ଭୁବନେଶ୍ୱର: ମହାନଦୀ ଜଳ ବିବାଦ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଏକ ବୃହତ ତଥା ଦୀର୍ଘ ଦିନର ନଦୀ ଜଳ ବଣ୍ଟନ ସମସ୍ୟା। ଏହି ପ୍ରସଙ୍ଗରେ ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଶେଷ ହୋଇଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ମହାନଦୀ ଜଳ ବଣ୍ଟନ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ଜୁଲାଇ ୧୧ରେ ହେବ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି। ସୂଚନା ଅନୁଯାୟୀ, ମହାନଦୀ ଜଳ ବଣ୍ଟନକୁ ନେଇ କିଛି ପ୍ରସଙ୍ଗରେ ଉଭୟ ରାଜ୍ୟ ମଧ୍ୟରେ ସହମତି ହୋଇଥିବାବେଳେ, ବାକି ଥିବା ପ୍ରସଙ୍ଗଗୁଡ଼ିକ ଉପରେ ଟ୍ରିବ୍ୟୁନାଲ ଅଗ୍ରଗତିର ସମୀକ୍ଷା କରିଛନ୍ତି।
୧୧ ତାରିଖ ପୂର୍ବରୁ ବସିବ ଛତିଶଗଡ଼- ଓଡ଼ିଶା ସଚିବସ୍ତରୀୟ ବୈଠକ। ବର୍ତ୍ତମାନ ସୁଦ୍ଧା ୨୦ ଥର ବସିଲାଣି ବୈଷୟିକ କମିଟିର ବୈଠକ। ଜଳରାଶି ବଣ୍ଟନ ନେଇ ହେଉଛି ଆଲୋଚନା। ସହମତି ଭିତରେ ସମାଧାନ ଲାଗି ଟ୍ରିବ୍ୟୁନାଲଙ୍କ ଗୁରୁତ୍ବ। ଆଜିର ଶୁଣାଣିରେ ଓଡ଼ିଶା ତରଫରୁ ଆଡ୍ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ୟ୍ୟ ପକ୍ଷ ରଖିଥିଲେ। ଛତିଶଗଡ଼ ପକ୍ଷରୁ ଏଜି ବିବେକ ଶର୍ମା ପକ୍ଷ ରଖିଥିଲେ। ଏଠାରେ କହିରଖୁଛୁ ଯେ ଉପରମୁଣ୍ଡରେ ଛତିଶଗଡ଼ର ଏକପାଖିଆ ନିର୍ମାଣ ଏବଂ ଓଡ଼ିଶାକୁ ଆବଶ୍ୟକ ଜଳ ନ ମିଳିବା ଏହି ବିବାଦର ମୁଖ୍ୟ କାରଣ।
