ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଯାତାୟାତ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଖୁବଶୀଘ୍ର ଏକ ନୂଆ ଅଧ୍ୟାୟ ଯୋଡ଼ିହେବାକୁ ଯାଉଛି। ଘଣ୍ଟା ଘଣ୍ଟାର ଲମ୍ବା ଯାତ୍ରା ଏଣିକି ଅଳ୍ପ ସମୟ ମଧ୍ୟରେ ଶେଷ ହେବ। କାରଣ ବରଗଡ଼, ସମ୍ବଲପୁର ଏବଂ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ସିଧାସଳଖ ଯୋଡ଼ିବା ପାଇଁ ଏକ ଅତ୍ୟାଧୁନିକ ‘ଏଲିଭେଟେଡ୍ ରାପିଡ୍ ଟ୍ରାନ୍ସପୋର୍ଟ କରିଡର୍’ ନିର୍ମାଣ ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ମେଗା ପ୍ରୋଜେକ୍ଟର ସମ୍ଭାବ୍ୟ ରୂପରେଖ ଉପରେ ତର୍ଜମା ଆରମ୍ଭ ହୋଇଯାଇଛି।
ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପର ପ୍ରସ୍ତାବ ସମ୍ବଲପୁରର ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତାଙ୍କ ଦ୍ୱାରା ଚଳିତ ବର୍ଷ ଫେବୃଆରୀ ମାସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପ୍ରିଲ ୬ ତାରିଖରେ ଏହି ପ୍ରସ୍ତାବ ଉପରେ ବିଚାର କରି ଉପଯୁକ୍ତ ପଦକ୍ଷେପ ନେବାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବାଣିଜ୍ୟ ଏବଂ ପରିବହନ ବିଭାଗ ହୋଇ ବର୍ତ୍ତମାନ ଏହି ଦସ୍ତାବିଜ୍ ଗୃହ ଓ ନଗର ଉନ୍ନୟନ ବିଭାଗ ହାତରେ ପହଞ୍ଚିଛି। ପ୍ରକଳ୍ପର ବୈଷୟିକ ଦିଗ ଏବଂ କାର୍ଯ୍ୟକାରିତା ଅନୁଧ୍ୟାନ କରିବା ପାଇଁ ବିଭାଗ ପକ୍ଷରୁ ‘କ୍ରୁଟ୍’ ଏବଂ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ ଲିମିଟେଡକୁ ଦାୟିତ୍ୱ ଦିଆଯାଇଛି।
ଯଦି ଏହି ଯୋଜନା ବାସ୍ତବ ରୂପ ନିଏ, ତେବେ ପଶ୍ଚିମ ଓଡ଼ିଶାର ଏକାଧିକ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶିଳ୍ପାନୁଷ୍ଠାନ ଗୋଟିଏ ସୂତାରେ ବାନ୍ଧି ହୋଇଯିବେ। ଏହି ରାପିଡ୍ ଟ୍ରାନ୍ସପୋର୍ଟ କରିଡର୍ ବରଗଡ଼ରୁ ବାହାରି ଗୋଶାଳା, ଜ୍ୟୋତି ବିହାର (ସମ୍ବଲପୁର ବିଶ୍ୱବିଦ୍ୟାଳୟ), ବୁର୍ଲା ଭିମ୍ସାର, ଭିସୁଟ, ସମ୍ବଲପୁର ସହର, ଜମାଦାରପାଲି ଏୟାରଷ୍ଟ୍ରିପ୍, ରେଙ୍ଗାଲି ଦେଇ ଶେଷରେ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବ। ଫଳରେ ଆଇଆଇଏମ୍-ସମ୍ବଲପୁର, ଓୟୁଏଟି କୃଷି ମହାବିଦ୍ୟାଳୟ, ସିଆରପିଏଫ୍ ଗ୍ରୁପ୍ ସେଣ୍ଟର ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଭଳି ପ୍ରାୟ ୧୦ଟି ବଡ଼ ଅନୁଷ୍ଠାନକୁ ଗମନାଗମନ ସୁବିଧାଜନକ ହୋଇପାରିବ।
ଏହି ଅତ୍ୟାଧୁନିକ ପରିବହନ ବ୍ୟବସ୍ଥା ଦ୍ୱାରା ଟ୍ରାଫିକ୍ ସମସ୍ୟା ଦୂର ହେବା ସହ ଯାତ୍ରା ସମୟ ବହୁମାତ୍ରାରେ କମିଯିବ। କେବଳ ସେତିକି ନୁହେଁ, ପୂର୍ବତନ ସାଂସଦ ହୋତାଙ୍କ ମତରେ, ଜରୁରୀକାଳୀନ ପରିସ୍ଥିତିରେ ଦେଶର ବଡ଼ ବଡ଼ ବିଶେଷଜ୍ଞ ଡାକ୍ତରମାନେ ତୁରନ୍ତ ଭିମ୍ସାର୍ରେ ପହଞ୍ଚି ରୋଗୀ ସେବା କରିପାରିବେ। ଏହାବ୍ୟତୀତ ଶିକ୍ଷାବିତ୍ ଓ ଗବେଷକମାନେ ଅତି ସହଜରେ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ପହଞ୍ଚି ପାରିବେ, ଯାହା ଅଞ୍ଚଳର ଅର୍ଥନୈତିକ ଏବଂ ଶୈକ୍ଷିକ ବିକାଶରେ ଏକ ବଡ଼ ଭୂମିକା ଗ୍ରହଣ କରିବ। ଏବେ କେବଳ ବିଶେଷଜ୍ଞ କମିଟିର ଫିଜିବିଲିଟି (ସମ୍ଭାବ୍ୟ) ରିପୋର୍ଟକୁ ଅପେକ୍ଷା କରାଯାଇଛି।
