ଭୁବନେଶ୍ୱର: ତିନି ମାସ ଧରି ବନ୍ଦ ରହିଛି ଭତ୍ତା। ରାଜ୍ୟରେ ଥିବା ସମସ୍ତ ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ସୋସିଆଲ ମିଡିଆରେ ମଧ୍ୟ ଏହି ଘଟଣାକୁ ନେଇ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ‘ପେନ୍ସନଭୋଗୀଙ୍କ ମଧ୍ୟରେ ଅଛନ୍ତି ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ। ୩ ମାସ ଭତ୍ତା ନ ମିଳିବାରୁ ଅସୁବିଧା, ଅଭାବର ସମ୍ମୁଖୀନ ହୋଇଛନ୍ତି। ପ୍ରଯୁକ୍ତିଗତ ତ୍ରୁଟି ଯୋଗୁଁ ଲୋକଙ୍କ ଅଧିକାର ବାଧାପ୍ରାପ୍ତ ହେବା ଗ୍ରହଣୀୟ ନୁହେଁ। କାଳ ବିଳମ୍ବ ନ କରି ତୁରନ୍ତ ବକେୟା ପେନ୍ସନ ମୁକ୍ତ କରାଯାଉ।’
ନବୀନ ପୁଣି ଲେଖିଛନ୍ତି, ଭତ୍ତା ପାଇଁ ଲୋକେ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ। ୨ ବର୍ଷ ପୂରଣ କରିଥିବା ବିଜେପି ସରକାରର ଏଇଆ କ’ଣ ଫାଇଦା? ତିନି ମାସରୁ ଅଧିକ ସମୟ ଧରି ରାଜ୍ୟର ଲକ୍ଷ ଲକ୍ଷ ଲୋକ ସାମାଜିକ ସୁରକ୍ଷା ଅଧୀନରେ ଭତ୍ତା ନ ପାଇ ବ୍ୟାପକ ସମସ୍ୟାର ସାମ୍ନା କରୁଛନ୍ତି। ଭତ୍ତା ପାଇଁ ଲୋକ ଜୀବନ ହାରିବା ପରି ଖବର ମଧ୍ୟ ଗଣମାଧ୍ୟମର ଶିରୋନାମା ପାଲଟିଛି; ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ନିର୍ବାଚନ ସମୟରେ ଭତ୍ତା ବଢ଼ାଇବାର ମିଛ ପ୍ରତିଶ୍ରୁତି ଦେଇ ଓଡ଼ିଶା ବିଜେପି କ୍ଷମତାକୁ ଆସିଲା। ହେଲେ ବର୍ତ୍ତମାନ ଯାଏଁ ଭତ୍ତା ବଢ଼ାଇବା ଦୂରେ ଥାଉ ହିତାଧିକାରୀଙ୍କୁ ପୂର୍ବରୁ ମିଳୁଥିବା ଭତ୍ତାକୁ ବି ସରକାର ପ୍ରଦାନ କରିବାରେ ଅସମର୍ଥ। ଏହା ଅନେକ ବୟସ୍କ ଲୋକ, ମା’ମାଉସୀଙ୍କୁ ହତାଶା ଓ ଯନ୍ତ୍ରଣା ଭିତରକୁ ଠେଲି ଦେଇଛି। ଭତ୍ତା ଉପରେ ନିର୍ଭର କରି ଜୀବନ ଅତିବାହିତ କରୁଥିବା ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଏ ଜୀବନ ରକ୍ଷାକାରୀ ଔଷଧ କିଣି ପାରୁ ନାହାନ୍ତି ତ କିଏ ଭୋକ, ଉପାସରେ ରହୁଛନ୍ତି।
ଲୋକଙ୍କ ଦୁର୍ଦ୍ଦଶା ଜନମାନସକୁ ଆନ୍ଦୋଳିତ କରୁଥିବା ବେଳେ ସରକାର କ’ଣ ପାଇଁ ଚୁପ୍ ବସିଛନ୍ତି? ଲୋକଙ୍କୁ ହତାଶା ଭିତରକୁ ଠେଲି ନଦେଇ ତୁରନ୍ତ ଭତ୍ତା ପ୍ରଦାନର ବ୍ୟବସ୍ଥା କରାଯାଉ। ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଲୋକଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ କରନ୍ତୁ। ଏଭଳି ସ୍ଥିତିର ପୁନରାବୃତ୍ତି ନ ହେବା ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ।
