ଭୁବନେଶ୍ବର: ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ଦିନରେ ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ସ୍ପଷ୍ଟ କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗକୁ ନେଇ ଏବେ ଶାସକ ଦଳର ନେତାଙ୍କ ତେରେଛା ବାଣ ଦେଖିବାକୁ ମିଳିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ନବୀନଙ୍କ ଏହି ଘୋଷଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି କହିଛନ୍ତି ଯେ, “ନବୀନ ବାବୁ ପୁଣି ଥରେ ନିର୍ବାଚନ ଲଢ଼ିଲେ ଓଡ଼ିଶାର ଜନତା ତାଙ୍କୁ ଆଉ ଗ୍ରହଣ କରିବେ ତ?”
ବିଜେପିର ଏହି ବରିଷ୍ଠ ନେତାଙ୍କ କହିବା କଥା ଯେ, ଗତ ୨୦୨୪ ନିର୍ବାଚନରେ ଓଡ଼ିଶାର ସଚେତନ ଭୋଟର ବିଜେଡିକୁ ଉଚିତ୍ ଜବାବ ଦେଇସାରିଛନ୍ତି। ଆଞ୍ଚଳିକ ଦଳର ୨୪ ବର୍ଷର ଶାସନ ଯେ ସମ୍ପୂର୍ଣ୍ଣ ବିଫଳ ଥିଲା, ତାହା ଓଡ଼ିଶାବାସୀ ନିଜ ନିଷ୍ପତ୍ତି ଦ୍ୱାରା ପ୍ରମାଣିତ କରିଛନ୍ତି ଏବଂ ବିଜେପିକୁ ଶାସନ ଗାଦି ଦେଇଛନ୍ତି। ଏଭଳି ସ୍ଥିତିରେ ନବୀନ ବାବୁ ପୁଣି ନିର୍ବାଚନ ଲଢ଼ିଲେ ମଧ୍ୟ ଜନତା ଜନାର୍ଦ୍ଦନ ସବୁ ଦିଗରୁ ବିଚାର କରି ନିଷ୍ପତ୍ତି ନେବେ।
“ସେପଟେ କିଏ ନେତୃତ୍ୱ ନେଉଛି କିମ୍ବା କିଏ ଲଢ଼େଇ କରୁଛି, ସେଥିରେ ବିଜେପିର କିଛି ଫରକ ପଡ଼ିବ ନାହିଁ। ଜନସାଧାରଣ ବିଜେପିର ବିକାଶ ଆଜେଣ୍ଡାକୁ ଆପଣେଇ ସାରିଛନ୍ତି” ବୋଲି ବିଶେଶ୍ୱର ଟୁଡୁ କହିଛନ୍ତି ।
ବିଜେପି ସରକାରର ଜନହିତକର କାର୍ଯ୍ୟକୁ ଦେଖି ଲୋକେ ବାରମ୍ବାର ପଦ୍ମ ଶିବିରକୁ ହିଁ ବାଛିବେ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଟୁଡୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆଗାମୀ ୨୦୨୯ ନିର୍ବାଚନରେ ମଧ୍ୟ ରାଜ୍ୟବାସୀ ବିଜେପିକୁ ଆଶୀର୍ବାଦ କରିବେ। ବିଜେପି ସବୁବେଳେ ନିଜର ଆଦର୍ଶ ଓ ନୀତିକୁ ନେଇ କାମ କରେ ଏବଂ ଯେକୌଣସି ପରିସ୍ଥିତି ବା ନିର୍ବାଚନୀ ମୁକାବିଲା ପାଇଁ ଦଳ ସର୍ବଦା ପ୍ରସ୍ତୁତ ବୋଲି ସେ କହିଛନ୍ତି।
