ପ୍ରେମ, ପ୍ରତାରଣା ନା ହତ୍ୟା? କାହିଁକି ଚର୍ଚ୍ଚାରେ ଜଣେ ଶକ୍ତିଶାଳୀ ମନ୍ତ୍ରୀଙ୍କ ପୁତୁରା? ଜୋରଧରିଲା ନିରପେକ୍ଷ ତଦନ୍ତ ଦାବି
ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରରେ ଘଟିଥିବା ଛାତ୍ରୀ ମୃତ୍ୟୁ ଘଟଣା ଏବେ ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଘରୋଇ ଇଞ୍ଜିନିୟରିଂ କଲେଜ୍ ହଷ୍ଟେଲ୍ରୁ ବିସିଏ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାକୁ ଦୁଇ ଦିନ ବିତିଛି।
ପ୍ରାଥମିକ ଦୃଷ୍ଟିରୁ ଏହା ଆତ୍ମହତ୍ୟା ଭଳି ମନେହେଉଥିଲେ ମଧ୍ୟ, ମୃତକଙ୍କ ପରିବାର ଲୋକେ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହେଉଛି, ଏହି ମୃତ୍ୟୁ ରହସ୍ୟ ପଛରେ ରାଜ୍ୟ ସରକାରଙ୍କ ଜଣେ କ୍ଷମତାଶାଳୀ କ୍ୟାବିନେଟ୍ ମନ୍ତ୍ରୀଙ୍କ ପୁତୁରାଙ୍କ ନାଁ ସାମ୍ନାକୁ ଆସିଛି, ଯାହା ଘଟଣାକୁ ସମ୍ପୂର୍ଣ୍ଣ ଭିନ୍ନ ମୋଡ଼ ଦେଇଛି। ଆଉ ଏହି ମନ୍ତ୍ରୀ ହେଉଛନ୍ତି ବିଭୂତି ଜେନା।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ଛାତ୍ରୀଜଣଙ୍କ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳର ଏବଂ ସେ ନିଜ ସାନ ଭଉଣୀ ସହ ଏହି କଲେଜ୍ ହଷ୍ଟେଲ୍ରେ ରହି ପଢ଼ୁଥିଲେ। ଗତ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ନିଜ ସାଙ୍ଗମାନଙ୍କ ସହ ପାଠ ପଢ଼ୁଥିଲେ, ମାତ୍ର ଶନିବାର ସକାଳୁ ହଷ୍ଟେଲର ଏକ ପାଖ ଖାଲି ରୁମରୁ ତାଙ୍କର ଝୁଲନ୍ତା ମୃତଦେହ ଠାବ କରାଯାଇଥିଲା।
କଲେଜ୍ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚିବା ପୂର୍ବରୁ କାହିଁକି ହଟିଲା ଶବ?ଘଟଣାକୁ ନେଇ ମୃତକଙ୍କ ମାମୁଁ ଏବଂ ମା’ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ପରିବାର ଲୋକ କିମ୍ବା ପୋଲିସ ପହଞ୍ଚିବା ପୂର୍ବରୁ କାହିଁକି ଏବଂ କାହା ନିର୍ଦ୍ଦେଶରେ ମୃତଦେହକୁ ଫ୍ୟାନ୍ରୁ ଓହ୍ଲାଇ ହସ୍ପିଟାଲ୍ ପଠାଗଲା? ଏହା ପ୍ରମାଣ ନଷ୍ଟ କରିବାର ଏକ ପ୍ରୟାସ ବୋଲି ସେମାନେ କହିଛନ୍ତି।
ପରିବାର ପକ୍ଷରୁ ସିଧାସଳଖ ଭାବେ ରାଜ୍ୟ ପରିବହନ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପୁତୁରା ବିଶ୍ୱଜିତ ଜେନା (୨୪) ଙ୍କ ବିରୋଧରେ ଗୋଳନ୍ଥରା ଥାନାରେ ଏଫ୍ଆଇଆର୍ ଦାୟର କରାଯାଇଛି। ବିଶ୍ୱଜିତ ସେହି ସମାନ କଲେଜ୍ରୁ ନିକଟରେ ପାସ୍ କରିଥିଲେ ଏବଂ ଛାତ୍ରୀଜଣଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ବିଶ୍ୱଜିତ ଗତ କିଛି ଦିନ ହେବ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେବା ସହ ପ୍ରତାରଣା କରୁଥିଲେ, ଯାହା ଯୋଗୁଁ ଝିଅଟି ଚାପରେ ଥିଲା ବୋଲି ପରିବାର ଲୋକେ ଦାବି କରିଛନ୍ତି।
ମନ୍ତ୍ରୀଙ୍କ ପୁତୁରା ଏହି ମାମଲାରେ ଗିରଫ ହୋଇଛି। ରାଜନୈତିକ ଗମ୍ଭୀରତା ଏବଂ ହାଇପ୍ରୋଫାଇଲ୍ ଲିଙ୍କ୍କୁ ଦେଖି ବ୍ରହ୍ମପୁର ଏସପି ସରବଣା ବିବେକ ଏମ୍ ନିଜେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସାଇଣ୍ଟିଫିକ୍ ଟିମ୍ ଏବଂ ଏଜ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ ହୋଇଛି। ପରିବାରର ଲିଖିତ ଅଭିଯୋଗ ଭିତ୍ତିରେ ଗୋଳନ୍ଥରା ପୋଲିସ ମନ୍ତ୍ରୀଙ୍କ ପୁତୁରା ବିଶ୍ୱଜିତ ଜେନାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଗିରଫ କରିଛି। ହେଲେ ମୃତକଙ୍କ ପରିବାର ଲୋକେ ଏକ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହାଇପ୍ରୋଫାଇଲ ନେତାଙ୍କ ପୁତୁରା। ତେଣୁ ତଦନ୍ତ ବାଟବଣା ହେବାର ସମ୍ଭାବନା ରହିଛି। ତେଣୁ ନ୍ୟାୟ ପାଇବା ପାଇଁ ସେମାନେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।
ଅନ୍ୟପଟେ, ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ବିରୋଧୀ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଅଭିଯୁକ୍ତ ଜଣକ ମନ୍ତ୍ରୀଙ୍କ ସମ୍ପର୍କୀୟ ହୋଇଥିବାରୁ ପ୍ରଥମେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଥିଲା। ବିରୋଧୀ ଦଳ ଦାବି କରିଛି ଯେ ଆଇନ ତା’ ବାଟରେ ଯାଉ ଏବଂ କୌଣସି ରାଜନୈତିକ ଚାପରେ ନଆସି ପୋଲିସ ମୃତ ଛାତ୍ରୀଙ୍କ ପରିବାରକୁ ନିରପେକ୍ଷ ନ୍ୟାୟ ପ୍ରଦାନ କରୁ। ତେବେ ଏହି ସମ୍ପୂର୍ଣ୍ଣ ବିବାଦ ଉପରେ ମନ୍ତ୍ରୀ ବିଭୂତି ଜେନା ଗତକାଲି କହିଥିଲେ, ଯିଏ ଅଭିଯୋଗ ଆଣିଛନ୍ତି ସେ ଜଣେ ଦୁଷ୍କର୍ମକାରୀ।
