Latest Odisha News

BREAKING NEWS

ସରକାରଙ୍କ ମାଷ୍ଟର ପ୍ଲାନ ଓ ମୁଖ୍ୟମନ୍ତ୍ରୀଙ୍କ ପରିବାରର ‘ଗୁପ୍ତ ସାମ୍ରାଜ୍ୟ’: ସେହିଠାରେ ହିଁ କାହିଁକି କିଣାହେଲା ୧୬୮ ଏକର ଜମି?

ଭୋପାଲ: ରାଜନୀତି ଓ ବ୍ୟବସାୟର ମଧୁଚନ୍ଦ୍ରିକା ଭିତରେ ସୃଷ୍ଟି ହୋଇଛି ଏକ ବଡ଼ ସନ୍ଦେହର ବଳୟ। ସରକାର ଯେଉଁଠି ନୂଆ ରାଜପଥ ନିର୍ମାଣ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି ଏବଂ ଚାଷ ଜମିକୁ ବାଣିଜ୍ୟିକ ଜମିରେ ବଦଳାଉଛନ୍ତି, ଠିକ୍ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡ଼ିକରେ ହିଁ କିଣାଚାଲିଛି କୋଟି କୋଟି ଟଙ୍କାର ଜମି। ଏଭଳି ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିବା ପରେ ମଧ୍ୟପ୍ରଦେଶ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।

 

ଅଭିଯୋଗର ଅଙ୍ଗୁଳି ଉଠିଛି ସ୍ୱୟଂ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପରିବାର ଓ ତାଙ୍କ ସହଯୋଗୀ କମ୍ପାନୀଗୁଡ଼ିକ ଆଡ଼କୁ। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମୋହନ ଯାଦବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠାରୁ ତାଙ୍କ ପରିବାର ଉଜ୍ଜୟିନୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୪୫ କୋଟି ଟଙ୍କା ବ୍ୟୟରେ ୧୩୭ଟି ପ୍ଲଟ୍ ଅର୍ଥାତ୍ ୧୬୮ ଏକରରୁ ଅଧିକ ଜମି କିଣିଛନ୍ତି।

 

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସମସ୍ତ ଜମି ସେହିସବୁ ହଟସ୍ପଟ୍ ବା ଅଞ୍ଚଳରେ ରହିଛି, ଯେଉଁଠାରେ ମୁଖ୍ୟମନ୍ତ୍ରୀଙ୍କ ସରକାର ନୂଆ ହାଇୱେ କିମ୍ବା ବାଇପାସ୍ ରାସ୍ତା ନିର୍ମାଣର ଘୋଷଣା କରିଛନ୍ତି। ଏହା ପ୍ରଶାସନିକ ସୂଚନାର ଅପବ୍ୟବହାର କିମ୍ବା Conflict of Interest କି ନୁହେଁ, ସେ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।

 

ସରକାରୀ ଜମି ରେକର୍ଡ ଅନୁସାରେ, ୧୩ ଡିସେମ୍ବର ୨୦୨୩ରେ ମୋହନ ଯାଦବ ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ପରେ ତାଙ୍କ ପରିବାରର ଜମି କିଣା ଅଭିଯାନ ଅତି ଦ୍ରୁତ ଗତିରେ ବଢ଼ିଥିଲା। ଏହି କାରବାରରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୀମା ଯାଦବ, ପୁତ୍ରବଧୂ ଶାଳିନୀ, ଭାଇ ନନ୍ଦଲାଲ ଓ ନାରାୟଣ, ଏବଂ ଦାଦା ପୁଅ ଭାଇ ଗୋବିନ୍ଦ ଓ ନୀଲେଶ ଯାଦବ ପ୍ରମୁଖ ସାମିଲ ଅଛନ୍ତି। କେବଳ ୨୦୨୫ ବର୍ଷ ମଧ୍ୟରେ ହିଁ ଏହି ପରିବାର ୯୨ ଏକର ଜମି ନିଜ ନାମରେ କରିଛନ୍ତି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କିଣାଯାଇଥିବା ୧୬୮ ଏକର ଜମି ମଧ୍ୟରୁ ୧୧୧ ଏକର ଜମି ସରକାରଙ୍କ ଦ୍ୱାରା ପ୍ରସ୍ତାବିତ କିମ୍ବା ନିର୍ମାଣାଧୀନ ବଡ଼ ବଡ଼ ସଡ଼କ ପ୍ରକଳ୍ପର ଅତି ନିକଟରେ ଅବସ୍ଥିତ, ଯାହାଫଳରେ ଭବିଷ୍ୟତରେ ଏହି ଜମିଗୁଡ଼ିକର ମୂଲ୍ୟ ଶହେ ଗୁଣ ବଢ଼ିବା ସୁନିଶ୍ଚିତ।

 

ଅଭିଯୋଗ ଅନୁସାରେ, ସରକାରଙ୍କ ‘ଉଜ୍ଜୟିନୀ ମାଷ୍ଟର ପ୍ଲାନ ୨୦୩୫’ ସାମ୍ନାକୁ ଆସିବାର ଠିକ୍ କିଛି ସପ୍ତାହ ପୂର୍ବରୁ ଅର୍ଥାତ ମାର୍ଚ୍ଚ-ଏପ୍ରିଲ ୨୦୨୩ରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପରିବାର ସାବରାଖେଡ଼ି ଅଞ୍ଚଳରେ ୩୦ ଏକର ଜମି କିଣିଥିଲେ। ପରବର୍ତ୍ତୀ ସମୟରେ ଏହି ଜମିଗୁଡ଼ିକୁ କୃଷି ଜମିରୁ ଆବାସିକ ବା ବାଣିଜ୍ୟିକ ଜମି ଶ୍ରେଣୀରେ ପରିବର୍ତ୍ତନ କରାଯାଇଥିଲା। ବିରୋଧୀ ଦଳ ଏହାକୁ ନେଇ ପୂର୍ବରୁ ଆପତ୍ତି ଉଠାଇବା ସହ ମୁଖ୍ୟମନ୍ତ୍ରୀ ନିଜ ପଦବୀର ପ୍ରଭାବ ପକାଇ ମାଷ୍ଟର ପ୍ଲାନକୁ ନିଜ ଜମି ଅନୁକୂଳ କରିଥିବା ଅଭିଯୋଗ ଆଣିଛନ୍ତି।

 

ଏହି ବଡ଼ ବିବାଦ ଉପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନାହିଁ। ତେବେ ନାମ ଗୋପନ ରଖି ସଂପୃକ୍ତ ଖବରକାଗଜକୁ ଦେଇଥିବା ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବର୍ଦ୍ଧିତ ପରିବାର ୨୦୧୦ ମସିହାରୁ ରିଅଲ୍ ଇଷ୍ଟେଟ୍ ସହ ଜଡ଼ିତ ଅଛନ୍ତି। ସେମାନଙ୍କର ବ୍ୟବସାୟିକ କାରବାରକୁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଫଳତା ସହ ଯୋଡ଼ିବା ଆଦୌ ଉଚିତ୍ ନୁହେଁ।

 

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ ଭାଇ ଗୋବିନ୍ଦ ଯାଦବଙ୍କ ପୁଅ ଅନନ୍ତ ଯାଦବ ଗଣମାଧ୍ୟମକୁ କହିଛନ୍ତି, “ଜଣେ ସାଧାରଣ ନାଗରିକ ଭାବେ ଆମର ଯେକୌଣସି ସ୍ଥାନରେ ସାଧାରଣ ବ୍ୟବସାୟ କରିବାର ଅଧିକାର ଅଛି। ଆମ ପରିବାରର ଜଣେ ସଦସ୍ୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି କ’ଣ ଆମେ ଆମର ପୁରୁଣା ବ୍ୟବସାୟ ବନ୍ଦ କରିଦେବୁ? ଗାଙ୍ଗେଡି ଅଞ୍ଚଳରେ ଯେଉଁ ଜମି କିଣାଯାଇଛି, ତାହାର ଚୁକ୍ତି ୨୦୨୦ ମସିହାରୁ ହୋଇଥିଲା, ଯେତେବେଳେ ସେ ମନ୍ତ୍ରୀ ମଧ୍ୟ ନଥିଲେ।”

 

ତେବେ ଏହାକୁ ନେଇ ଏବେ ସୋଶିଆଲ ମିଡିଆଠୁ ଆରମ୍ଭ କରି ଦିଲ୍ଲୀ ରାଜନୀତିରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply

Your email address will not be published.