ୍କ ପାଇଁ ଖୁସି ଖବର । ଏହି ଅଞ୍ଚଳ ଗୁଡ଼ିକରେ ଡିଜିଟାଲ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଡିଜିଟାଲ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଡିଜିଟାଲ ଭାରତ ନିଧି (ଡିବିଏନ୍) ଅନୁଦାନପ୍ରାପ୍ତ 4G ସାଚୁରେସନ ପ୍ରକଳ୍ପ ଅଧୀନରେ ରାଜ୍ୟର ୨୪ଟି ଜିଲ୍ଲାର ୭୦୭ଟି ନୂଆ ସ୍ଥାନରେ ମୋବାଇଲ ଟାୱାର ସ୍ଥାପନ ହେବ ।
ଏଥିପାଇଁ ଆବଶ୍ୟକ ସରକାରୀ ଜମି ଶୀଘ୍ର ଉପଲବ୍ଧ କରାଇବାକୁ ଜିଲ୍ଲାପାଳମାନଙ୍କୁ ଜରୁରୀ ଭିତ୍ତିରେ ନିର୍ଦ୍ଦେଶ ଦିଆଯାଇଛି । ଏ ସମ୍ପର୍କରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ।
ପ୍ରତ୍ୟେକ ସ୍ଥାନରେ ପ୍ରାୟ ୨ ହଜାର ବର୍ଗଫୁଟ ସରକାରୀ ଜମିର ଅଗ୍ରୀମ ଦଖଲ ବିଏସଏନଏଲକୁ ଦେବାକୁ ପତ୍ରରେ କୁହାଯାଇଛି । ସେହିଭଳିହ ‘ନୋ ଅବଜେକ୍ସନ ସର୍ଟିଫିକେଟ୍’ (ଏନଓସି) ଜାରି କରିବାକୁ କୁହାଯାଇଛି । ଏହାଦ୍ୱାରା ଟାୱାର ନିର୍ମାଣ ତୁରନ୍ତ ଆରମ୍ଭ ହୋଇପାରିବ । ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, କେତେକ ଜିଲ୍ଲାର ସକ୍ରିୟ ଉଦ୍ୟମ ଫଳରେ ୨୯୪ଟି ସ୍ଥାନ ପାଇଁ ଏନଓସି ପୂର୍ବରୁ ଜାରି ହୋଇସାରିଛି । ଫଳରେ ସେହି ସ୍ଥାନଗୁଡ଼ିକରେ ଟାୱାର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଅବଶିଷ୍ଟ ୭୦୭ଟି ସ୍ଥାନରେ ମଧ୍ୟ ଜମି ହସ୍ତାନ୍ତର ପ୍ରକ୍ରିୟା ଶୀଘ୍ର ସମାପ୍ତ କରିବାକୁ ସରକାର ‘ମୋଷ୍ଟ ଅର୍ଜେଣ୍ଟ’ ଭିତ୍ତିରେ ନିର୍ଦ୍ଦେଶ ଜାରି କରିଛନ୍ତି ।
ରାଜ୍ୟରେ ଏପର୍ଯ୍ୟନ୍ତ ୩,୬୦୨ଟି ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ ହୋଇଥିବାବେଳେ ଆଉ ୬୮୩ଟି ଟାୱାରର ନିର୍ମାଣ କାମ ଚାଲିଛି । ବର୍ତ୍ତମାନ ୮୯୪ଟି ନୂଆ ସ୍ଥାନ ପାଇଁ ମଞ୍ଜୁରୀ ମିଳିଥିବା ବେଳେ ୭୦୭ଟି ସ୍ଥାନରେ ଜମି ବଣ୍ଟନ ଅପେକ୍ଷାରେ ରହିଛି । ପ୍ରକଳ୍ପର ତାଲିକାରେ ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ପରି ଆଦିବାସୀ ଓ ପାହାଡ଼ିଆ ଜିଲ୍ଲାଗୁଡ଼ିକ ସର୍ବାଧିକ ପ୍ରାଧାନ୍ୟ ପାଇଛି ।
