ବ୍ୟାଙ୍କରୁ ଆସିଥିଲା ବିଡ଼ା ବିଡ଼ା ନୋଟ୍, ପଛେ ପଛେ ମାଡ଼ିବସିଲା ଭିଜିଲାନ୍ସ; ଜାଣନ୍ତୁ କେଉଁଠି ଚାଲିଥିଲା ଏହି କଳା କାରନାମା
ସମ୍ବଲପୁର: ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଥିବା ଏକ ବଡ଼ ଅନୁଷ୍ଠାନରେ ଭିତରେ ଭିତରେ ଚାଲିଥିଲା କି କଳା କାରନାମା? ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ରାତାରାତି ମାଲାମାଲ୍ ହୋଇଥିଲେ ଦୁଇ ବଡ଼ ବାବୁ। କିନ୍ତୁ ବେଆଇନ ଉପାୟରେ ଉପାର୍ଜିତ ଧନ ବେଶୀ ଦିନ ଲୁଚି ରହିପାରିଲାନି। ମଙ୍ଗଳବାର ସକାଳୁ ସକାଳୁ ସମ୍ବଲପୁର ସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମ୍ସାର) ର ଦୁଇ ଜଣ ପ୍ରଭାବଶାଳୀ କର୍ମଚାରୀଙ୍କ ଘରେ ଅତର୍କିତ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ ବିଭାଗ। ଯେଉଁ ପରିମାଣର ସମ୍ପତ୍ତି ସାମ୍ନାକୁ ଆସୁଛି, ତାହା ଦେଖି ଖୋଦ୍ ତଦନ୍ତକାରୀ ଦଳ ମଧ୍ୟ ତାଜୁବ୍ ହୋଇଯାଇଛନ୍ତି।
ସୂଚନା ଅନୁଯାୟୀ, ଭିମ୍ସାର୍ର ଏଷ୍ଟାବ୍ଲିସମେଣ୍ଟ ଅଫିସର (ପ୍ରତିଷ୍ଠାନ ଅଧିକାରୀ) ଧନୁର୍ଦ୍ଧର ବିଶ୍ୱାଳ ଏବଂ ଷ୍ଟିୱାର୍ଡ ଅଶ୍ୱିନୀ ମେହେରଙ୍କ ନାମରେ ଦୀର୍ଘ ଦିନ ଧରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା। ଏହି ତଥ୍ୟକୁ ଭିତ୍ତି କରି ସମ୍ବଲପୁରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ଏକକାଳୀନ ଏକାଧିକ ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି।
ଏହି ସ୍ପେଶାଲ୍ ଅପରେସନରେ ଭିଜିଲାନ୍ସର ଏକ ବିଶାଳ ଟିମ୍ ସାମିଲ ଅଛନ୍ତି। ଯେଉଁଥିରେ ୫ ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟର ଏବଂ ୩ ଜଣ ଏଏସ୍ଆଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଖବର ଲେଖାହେବା ସୁଦ୍ଧା ଧନୁର୍ଦ୍ଧର ବିଶ୍ୱାଳଙ୍କର ଧନୁପାଲି ସ୍ଥିତ ଦୁଇ ମହଲା କୋଠା, ଗୁଡେସିଂହାରେ ଥିବା ଆଉ ଏକ ଘର, ଭିମ୍ସାର୍ ମେଡିକାଲ ଷ୍ଟାଫ୍ କଲୋନୀରେ ଥିବା ସରକାରୀ କ୍ୱାର୍ଟର୍ସ ଏବଂ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କ ଚାମ୍ବର ସମେତ ମୋଟ ୪ଟି ସ୍ଥାନରେ ଛାନ୍ଭିନ୍ ଚାଲିଛି। ସେହିପରି ଅଶ୍ୱିନୀ ମେହେରଙ୍କ ବାସଭବନକୁ ମିଶାଇ ମୋଟ ୫ଟି ସ୍ଥାନରେ ରେଡ୍ ଜାରି ରହିଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଚଢ଼ାଉ ବେଳେ ଧନୁର୍ଦ୍ଧର ବିଶ୍ୱାଳଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ଏବଂ ବହୁ ମୂଲ୍ୟବାନ ସୁନା, ରୁପା ଅଳଙ୍କାର ଜବତ କରାଯାଇଛି। କୁହାଯାଉଛି ଯେ, ଏହି ଟଙ୍କା ରେଡ୍ ହେବାର କିଛି ସମୟ ପୂର୍ବରୁ ହିଁ ବ୍ୟାଙ୍କରୁ ଉଠାଯାଇଥିଲା। ତେବେ ଜବତ ହୋଇଥିବା ନଗଦ ଟଙ୍କା ଓ ଗହଣାର ପ୍ରକୃତ ମୂଲ୍ୟ କେତେ ତାହା ଏଯାଏଁ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।
ସନ୍ଧ୍ୟା ସୁଦ୍ଧା ଏହି ମାରାଥନ୍ ଚଢ଼ାଉର ଚୂଡ଼ାନ୍ତ ରିପୋର୍ଟ ଆସିବାର ସମ୍ଭାବନା ରହିଛି। ଗୋଟିଏ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ହୋଇ ଏତେ ପରିମାଣର ସମ୍ପତ୍ତି ସେମାନେ କେଉଁଠୁ ଆଣିଲେ, ତାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭିଜିଲାନ୍ସର ଖୋଳତାଡ଼ ସରିବା ପରେ ହିଁ ଏହି କଳାଧନର ପ୍ରକୃତ ଗୁମର ଫିଟିବ ବୋଲି ଆଶା କରାଯାଉଛି।
