‘ପଶ୍ଚିମବଙ୍ଗରେ ପରିବର୍ତ୍ତନର ନୂଆ ପବନ ବହୁଛି’, ବିଭିନ୍ନ ପ୍ରକଳ୍ପର ଭେଟି ଦେଇ ମମତାଙ୍କୁ ଘେରିଲେ ପ୍ରଧାନମନ୍ତ୍ରୀ ମୋଦି
କୋଲକାତା: ପଶ୍ଚିମବଙ୍ଗର ରାଜନୈତିକ ପାଣିପାଗ ଏବେ ଦ୍ରୁତ ଗତିରେ ବଦଳିବାରେ ଲାଗିଛି। ରାଜ୍ୟରେ ଏକ ବଡ଼ ବିକାଶମୂଳକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଏବେ ପରିବର୍ତ୍ତନର ଏକ ନୂଆ ପବନ ବହୁଛି ଏବଂ ଜନସାଧାରଣ ବିକାଶ ସପକ୍ଷରେ ମନ ବଳାଇଛନ୍ତି।
ଓଡ଼ିଶା ଗସ୍ତ ସାରି ପଶ୍ଚିମବଙ୍ଗ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ହଜାର ହଜାର କୋଟି ଟଙ୍କାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ସେ ପୂର୍ବତନ ଶାସକ ଦଳ ତୃଣମୂଳ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି।
ପଶ୍ଚିମବଙ୍ଗର ଆର୍ଥିକ ପ୍ରଗତି ଏବଂ ସଂଯୋଗୀକରଣକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ମେଗା ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏଥିରେ ପ୍ରମୁଖ ଭାବେ ରେଳବାଇ, ସଡ଼କ ପରିବହନ ଏବଂ ପେଟ୍ରୋଲିୟମ କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ରକଳ୍ପଗୁଡ଼ିକ କେବଳ ପଶ୍ଚିମବଙ୍ଗର ଭିତ୍ତିଭୂମିକୁ ବଦଳାଇବ ନାହିଁ, ବରଂ ସ୍ଥାନୀୟ ଅଞ୍ଚଳରେ ହଜାର ହଜାର ଯୁବକଯୁବତୀଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବ। ପଶ୍ଚିମବଙ୍ଗର ବିକାଶ ହେଲେ ହିଁ ସମଗ୍ର ପୂର୍ବ ଭାରତର ପ୍ରଗତି ସମ୍ଭବ ହେବ ବୋଲି ସେ ଦୋହରାଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗଲର ସାଧାରଣ ଜନତା ଏବେ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନା ଏବଂ ବିକାଶର ନୀତିକୁ ଆପଣେଇବାକୁ ଆଗେଇ ଆସିଛନ୍ତି। ରାଜ୍ୟରେ ଯେଉଁ ପରିବର୍ତ୍ତନର ସୂତ୍ରପାତ ହୋଇଛି, ତାହାକୁ ଆଉ ରୋକାଯାଇପାରିବ ନାହିଁ ବେଲି ସେ କହିଛନ୍ତି।
ବିକାଶମୂଳକ ପ୍ରକଳ୍ପର ଉପହାର ଦେବା ସହିତ ମମତା ବାନାର୍ଜୀଙ୍କ ସରକାରଙ୍କୁ ରାଜନୈତିକ ମଇଦାନରେ ଘେରିଛନ୍ତି ପ୍ରଧାନମନ୍ତ୍ରୀ। ସେ ସିଧାସଳଖ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆବଶ୍ୟକ ଟଙ୍କା ପଠାଉଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅନାଗ୍ରହ ଯୋଗୁଁ ସେଗୁଡ଼ିକ ତୃଣମୂଳ ସ୍ତରରେ ପହଞ୍ଚିପାରୁନାହିଁ। ଅନେକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ଯୋଜନାକୁ ପଶ୍ଚିମବଙ୍ଗରେ ଲାଗୁ କରିବାକୁ ଦିଆଯାଉନାହିଁ, ଯାହାଦ୍ୱାରା ରାଜ୍ୟର ଗରିବ, ଚାଷୀ ଏବଂ ବଞ୍ଚିତ ବର୍ଗର ଲୋକେ ଉପକୃତ ହେବାରୁ ବଞ୍ଚିତ ହେଉଛନ୍ତି।
ରାଜ୍ୟରେ ପୂର୍ବ ସରକାର ସମୟରେ ବିଭିନ୍ନ ଦୁର୍ନୀତି ଏବଂ ସରକାରୀ ସଂସ୍ଥାର ଅପବ୍ୟବହାରକୁ ନେଇ ମଧ୍ୟ ସେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ଆଗାମୀ ଦିନରେ ପଶ୍ଚିମବଙ୍ଗ ରାଜନୀତିକୁ ଆହୁରି ସରଗରମ କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।
