Latest Odisha News

BREAKING NEWS

୮ ବର୍ଷ ପୁରୁଣା ସେହି ଗୋଟିଏ ‘ଭୁଲ୍‌’; ହାଇକୋର୍ଟରେ ପହଞ୍ଚିବା ପରେ ବଦଳିଗଲା ରାହୁଲ ଗାନ୍ଧୀଙ୍କ ଆଭିମୁଖ୍ୟ!

ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ପୁରୁଣା ମାନହାନି ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟରେ ଲିଖିତ ଭାବେ ନିଜର ‘ଅନୁତାପ ଓ ଦୁଃଖ’ ପ୍ରକାଶ କରିଛନ୍ତି। ବର୍ତ୍ତମାନର କେନ୍ଦ୍ର କୃଷି ମନ୍ତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପୁଅ କାର୍ତ୍ତିକେୟ ସିଂହ ଚୌହାନଙ୍କ ପକ୍ଷରୁ ରୁଜୁ ହୋଇଥିବା ଏହି ହାଇ-ପ୍ରୋଫାଇଲ୍ ମାମଲାରେ ରାହୁଲଙ୍କ ଏହି ଆପୋଷ ଆଭିମୁଖ୍ୟ ରାଜନୈତିକ ମହଲକୁ ଚକିତ କରିଦେଇଛି।

 

ଏହି ସମଗ୍ର ବିବାଦର ସୂତ୍ରପାତ ଆଜକୁ ପ୍ରାୟ ୮ ବର୍ଷ ପୂର୍ବେ, ଅର୍ଥାତ୍ ୨୦୧୮ ମସିହା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ହୋଇଥିଲା। ଝାବୁଆ ଜିଲ୍ଲାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ବେଳେ ରାହୁଲ ଗାନ୍ଧୀ ‘ପାନାମା ପେପର୍ସ ଲିକ୍’ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ ଏବଂ ଏଥିରେ କାର୍ତ୍ତିକେୟ ସିଂହ ଚୌହାନଙ୍କ ନାମ ସାମିଲ ଥିବା ଅଭିଯୋଗ କରିଥିଲେ। ଏହି ବୟାନ ଯୋଗୁଁ ତାଙ୍କର ସାମାଜିକ ପ୍ରତିଷ୍ଠା ଏବଂ ସମ୍ମାନ ହାନି ହୋଇଥିବା ଦର୍ଶାଇ କାର୍ତ୍ତିକେୟ ଭୋପାଳର ସ୍ୱତନ୍ତ୍ର ‘ଏମପି-ଏମଏଲଏ କୋର୍ଟ’ରେ ରାହୁଲଙ୍କ ବିରୋଧରେ ଏକ ଅପରାଧିକ ମାନହାନି ମାମଲା ଦାୟର କରିଥିଲେ।

 

ଭୋପାଳର ଏହି ସ୍ୱତନ୍ତ୍ର ଅଦାଲତ ମାମଲାକୁ ଗମ୍ଭୀରତାର ସହ ନେଇ ରାହୁଲ ଗାନ୍ଧୀଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବା ପାଇଁ ସମନ ଜାରି କରିଥିଲେ। ଏହି ସମନ ଏବଂ ସମଗ୍ର ମାନହାନି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ରାହୁଲ ଜବଲପୁରସ୍ଥିତ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବୁଧବାର ହାଇକୋର୍ଟର ଜଷ୍ଟିସ ପ୍ରମୋଦ କୁମାର ଅଗ୍ରୱାଲଙ୍କ ଏକଲପୀଠ ସମ୍ମୁଖରେ ଏହି ମାମଲାର ଶୁଣାଣି ବେଳେ ରାହୁଲଙ୍କ ବରିଷ୍ଠ ଓକିଲ ଅଜୟ ଗୁପ୍ତା ଏକ ସ୍ୱତନ୍ତ୍ର ଆବେଦନ ପତ୍ର ଦାଖଲ କରିଥିଲେ।

 

ରାହୁଲଙ୍କ ପକ୍ଷରୁ କୋର୍ଟରେ ଦିଆଯାଇଥିବା ସଫେଇ ଏବଂ ଲିଖିତ ଆବେଦନ ଅତ୍ୟନ୍ତ ଆକର୍ଷଣୀୟ ଥିଲା। ସେଥିରେ ଦର୍ଶାଯାଇଛି ଯେ, ୨୦୧୮ ମସିହାର ସେହି ନିର୍ବାଚନୀ ବକ୍ତବ୍ୟରେ କାର୍ତ୍ତିକେୟ ଚୌହାନଙ୍କ ନାମ ନେବା କେବଳ ଏକ ‘ଭୁଲ୍‌’ ବା ନାମଗତ ଦ୍ୱନ୍ଦ୍ୱ ଯୋଗୁଁ ହୋଇଥିଲା। ପ୍ରକୃତରେ ସେତେବେଳେ ପଡ଼ୋଶୀ ଛତିଶଗଡ଼ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ତାଙ୍କ ପୁଅଙ୍କ ନାମ ପାନାମା ପେପର୍ସ ପ୍ରସଙ୍ଗ ସହ ଚର୍ଚ୍ଚାକୁ ଆସିଥିଲା, କିନ୍ତୁ ଭାଷଣ ଦେବା ବେଳେ ରାହୁଲ ଭୁଲବଶତଃ ଶିବରାଜଙ୍କ ପୁଅଙ୍କ ନାମ ଉଚ୍ଚାରଣ କରିଦେଇଥିଲେ। ନିଜର ଏହି ଭୁଲ୍ ବୁଝିବା ପରେ ସେ ସେହି ସମୟରେ ହିଁ ନିଜ ବୟାନ ପ୍ରତ୍ୟାହାର କରିନେଇଥିଲେ। ଏହି ବ୍ୟକ୍ତିଗତ ଟିପ୍ପଣୀ ଯୋଗୁଁ ଯଦି କାହା ମନରେ ଆଘାତ ଲାଗିଥାଏ, ତେବେ ସେଥିପାଇଁ ସେ କୋର୍ଟରେ ନିଜର ଦୁଃଖ ଓ ଅନୁତାପ ବ୍ୟକ୍ତ କରୁଛନ୍ତି।

 

ହାଇକୋର୍ଟ ଏହି ଆବେଦନକୁ ରେକର୍ଡଭୁକ୍ତ କରିବା ସହ ଅଭିଯୋଗକାରୀ କାର୍ତ୍ତିକେୟ ଚୌହାନଙ୍କ ଓକିଲ ସଙ୍କଳ୍ପ କୋଚରଙ୍କୁ ଏହି ସଫେଇ ଉପରେ ନିଜର ଲିଖିତ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.