Latest Odisha News

BREAKING NEWS

ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ମାହୋଲ: ପୁଣି ହର୍ମୁଜ ବନ୍ଦ କଲା ଇରାନ, ଆମେରିକା ସହ ଚୁକ୍ତି ଭାଙ୍ଗିବା ନେଇ ଦେଲା ଚେତାବନୀ

ତେହେରାନ: ପଶ୍ଚିମ ଏସିଆ ବା ମଧ୍ୟପ୍ରାଚ୍ୟ ସଙ୍କଟ ଏବେ ଏକ ଅତି ସଙ୍ଗୀନ ମୋଡ଼ରେ ପହଞ୍ଚିଛି। ବିଶ୍ୱ ବାଣିଜ୍ୟ ତଥା ଅଶୋଧିତ ତୈଳ ପରିବହନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ କୁହାଯାଉଥିବା ‘ହର୍ମୁଜ ପ୍ରଣାଳୀ’କୁ ଇରାନ ପୁଣିଥରେ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି।

ଲେବନାନ ଉପରେ ଇସ୍ରାଏଲର କ୍ରମାଗତ ଭୟାବହ ଏୟାର ଷ୍ଟ୍ରାଇକ୍ ଏବଂ ଏଥିରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ପ୍ରତିବାଦରେ ଇରାନର ସେନା ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ବିରତି ପାଇଁ ସ୍ୱାକ୍ଷରିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସାମୟିକ ଚୁକ୍ତି ଏବେ ସମ୍ପୂର୍ଣ୍ଣ ଭାଙ୍ଗିଯିବା ସ୍ଥିତିକୁ ଚାଲିଆସିଛି।

ଇରାନର ସର୍ବୋଚ୍ଚ ସଂଯୁକ୍ତ ସେନା କମାଣ୍ଡ ‘ଖାତାମ-ଅଲ୍ ଅନବିୟା ସେଣ୍ଟ୍ରାଲ ହେଡକ୍ୱାର୍ଟର୍ସ’ ପକ୍ଷରୁ ସରକାରୀ ଟିଭିରେ ଏକ ଜରୁରୀ ବିବୃତି ଜାରି କରାଯାଇଛି। ସେନା କହିଛି, ଆମେରିକା ଓ ଇସ୍ରାଏଲ ନିଜର ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଛନ୍ତି। ସେମାନଙ୍କ ବିଶ୍ୱାସଘାତକତାର ଜବାବ ସ୍ୱରୂପ ପ୍ରଥମ ପଦକ୍ଷେପ ସ୍ୱରୂପ ହର୍ମୁଜ୍ ପ୍ରଣାଳୀ ଦେଇ ସମସ୍ତ ପ୍ରକାର ଜାହାଜ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଯଦି ଇସ୍ରାଏଲର ଏହି ଆକ୍ରମଣାତ୍ମକ ମନୋଭାବ ଜାରି ରହେ, ତେବେ ଶତ୍ରୁକୁ ତାର ସୀମା ଭିତରେ ରଖିବା ପାଇଁ ଆଗକୁ ଆହୁରି କଠୋର ପଦକ୍ଷେପ ନିଆଯିବ।”

ବିଶ୍ୱର ମୋଟ ଅଶୋଧିତ ତୈଳ ଓ ଗ୍ୟାସ୍ ପରିବହନର ପ୍ରାୟ ୨୦% ଭାଗ କେବଳ ଏହି ଜଳପଥ ଦେଇ ଯାଇଥାଏ। ଏହି ଆନ୍ତର୍ଜାତୀୟ ଜଳପଥ ବନ୍ଦ ହେବା ଫଳରେ ସାରା ବିଶ୍ୱରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବା ସହ ବିଶ୍ୱ ଅର୍ଥନୀତି ପ୍ରଭାବିତ ହେବା ସୁନିଶ୍ଚିତ।

ଏହି ସପ୍ତାହ ଆରମ୍ଭରେ ଆମେରିକା ସରକାରଙ୍କ ସହ ଆଲୋଚନା ପରେ ଇରାନ ଏହି ଜଳପଥକୁ ଜାହାଜ ଚଳାଚଳ ପାଇଁ ଆଂଶିକ ଭାବେ ଖୋଲିବାକୁ ରାଜି ହୋଇଥିଲା। ଚୁକ୍ତି ମୁତାବକ, ୬୦ ଦିନର ଆଲୋଚନା ସମୟ ମଧ୍ୟରେ ଇରାନ ଜାହାଜଗୁଡ଼ିକ ଉପରୁ ଟ୍ରାଞ୍ଜିଟ୍ ଫି’ ଛାଡ଼ କରିବାକୁ ସମ୍ମତି ଦେଇଥିଲା ଏବଂ ସୁଇଜରଲ୍ୟାଣ୍ଡରେ ପରମାଣୁ କାର୍ଯ୍ୟକ୍ରମକୁ ନେଇ ଶାନ୍ତି ଆଲୋଚନା ଆରମ୍ଭ ହେବାର ଥିଲା। ମାତ୍ର ଶୁକ୍ରବାର ରାତିରେ ଦକ୍ଷିଣ ଲେବନାନରେ ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଭୟଙ୍କର ରକେଟ୍ ମାଡ଼ ଓ ଆକ୍ରମଣ ପରେ ଇରାନ ଆଲୋଚନାରୁ ଓହରି ଯାଇଛି। ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ବାରିଶ୍ ଗ୍ରାମର ଏକ ପରିବାରର ଦୁଇ ଶିଶୁଙ୍କ ସମେତ ଅନେକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି।

ଇରାନର ଏହି ବନ୍ଦ ଘୋଷଣା ପରେ ହ୍ୱାଇଟ୍ ହାଉସ୍ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି। ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ, ଯୁଦ୍ଧ ବିରତି ବଜାୟ ରଖିବାକୁ ଚେଷ୍ଟା ଚାଲିଛି, କୌଣସି ବନ୍ଦ ହୋଇନାହିଁ।

Leave A Reply

Your email address will not be published.