ବ୍ଲଡ୍ ବ୍ୟାଙ୍କ ବନ୍ଦ, ମିଳିଲାନି ରକ୍ତ: ୫୦ କିଲୋମିଟର ଦୂର ଭବାନୀପାଟଣା ଗଲା ବେଳେ ବାଟରେ ଆଖି ବୁଜିଲା ୫ ବର୍ଷର ଶିଶୁ
ଧର୍ମଗଡ଼: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଚରମ ଅବହେଳା ଓ ଭିତ୍ତିଭୂମିର ଅଭାବ ଯୋଗୁଁ ପୁଣି ଜଣେ ନିଷ୍ପାପ ଶିଶୁର ଜୀବନ ଯାଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ନମିଳିବା କାରଣରୁ ଜଣେ ୫ ବର୍ଷୀୟ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବ୍ଲଡ୍ ବ୍ୟାଙ୍କ ଦୀର୍ଘ ୪ ଦିନ ହେଲା ବନ୍ଦ ଥିବାରୁ ଏଭଳି ଦୁଃଖଦାୟକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ମିଳିଥିବା ସୂଚନା ମୁତାବକ, ଧର୍ମଗଡ଼ ହସ୍ପିଟାଲରେ ଏହି ୫ ବର୍ଷର ଗୁରୁତର ଶିଶୁପୁତ୍ରଟି ଚିକିତ୍ସାଧୀନ ଥିଲା। ଶିଶୁର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ତୁରନ୍ତ ରକ୍ତ ଦେବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ କହିଥିଲେ। ମାତ୍ର ବିଡ଼ମ୍ବନାର ବିଷୟ, ସେହି ସମୟରେ ଧର୍ମଗଡ଼ ବ୍ଲଡ୍ ବ୍ୟାଙ୍କରେ ତାଲା ଝୁଲୁଥିଲା। ଭିତ୍ତିଭୂମିର ଅଭାବ ଦର୍ଶାଇ ଏକ ବୈଷୟିକ ଟିମ୍ ମାତ୍ର ୪ ଦିନ ପୂର୍ବରୁ ହିଁ ଏହି ବ୍ଲଡ୍ ବ୍ୟାଙ୍କକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲା। ସ୍ଥାନୀୟ ସ୍ତରରେ ରକ୍ତ ନମିଳିବାରୁ ଡାକ୍ତରମାନେ ଶିଶୁକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତର କରିବା ସହ ସେଠାରୁ ରକ୍ତ ଯୋଗାଡ଼ କରିବାକୁ କହିଥିଲେ।
ସ୍ଥାନୀୟ ବ୍ଲଡ୍ ବ୍ୟାଙ୍କ ବନ୍ଦ ଥିବା ଯୋଗୁଁ ରକ୍ତ ପାଇଁ ପ୍ରାୟ ୫୦ କିଲୋମିଟର ଦୂର ଭବାନୀପାଟଣା ଦୌଡ଼ୁଥିଲେ ପରିବାର ଲୋକେ। ମାତ୍ର ସମୟ ପୂର୍ବରୁ ରକ୍ତ ନମିଳିବାରୁ ଶିଶୁଟି ବାଟରେ ହିଁ ପ୍ରାଣ ହରାଇଥିଲା।
ରକ୍ତ ଅଭାବରୁ ଶିଶୁର ମୃତ୍ୟୁ ପରେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ସମ୍ପୂର୍ଣ୍ଣ ଆକ୍ରୋଶମୂଳକ ହୋଇଉଠିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ଓ ସ୍ୱାସ୍ଥ୍ୟ ବିଭାଗର ଏଭଳି ବ୍ୟବସ୍ଥାକୁ ବିରୋଧ କରି ସେମାନେ ମୃତଦେହକୁ ଧର୍ମଗଡ଼ ହସ୍ପିଟାଲ ସମ୍ମୁଖରେ ରଖି ହୋହଲ୍ଲା କରିଥିଲେ। ଉତ୍ତ୍ୟକ୍ତ ଲୋକେ ମୃତଦେହ ସହ ମୁଖ୍ୟ ଜାତୀୟ ରାଜପଥ ଅବରୋଧ କରିବାରୁ ଗାଡ଼ି ମୋଟର ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା।
