Latest Odisha News

BREAKING NEWS

ପଛକୁ ପଛ ୨ଟି ଘୂର୍ଣ୍ଣିବଳୟ, ଝଡବର୍ଷା ସମ୍ଭାବନା: ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବର୍ଷା। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲା ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ବିଜୁଳି ଘଡଘଡି ନେଇ ପୁରା ରାଜ୍ୟକୁ ସତର୍କ ସୂଚନା ଜାରି ହୋଇଛି। ୯ ଜିଲ୍ଲାକୁ ଅରେଞ୍ଜ, ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହାସହ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡା, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ରାୟଗଡା ଓ ଗଜପତିରେ ଝଡବର୍ଷା ସହ ୪୦ ରୁ ୫୦ କିମି ପବନ ବହିବାର ଆଶଙ୍କା ରହିଛି।

ଉପକୂଳ ଜିଲ୍ଲା ଓ ସଂଲଗ୍ନ ଆଭ୍ୟନ୍ତର ଅଞ୍ଚଳରେ ବି ଝଡ଼ବର୍ଷା ଆଶଙ୍କା ରହିଛି। ତେଣୁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ ଓ କନ୍ଧମାଳରେ ବିଜୁଳି ଘଡଘଡି ସହ ଝଡ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି।

ଅପରପକ୍ଷେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଗତ ଦୁଇ ତିନିଦିନ ହେବ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଅନୁଗୋଳରେ ସର୍ବାଧିକ ତାପମାତ୍ରା ୩୯.୧ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ତାଳଚେର ୩୯, ସମ୍ବଲପୁର ୩୮.୬, ହୀରାକୁଦ ୩୮.୪, ଝାରସୁଗୁଡା ୩୮.୨, ବାରିପଦା, ବାଲେଶ୍ୱର ଏବଂ ନୂଆପଡ଼ା ୩୮, କଟକ ୩୭.୬ ଓ ଭୁବନେଶ୍ୱରରେ ୩୭.୨ ଡିଗ୍ରୀ ରହିଥିଲା। ତେବେ ଆଗାମୀ ୨ଦିନ ଅର୍ଥାତ୍‌ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ। ପଛକୁ ପଛ ଦୁଇଟି ଘୂର୍ଣ୍ଣିବଳୟ ଆସୁଥିବାରୁ ଓ ଲଘୁଚାପ ସୃଷ୍ଟି ହେଲେ ରାଜ୍ୟରେ ଭଲ ବର୍ଷା ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.