ନବରଙ୍ଗପୁର: ନବରଙ୍ଗପୁର ଜିଲା ଡାବୁଗାଁ ରେଞ୍ଜର ପାତ୍ରି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ଏକ ରୟାଲ ବେଙ୍ଗଲ ଟାଇଗର (ମହାବଳ ବାଘ)ର ଛାଲ ଜବତ ହୋଇଛି । ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଫିଆଙ୍କୁ ଫିଲ୍ମ ଷ୍ଟାଇଲରେ ମାଡି ବସିଲା ନବରଙ୍ଗପୁର ବନବିଭାଗ ଟିମ୍ । ପ୍ରାୟ ୧୦ ଲକ୍ଷ ଟଙ୍କାରେ ଏହି ଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍ ।
ରେଞ୍ଜର ଏନଫୋର୍ସମେଣ୍ଟ ଟିମ୍ ମିଳିତ ଭାବେ ପାତ୍ରି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରିଥିଲେ । ପୂର୍ବରୁ ବାଘ ଛାଲ ମାଫିଆଙ୍କ ସହ ଗ୍ରାହକ ସାଜି ଯୋଗାଯୋଗ କରିଥିଲେ ବନ କର୍ମଚାରୀ । ବାଘଛାଲ ଦେଖାଇବା ପାଇଁ ମାଫିଆମାନେ ନିର୍ଦ୍ଧାରିତ ସ୍ଥାନକୁ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଅପରେସନ୍ । ବନ ବିଭାଗ ଟିମ୍ ୩ ଜଣ ସନ୍ଦିଗ୍ଧଙ୍କୁ ଘେରାବନ୍ଦୀ କରିଥିଲେ ମଧ୍ୟ ୨ ଜଣ ଘନ ଜଙ୍ଗଲ ଭିତରକୁ ଫେରାର ହୋଇଯାଇଥିଲେ ।
ଧରାପଡିଥିବା ଅଭିଯୁକ୍ତ ଶିବୁନ ଟାକ୍ରି ନିକଟରୁ ମହାବଳ ବାଘ ଛାଲ ସହ ଏକ ମୋଟରସାଇକେଲ ମଧ୍ୟ ଜବତ ହୋଇଛି । ପ୍ରାଥମିକ ପଚରାଉଚରା ବେଳେ ଏହି ଛାଲକୁ ପ୍ରାୟ ୧୦ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଡିଲ୍ ଚାଲିଥିବା ଅଭିଯୁକ୍ତ ସ୍ୱୀକାର କରିଥିବା ସୂଚନା ମିଳିଛି । ଏ ନେଇ ବନ ବିଭାଗ ତରଫରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି ।
ଫେରାର ଦୁଇ ଆସାମୀ ଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଥିବା ଡିଏଫଓ ସୂଚନା ଦେଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ ବାଘ ନଥିବାବେଳେ, ଏମାନେ କେଉଁଠାରୁ ବାଘକୁ ଶୀକାର କରି ଛାଲ ଆଣିଥିଲେ ତାହା ତଦନ୍ତ ପରେ ହିଁ ଜଣାପଡିବ ।
