ଭୁବନେଶ୍ୱର: ରାୟଗଡ଼ା ଭିଡ଼ ହିଂସା ଘଟଣାରେ ଏଯାବତ ୨୪ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଉକ୍ତ ଯୁବତୀଙ୍କ ସହ ହୋଇଥିବା ବ୍ୟବହାରକୁ ଅତ୍ୟନ୍ତ ଦୁଃଖଦ ବୋଲି କହିଛନ୍ତି CAW ଏଡିଜି ଏସ୍ ସାଇନି। ଏଥିସହିତ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତିକୁ ଧନ୍ୟବାଦ ଜଣାଇଛନ୍ତି।
ଏନେଇ ସେ କହିଛନ୍ତି ଯେ, ଦୋଷୀକୁ ଦଣ୍ଡ ଦେବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ। ଏଭଳି ଘଟଣା ଆଗାମୀ ଦିନରେ ନେହେବା ପାଇଁ ଚେଷ୍ଟା କରିବୁ। ଘଟଣାରେ ଜିଲ୍ଲା ପୋଲିସ ତଦନ୍ତ କରୁଥିବା ବେଳେ ପୀଡ଼ାତାଙ୍କୁ ଓଡ଼ିଶା ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭିଡ଼ ହିଂସା ରୋକିବା ସବୁ ବର୍ଗର ଦାୟିତ୍ବ। ସଚେତନତା ସୃଷ୍ଟି କେବଳ ପୋଲିସର କାମ ନୁହେଁ, ସମସ୍ତଙ୍କର। ଏପରିକି ସରକାରଙ୍କ ସବୁ ବିଭାଗ ଓ ମିଡିଆର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେବେ ଘଟଣା ବେଳେ କେବଳ ଫଟୋ ଉତ୍ତୋଳନ ନ କରି ଆଗକୁ ଆସି ସାହାଯ୍ୟ କରନ୍ତୁ। ୩/୪ ଲୋକ ଆଗକୁ ଆସିଲେ ଏହାକୁ ରୋକାଯାଇପାରିବ। ଘଟଣାରେ ବଳରାମ ବାଗ୍ ଯେଉଁ ସାହସ ଦେଖାଇଛନ୍ତି ତାହା ଏକ ଉଦାହରଣ।
ଉଲ୍ଲେଖଯୋଗ୍ୟ, ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ସମ୍ପ୍ରତି ପିଲା ଚୋରି ଗୁଜବକୁ କେନ୍ଦ୍ର କରି ଘଟିଥିବା ଭିଡ଼ ହିଂସା ପରେ ପରିସ୍ଥିତିକୁ ସ୍ୱାଭାବିକ ରଖିବା ଏବଂ ସାଧାରଣ ଲୋକଙ୍କ ମନରେ ଆଇନ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଏସପିଙ୍କ ନିର୍ଦ୍ଦେଶକ୍ରମେ କଲ୍ୟାଣସିଂହପୁର ପୋଲିସ ଏହି ଫ୍ଲାଗ ମାର୍ଚ୍ଚ ଆୟୋଜନ କରିଥିଲା। ମାର୍ଚ୍ଚ ସମୟରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସାଧାରଣ ଲୋକଙ୍କୁ ଗୁଜବରେ ବିଶ୍ୱାସ ନ କରିବା, କୌଣସି ଅପ୍ରମାଣିତ ସୂଚନା ପ୍ରଚାର ନ କରିବା ଏବଂ ଆଇନକୁ ନିଜ ହାତକୁ ନ ନେବା ପାଇଁ ସଚେତନ କରିଥିଲେ।
