ଭୁବନେଶ୍ୱର: ଦୂର ତଥା ଗଭୀର ସମୁଦ୍ର ଅଞ୍ଚଳରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ନିମନ୍ତେ କେନ୍ଦ୍ର ସରକାର ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଯୋଜନା ଆସନ୍ତା ଜୁଲାଇ ୯ ତାରିଖରେ ଓଡ଼ିଶାର ଓୟୁଏଟିର ଏକ କାର୍ଯ୍ୟକ୍ରମରେ ଶୁଭାରମ୍ଭ ହେବ। ଦୂର ତଥା ଗଭୀର ସମୁଦ୍ର ଅଂଚଳରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଲେଟର ଅଫ୍ ଅଥରାଇଜେସନ୍ (ପ୍ରାଧିକୃତ ଅନୁମତି ପତ୍ର) ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ନିମନ୍ତେ ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍ ମୁଖ୍ୟ ଅତିଥ୍ ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟ ଅତିଥିମାନଙ୍କ ମଧ୍ୟରେ, ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ସଂପୃକ୍ତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଦସ୍ୟ, ବିଭିନ୍ନ ରାଜ୍ୟର ପ୍ରତିନିଧ୍, ଜାତୀୟ ମତ୍ସ୍ୟ ସଂସ୍ଥାଗୁଡ଼ିକର ଅଧିକାରୀ ଏବଂ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ମତ୍ସ୍ୟଜୀବୀ, ମତ୍ସ୍ୟଚାଷ କ୍ଷେତ୍ରରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଆଦି ଅଂଶଗ୍ରହଣ କରିବେ । ସେମାନଙ୍କ ସହ ସମଗ୍ର ଦେଶରୁ ୧୦୦୦ ଜଣ ମତ୍ସ୍ୟଜୀବୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।
ବିଶେଷକରି ପ୍ରୋଟୋକଲ୍ ଅନୁଯାୟୀ ବ୍ୟବସ୍ଥା, ସୁରକ୍ଷା, ଯାତାୟାତ, ସାମୟିକ ରହଣି ହଣି , ଭିଡ଼ ନିୟନ୍ତ୍ରଣ, ପରିଚ୍ଛନ୍ନତା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଚିକିତ୍ସା ସହାୟତା ଏବଂ ଗଣମାଧ୍ଯମ ପ୍ରଚାର ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟ ଶାସନ ସଚିବ କହିଥିଲେ । ଗୃହ ବିଭାଗ ତଥା ପୁଲିସ କମିଶନରେଟକୁ ଭିଭିଆଇପି ସୁରକ୍ଷା, ଟ୍ରାଫିକ୍ ପରିଚାଳନା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ସମ୍ପୂର୍ଣ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ବର ମହାନଗର ନିଗମ ଏବଂ ଖୋର୍ଦ୍ଧାଜିଲ୍ଲା ପ୍ରଶାସନକୁ ସହରର ସୌନ୍ଦର୍ଯ୍ୟୀକରଣ, ସ୍ଥାନ ପରିଚ୍ଛନ୍ନତା, ବେରିକେଡିଂ, ପାର୍କିଂ ବ୍ୟବସ୍ଥା ଓ ଜରୁରୀକାଳୀନ ସହାୟତା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବୈଠକରେ ଶିଳ୍ପ, ଗୃହ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ କମି କମିଶନର ତଥା ଶାସନ ସଚିବ ପ୍ରେମଚନ୍ଦ୍ର ଚୌଧରୀ, ଭୁବନେଶ୍ବର ମହାନଗର ନିଗମ କମିଶନର ଚଂଚଳ ରାଣା, ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ଯୁଗ୍ମ ଶାସନ ସଚିବ ଡ ସୁରଭି ରାୟଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭିନ୍ନ ବିଭାଗ ଓ ସଂସ୍ଥାଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତଥିଲେ।
