ମୁମ୍ବାଇ: ମହାରାଷ୍ଟ୍ରର ପରଭାନୀ ଜିଲ୍ଲାର ମାନୱାଥ ତହସିଲରେ ଥିବା ପ୍ରସିଦ୍ଧ ଯଶୱାଡି(Yashwadi village in Maharashtra’s Parbhani district) ହନୁମାନ ମନ୍ଦିର ପରିସରରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ମନ୍ଦିର ସାମ୍ନାରେ ଥିବା ସଭା ମଣ୍ଡପ (ସମାବେଶ ହଲ୍) ହଠାତ୍ ଭୁଶୁଡ଼ି ପଡ଼ିଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଏହି ଘଟଣାରେ ପାଞ୍ଚ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୩୦ ରୁ ୪୦ ଜଣ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି ।
ଅନେକ ଭକ୍ତ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଆର.ପି. ହସ୍ପିଟାଲ ଏବଂ ଅନ୍ୟାନ୍ୟ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଶନିବାର ଅପରାହ୍ନରେ ପରଭାନୀ ଜିଲ୍ଲାର ଯଶୱାଡି ଗାଁର ଏକ ହନୁମାନ ମନ୍ଦିରରେ ଏହି ଘଟଣା ଘଟିଛି। ଏପର୍ଯ୍ୟନ୍ତ ପ୍ରାୟ ୨୫ଜଣଙ୍କୁ ଉଦ୍ଧାର କରାଯାଇଛି।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଜିଲ୍ଲା ପ୍ରଶାସନ, ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ବାହାର କରାଯାଉଛି । ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଘଟଣାସ୍ଥଳରୁ ମିଳିଥିବା ଫଟୋ ଏବଂ ଭିଡିଓ ଅନୁଯାୟୀ, ମନ୍ଦିରର ସଭା ମଣ୍ଡପ ନିର୍ମାଣାଧୀନ ଥିଲା।
