ଭଦ୍ରକ: ଶିଶୁକୁ ଜ୍ଵର ଇଞ୍ଜେକ୍ସନ ବଦଳରେ ନର୍ସ ଦେଲେ କୁକୁର କାମୁଡା ଇଞ୍ଜେକ୍ସନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଶିଶୁ ଟିକୁ ତୁରନ୍ତ ଯାଜପୁରକୁ ନେଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଇବା ପରେ ଶିଶୁଟି ସୁସ୍ଥ ହୋଇଥିଲା ।
ଖବର ମୁତାବକ, ଜ୍ବରରେ ଆକ୍ରାନ୍ତ ହୋଇ ଥିବାରୁ ଭଦ୍ରକ ଜିଲ୍ଲା ଧାମନଗର ଥାନା ଦଲାଙ୍ଗ ଗ୍ରାମର ପୁରୁଷୋତ୍ତମ ତ୍ରିପାଠୀ ନିଜ ପୁତୁରାକୁ ନେଇ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ସେଠାରେ ଥିବା ଡାକ୍ତର ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଏବଂ ଇଞ୍ଜେକ୍ସନ ଲେଖିଥିଲେ । ସେଠାରେ ଥିବା ନର୍ସଙ୍କୁ ପ୍ରେସକ୍ରିପସନ ଦେଖାଇଲା ପରେ ଭୁଲରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଥିଲେ ।
ପୁରୁଷୋତ୍ତମ ପୁତୁରାକୁ ଘରକୁ ଆଣିବା ପରେ ଜ୍ବର କମିବା ବଦଳରେ ସେ ଆହୁରି ଅଧିକ ଯନ୍ତ୍ରଣା ପାଇଥିଲେ । ଯାହାକୁ ନେଇ ପୁରୁଷୋତ୍ତମ ତୁରନ୍ତ ଯାଜପୁରକୁ ନେଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ସେଠାରେ ଶିଶୁଟି ସୁସ୍ଥ ହୋଇଥିଲା । ଏନେଇ ପୁରୁଷୋତ୍ତମ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସମ୍ପର୍କରେ ଡାକ୍ତର ଓ ନର୍ସଙ୍କୁ ପଚାରିବାରୁ ସେମାନେ କିଛି ପତିକ୍ରିୟା ଦେଇନାହାନ୍ତି ।
