ନୂଆଦିଲ୍ଲୀ: ମାଆ ହେବା ପରେ ଅଧିକାଂଶ ମହିଳା କ୍ରିକେଟରଙ୍କ କ୍ୟାରିୟର ବାଧାପ୍ରାପ୍ତ ହୋଇଥିଲା । ଏବେ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ପୋଷ୍ଟ ପ୍ରେଗେନ୍ସି ପରେ କିପରି ଖେଳାଳିଙ୍କ କ୍ୟାରିୟର ବଂଚି ରହିବ ସେଥିପାଇଁ ଯତ୍ନବାନ ହୋଇଛନ୍ତି । ଏଥିପାଇଁ ଆଇସିସି ନୂତନ ଗାଇଡଲାଇନ୍ସ ଜାରୀ କରିଛି । ଏହାର ନାମ ସିକ୍ସ ଆର ରଖାଯାଇଛି । ଏହି ୬ଟି ଆରର ମାନେ ହେଲା ରେଡୀ, ରିଭ୍ୟୁ, ରିଷ୍ଟୋର, ରିକଣ୍ଡିସନ, ରିଟର୍ଣ୍ଣ ଓ ରିଫାଇନ । ସିଧାସଳଖ ପଡିଆକୁ ଓହ୍ଲାଇବା ପୂର୍ବରୁ ଖେଳାଳିମାନଙ୍କୁ ଏହି ପର୍ଯ୍ୟାୟ ପାର କରିବାକୁ ପଡିବ । ଏଥିପାଇଁ ଜଣେ ମ୍ୟାନେଜର ନିଯୁକ୍ତ କରାଯିବ ।
ପ୍ରଥମ ଚରଣରେ ଖେଳାଳିଙ୍କ ମାନସିକ ଓ ଶାରୀରିକ ସ୍ଥିତିକୁ ଆକଳନ କରାଯିବ । ଏହା ପରେ ଧୀରେ ଧୀରେ ଷ୍ଟ୍ରେନ୍ଥ ଟ୍ରେନିଂ ଆରମ୍ଭ ହେବ । ୮ ସପ୍ତାହ ପରେ ଡାକ୍ତର ଓ ଫିଜିଓଙ୍କ ପରାମର୍ଶରେ ଖେଳାଳି ଦୌଡିବା ଆରମ୍ଭ କରିବ । ମାଂସପେଶୀ ଓ ପେଲଭିକ ଫ୍ଲୋରରେ ଜଡିତ ସମସ୍ୟାର ଭଲ ଭାବେ ଯାଂଚ ହେବା ପରେ ଖେଳାଳିଙ୍କୁ ଖେଳିବା ପାଇଁ ଅନୁମତି ପ୍ରଦାନ କରାଯିବ । ଆଇସିସି ଚେୟାରମ୍ୟାନ ଜୟ ଶାହ କହିଛନ୍ତି ଜଣେ ଖେଳାଳି ମାଆ ହେବା ଓ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବା ନେଇ କୌଣସି ପ୍ରକାରର ଚୟନକୁ ଅନୁମତି ଦିଆଯିବନି । ଏଥିରେ ଖେଳାଳିଙ୍କୁ ସମ୍ପୂର୍ଣ୍ଣ ଅଗ୍ରାଧିକାର ଦିଆଯିବ । ୱେଷ୍ଟଇଣ୍ଡିଜ କ୍ରିକେଟର ଅଫି ଫ୍ଲେଚର ମାଆ ହେବା ପରେ କ୍ରିକେଟ ଖେଳିଥିଲେ । ସେ ଆଇସିସି ଏହି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି ।
