ନୂଆଦିଲ୍ଲୀ : ଆମେରିକା, ମେକ୍ସିକୋ ଓ କାନାଡାରେ ଖେଳା ଯାଉଥିବା ଫିଫା ବିଶ୍ୱକପର ରୋମାଂଚ ବୃଦ୍ଧି ପାଉଥିବା ବେଳେ କେତେକ ରୋଚକ ତଥ୍ୟ ମଧ୍ୟ ସମ୍ମୁଖକୁ ଆସୁଛି । ଅଷ୍ଟ୍ରିଆର ଜଣେ ଖେଳାଳିଙ୍କ ପରିବାରର ୮ ଦେଶ ସହ ରଚିଛି ସଂଯୋଗ । ଅଷ୍ଟ୍ରିଆ ଅଧିନାୟକ ଡେଭିଡ ଅଲୱାଙ୍କ ପରିବାର ଏକ ଆଦର୍ଶ ସୃଷ୍ଟି କରିଛନ୍ତି । ତାଙ୍କ ଜନ୍ମ ଜର୍ମାନୀରେ ହୋଇଥିଲା ଏବଂ ସେ ଅଷ୍ଟ୍ରିଆର ବଢ଼ିଥିଲେ । ତାଙ୍କ ବାପା ନାଇଜେରିଆ ଏବଂ ମାଆ ଫିଲିପିନ୍ସର ମୂଳ ବାସିନ୍ଦା । ତାଙ୍କ ପତ୍ନୀ ଡେନମାର୍କର ହୋଇଥିବା ବେଳେ ଜେଜେବାପା କଙ୍ଗୋ ଦେଶର ବାସିନ୍ଦା ।
ଡେଭିଡ ଏବେ ସ୍ପେନରେ ରହୁଥିବା ବେଳେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଇଂଲଣ୍ଡରେ ରହୁଛନ୍ତି । ତାଙ୍କ ବାପା ମୁସଲମାନ ହୋଇଥିବା ବେଳେ ମାଆ ବୌଦ୍ଧ ଧର୍ମକୁ ମାନନ୍ତି । ସେ ଏବଂ ତାଙ୍କ ପତ୍ନୀ ଖ୍ରୀଷ୍ଟ ଧର୍ମରେ ବିଶ୍ୱାସ କରନ୍ତି । ଡେଭିଡ ପ୍ରଫେଶନାଲ ଫୁଟବଲରେ କ୍ରମାଗତ ୫ ବର୍ଷ ଧରି ସ୍ପେନର ରିୟଲ ମାଡ୍ରିଡ ଏବଂ ଏହା ପୂର୍ବରୁ ୧୨ ବର୍ଷ ଜର୍ମାନୀର ବେୟର୍ଣ୍ଣ ମ୍ୟୁନିକ ପକ୍ଷରୁ ଖେଳିଥିଲେ । ସେ ଅଷ୍ଟ୍ରିଆ ପକ୍ଷରୁ ୧୭ ବର୍ଷ ମଧ୍ୟରେ ୧୧୫ ମ୍ୟାଚ ଖେଳି ସାରିଛନ୍ତି ।
