ଦିଶପୁର: ଏଠି ସତରେ ହୁଏ କି କଳା ଯାଦୁ?
ତନ୍ତ୍ର, ମନ୍ତ୍ର ନା କେବଳ କିମ୍ବଦନ୍ତୀ?
କେହି କୁହନ୍ତି ଏଠାରେ ମଣିଷ ଅଦୃଶ୍ୟ ହୋଇଯାଉଥିଲେ… କେହି କୁହନ୍ତି ସାପ କାମୁଡ଼ିଲେ ଏଠି ମନ୍ତ୍ରରେ ହୁଏ ଚିକିତ୍ସା…ଆଉ କାହାର ଦାବି, ଏଠିର ପ୍ରାଚୀନ ପାଣ୍ଡୁଲିପିରେ ଲୁଚି ରହିଛି ତନ୍ତ୍ର-ମନ୍ତ୍ରର ଅନେକ ଅଜଣା ରହସ୍ୟ। ଆସାମର ମୋରିଗାଁ ଜିଲ୍ଲାର ଛୋଟ ଗାଁ ମାୟଙ୍ଗକୁ ଆଜି ବି ଭାରତର ‘ବ୍ଲାକ୍ ମ୍ୟାଜିକ୍ କ୍ୟାପିଟାଲ’ ବୋଲି କୁହାଯାଏ। ତେବେ ଏହା ପଛରେ କେତେ ସତ, କେତେ ଲୋକକଥା? ଆସନ୍ତୁ ଜାଣିବା…
ବ୍ରହ୍ମପୁତ୍ର ନଦୀ କୂଳରେ ଥିବା ଆସାମର ଏହି ଛୋଟ ଗାଁ ମାୟଙ୍ଗ ଶତାବ୍ଦୀ ଧରି ରହସ୍ୟରେ ଘେରି ରହିଛି। ଗୌହାଟୀଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଏହି ସ୍ଥାନ ଆଜି ଦେଶ-ବିଦେଶର ଗବେଷକ, ଇତିହାସବିଦ୍ ଓ ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ର।
ମାୟଙ୍ଗ ନାମକୁ ନେଇ ମଧ୍ୟ ଅନେକ କାହାଣୀ ରହିଛି। କେହି କହନ୍ତି ଏହା ସଂସ୍କୃତ ଶବ୍ଦ ‘ମାୟା’ରୁ ଆସିଛି, ଯାହାର ଅର୍ଥ ହେଉଛି ଭ୍ରମ ବା ଅଲୌକିକ ଶକ୍ତି। ଆଉ ସ୍ଥାନୀୟ ଜନଜାତିଙ୍କ ମତରେ, ‘ମିୟୋଙ୍ଗ’ର ଅର୍ଥ ହାତୀ। ଏକଦା ଏହି ଅଞ୍ଚଳ ଜଙ୍ଗଲୀ ହାତୀଙ୍କ ବିଚରଣ କ୍ଷେତ୍ର ଥିବାରୁ ଏହି ନାମ ପଡ଼ିଥିବା କୁହାଯାଏ।
ସ୍ଥାନୀୟ ଲୋକକଥା ଅନୁଯାୟୀ, ମହାଭାରତର ବୀର ଘଟୋତ୍କଚଙ୍କ ସହ ମଧ୍ୟ ଏହି ଅଞ୍ଚଳର ସମ୍ପର୍କ ରହିଛି । କିଛି କିମ୍ବଦନ୍ତୀରେ ତାଙ୍କୁ ମାୟଙ୍ଗର ପ୍ରାଚୀନ ଶାସକ ବୋଲି ମଧ୍ୟ ବର୍ଣ୍ଣନା କରାଯାଇଛି। ତେବେ ଏହାର ଐତିହାସିକ ପ୍ରମାଣ ସୀମିତ।
ଏକ ସମୟରେ ମାୟଙ୍ଗ ତନ୍ତ୍ର ସାଧନା ଓ ପାରମ୍ପରିକ ଚିକିତ୍ସାର ବଡ଼ କେନ୍ଦ୍ର ଥିଲା। ଏଠାର ଓଝା ଓ ତାନ୍ତ୍ରିକମାନେ ଔଷଧୀୟ ଗଛ, ମନ୍ତ୍ର ଓ ଲୋକଜ୍ଞାନ ମାଧ୍ୟମରେ ବିଭିନ୍ନ ରୋଗର ଚିକିତ୍ସା କରୁଥିଲେ। ସାପ କାମୁଡ଼ାଠାରୁ ଆରମ୍ଭ କରି ଜ୍ୱର ପର୍ଯ୍ୟନ୍ତ ଅନେକ ରୋଗୀ ଏଠାକୁ ଆସୁଥିଲେ ବୋଲି ସ୍ଥାନୀୟ ଲୋକ କହନ୍ତି।
ମାୟଙ୍ଗର ସବୁଠାରୁ ବଡ଼ ପରିଚୟ ହେଉଛି ଏଠାରେ ସଂରକ୍ଷିତ ପ୍ରାଚୀନ ତାନ୍ତ୍ରିକ ପାଣ୍ଡୁଲିପି। ସଂସ୍କୃତ, ଆସାମୀୟ ସମେତ ବିଭିନ୍ନ ପ୍ରାଚୀନ ଭାଷାରେ ଲେଖାଯାଇଥିବା ଏହି ପାଣ୍ଡୁଲିପିରେ ମନ୍ତ୍ର, ଚିକିତ୍ସା ପଦ୍ଧତି ଓ ତନ୍ତ୍ର ସାଧନା ସମ୍ପର୍କିତ ବିବରଣୀ ମିଳେ। ଆଜି ବି ମାୟଙ୍ଗ ସଂଗ୍ରହାଳୟରେ ଏହି ଦୁର୍ଲଭ ପାଣ୍ଡୁଲିପି ଓ ଐତିହାସିକ ସାମଗ୍ରୀ ସୁରକ୍ଷିତ ରହିଛି।
ସ୍ଥାନୀୟ ଲୋକକଥାରେ ମାୟଙ୍ଗର ଜଙ୍ଗଲ, ଗୁମ୍ଫା ଓ ଗୁପ୍ତ ସାଧନା ସ୍ଥଳକୁ ନେଇ ଅନେକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। ତେବେ ଇତିହାସବିଦମାନଙ୍କ ମତରେ, ଏହି ସବୁ ଦାବିର ଅଧିକାଂଶ ଲୋକକଥା ଓ ଜନଶ୍ରୁତି ଉପରେ ଆଧାରିତ, ଯାହାର ପ୍ରମାଣ ସୀମିତ।
ନରବଳିକୁ ନେଇ ମଧ୍ୟ ମାୟଙ୍ଗର ଅନେକ କାହାଣୀ ରହିଛି। କିନ୍ତୁ ଇତିହାସବିଦମାନେ କହନ୍ତି, ଏଭଳି କାହାଣୀର ପ୍ରମାଣ ଅତ୍ୟନ୍ତ କମ୍ ଏବଂ ସମୟ ସହିତ ଏଥିରେ ଅନେକ ଅତିରଞ୍ଜିତ ତଥ୍ୟ ଯୋଡ଼ି ହୋଇଛି। ବର୍ତ୍ତମାନ ସମୟରେ ଏଭଳି କୌଣସି ପ୍ରଥାର ଅସ୍ତିତ୍ୱ ନାହିଁ।
ଆଜି ମାୟଙ୍ଗ କେବଳ ତନ୍ତ୍ର-ମନ୍ତ୍ରର କାହାଣୀ ପାଇଁ ନୁହେଁ, ବରଂ ଆସାମର ସମୃଦ୍ଧ ସଂସ୍କୃତି, ପ୍ରକୃତି ଓ ଐତିହ୍ୟ ପାଇଁ ମଧ୍ୟ ପରିଚିତ। ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏହି ରହସ୍ୟମୟ ଗାଁକୁ ଆସି ଇତିହାସ ଓ ଲୋକବିଶ୍ୱାସର ଏହି ଅନନ୍ୟ ସଙ୍ଗମକୁ ଅନୁଭବ କରନ୍ତି। ରହସ୍ୟ, ଇତିହାସ, ଲୋକବିଶ୍ୱାସ ଓ ସଂସ୍କୃତିର ଅଦ୍ଭୁତ ମିଶ୍ରଣ… ମାୟଙ୍ଗକୁ ଆଜି ବି ଭାରତର ସବୁଠାରୁ ରହସ୍ୟମୟ ସ୍ଥାନମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ପରିଚୟ ଦେଇଛି।
