ବ୍ରିଟେନ୍ ରାଜନୀତିରେ ମହାଭୂକମ୍ପ: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ କିର ଷ୍ଟାରମର୍, ୧୦ ବର୍ଷରେ ଷଷ୍ଠ ପ୍ରଧାନମନ୍ତ୍ରୀ ଆଉଟ୍
ଲଣ୍ଡନ: ବ୍ରିଟେନ୍ ରାଜନୀତିରେ ପୁଣି ଥରେ ଦେଖାଦେଇଛି ବଡ଼ ଧରଣର ସଂକଟ । ଦଳ ଭିତରେ ବଢୁଥିବା ଅସନ୍ତୋଷ ଓ ବିଦ୍ରୋହ ଆଗରେ ମୁଣ୍ଡ ନୁଆଁଇ ଶେଷରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କିର ଷ୍ଟାରମର୍ ।
ଲେବର ପାର୍ଟିକୁ ଏକ ଐତିହାସିକ ସଫଳତା ଦେବାର ମାତ୍ର ଦୁଇ ବର୍ଷ ନପୂରୁଣୁ ଷ୍ଟାରମର୍ଙ୍କୁ ନିଜ ପଦ ଛାଡ଼ିବାକୁ ପଡ଼ିଛି। ବ୍ରିଟେନ୍ ଇତିହାସରେ ଗତ ୧୦ ବର୍ଷ ମଧ୍ୟରେ ଅଧାରୁ ଚାକିରି ଛାଡ଼ିବା କିମ୍ବା ବାଧ୍ୟ ହୋଇ ଇସ୍ତଫା ଦେବାରେ ସେ ହେଉଛନ୍ତି ଷଷ୍ଠ ପ୍ରଧାନମନ୍ତ୍ରୀ।
ରବିବାର ଦିନସାରା ଚାଲିଥିବା ରାଜନୈତିକ ହଲଚଲ ଏବଂ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ଚାପ ପରେ ସୋମବାର ସକାଳେ ଷ୍ଟାରମର୍ ଏହି ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ନୂଆ ପ୍ରଧାନମନ୍ତ୍ରୀ କିମ୍ବା ଦଳୀୟ ନେତା ଚୟନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସେ କେବଳ ଜଣେ କେୟାରଟେକର୍ (ଅସ୍ଥାୟୀ) ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ।
୨୦୨୪ ଜୁଲାଇରେ ବିପୁଳ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଆସିଥିବା କିର ଷ୍ଟାରମର୍ଙ୍କ ଲୋକପ୍ରିୟତା ଗତ କିଛି ମାସ ମଧ୍ୟରେ ଦ୍ରୁତ ଗତିରେ ହ୍ରାସ ପାଇଥିଲା। ଦେଶର ବିପର୍ଯ୍ୟସ୍ତ ଅର୍ଥନୀତି, ଜନସେବାରେ ସମସ୍ୟା, ବଢୁଥିବା ମହଙ୍ଗା ମାଡ଼ ଏବଂ ନିକଟରେ ଆମେରିକାରେ ବ୍ରିଟେନର ରାଷ୍ଟ୍ରଦୂତ ନିଯୁକ୍ତିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ଦଳର ସାଂସଦମାନେ ତାଙ୍କ ଉପରେ କ୍ଷୁବ୍ଧ ଥିଲେ। ନିକଟରେ ହୋଇଥିବା ଉପ-ନିର୍ବାଚନରେ ମେୟର ଆଣ୍ଡି ବର୍ନହାମଙ୍କ ପ୍ରଭାବଶାଳୀ ବିଜୟ ପରେ ଦଳ ଭିତରେ ଷ୍ଟାରମର୍ଙ୍କୁ ହଟାଇବା ପାଇଁ ଦାବି ଆହୁରି ଜୋର ଧରିଥିଲା।
ଅଧାରୁ ଅଧିକ କ୍ୟାବିନେଟ୍ ମନ୍ତ୍ରୀ ଷ୍ଟାରମର୍ଙ୍କୁ ସିଧାସଳଖ ପଦ ଛାଡ଼ିବାକୁ କହିବା ପରେ, ସେ ନିଜର ପରାଜୟ ସ୍ୱୀକାର କରି ୧୦ ଡାଉନିଂ ଷ୍ଟ୍ରିଟ୍ ବାହାରେ ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି। ବର୍ତ୍ତମାନ ଗ୍ରେଟର ମାଞ୍ଚେଷ୍ଟରର ପୂର୍ବତନ ମେୟର ଆଣ୍ଡି ବର୍ନହାମ୍ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ସବୁଠାରୁ ଆଗରେ ଥିବା ଜଣାପଡ଼ିଛି।
