ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଏବଂ ପ୍ରଧାନମନ୍ତ୍ରୀ ଶରିଫଙ୍କୁ ଚିଠି ଲେଖିଲେ ୧୧୭ ବିଶିଷ୍ଟ ବ୍ୟକ୍ତି
“ଯୁଦ୍ଧ ନୁହେଁ… ପରସ୍ପର ସହ କଥାବାର୍ତ୍ତା କରନ୍ତୁ…”
ଗୋଟେପଟେ ସୀମାରେ ଛକାଛକି, ଅନ୍ୟପଟେ ଆତଙ୍କବାଦକୁ ନେଇ ଭାରତର କଠୋର ଆଭିମୁଖ୍ୟ…ବଢୁଛି ପାକିସ୍ତାନ-ଭାରତ ମଧ୍ୟରେ ତିକ୍ତତା । ଦିନେ ଗୋଟିଏ ମାଟି ମା’ର ସନ୍ତାନ ଥିବା ଏହି ଦୁଇ ପଡୋଶୀ ଦେଶ ଏବେ ପରସ୍ପରର କଟ୍ଟର ଦୁସମନ୍ । ଏହାରି ଭିତରେ ସମ୍ପର୍କରେ ସୁଧାର ଆଣିବା ପାଇଁ ଭାରତ ଓ ପାକିସ୍ତାନର ୧୧୭ ଜଣ ବିଶିଷ୍ଟ ବ୍ୟକ୍ତି ଦେଇଛନ୍ତି ଏକ ବଡ଼ ଡାକରା । ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କୁ ଖୋଲା ଚିଠି ଲେଖି କହିଛନ୍ତି, ଏବେ ଯୁଦ୍ଧ ନୁହେଁ, ଆଲୋଚନା ହିଁ ସମାଧାନର ବାଟ।
ସେଣ୍ଟର ଫର୍ ପିସ୍ ଆଣ୍ଡ ପ୍ରୋଗ୍ରେସ୍(Centre for Peace and Progress) ପକ୍ଷରୁ ଜାରି ହୋଇଥିବା ଏହି ଖୋଲା ଚିଠିରେ ୧୧୭ ଜଣ ସାଇନ୍ କରିଛନ୍ତି । ଯେଉଁଥିରେ ୬୧ ଜଣ ଭାରତର ବିଶିଷ୍ଟ ବ୍ୟକ୍ତି ଥିବା ବେଳେ ୫୬ ଜଣ ପାକିସ୍ତାନର ବିଶିଷ୍ଟ ବ୍ୟକ୍ତି ରହିଛନ୍ତି । ଭାରତ ପକ୍ଷରୁ କଂଗ୍ରେସ ନେତା ମଣିଶଙ୍କର ଆୟର, ଫାରୁକ୍ ଅବଦୁଲ୍ଲା, ମେହବୁବା ମୁଫ୍ତି, ମିରୱାଇଜ୍ ଉମର ଫାରୁକ୍, ଆରଜେଡି ସାଂସଦ ମନୋଜ ଝାଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଏହି ଆବେଦନରେ ସହମତି ଦେଇଛନ୍ତି । ସେହିପରି ପାକିସ୍ତାନ ପକ୍ଷରୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ଖୁର୍ଶିଦ ମହମୁଦ କାସୁରୀ, ପୂର୍ବତନ କୂଟନୀତିଜ୍ଞ ଆଶରଫ ଜାହାଙ୍ଗିର କାଜି ଏବଂ ପରମାଣୁ ବୈଜ୍ଞାନିକ ପରଭେଜ ହୁଡଭୋୟ ମଧ୍ୟ ସାମିଲ ଅଛନ୍ତି।
ଚିଠିରେ ଦୁଇ ଦେଶ ମଧ୍ୟରେ ପୂର୍ଣ୍ଣ କୂଟନୈତିକ ସମ୍ପର୍କ ପୁନଃସ୍ଥାପନ, ନୂଆଦିଲ୍ଲୀ ଓ ଇସଲାମାବାଦରେ ହାଇ କମିଶନର ନିଯୁକ୍ତି, ସାଧାରଣ ଭିସା ସେବା ପୁନଃ ଆରମ୍ଭ, ବ୍ୟବସାୟ ଓ ଯାତାୟାତ ପାଇଁ ଅଟାରୀ-ୱାଘା ସୀମା ଖୋଲିବା, ଶ୍ରୀନଗର-ମୁଜାଫରାବାଦ ବସ୍ ସେବା ପୁନରୁଦ୍ଧାର ଏବଂ କରତାରପୁର ସାହିବ କରିଡରକୁ ପୂର୍ଣ୍ଣ ଭାବେ ସକ୍ରିୟ କରିବା ଭଳି ଦାବି କରାଯାଇଛି। ଏହା ସହ ପାକିସ୍ତାନର ନୀଲମ ଭ୍ୟାଲିର ଶାରଦା ପୀଠକୁ କାଶ୍ମୀରୀ ପଣ୍ଡିତମାନଙ୍କ ସହଜ ଯାତ୍ରା ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି।
ଚିଠିରେ କୁହାଯାଇଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କର ମତ ଅନୁସାରେ, ଭାରତ ଓ ପାକିସ୍ତାନ ମିଶି ବିଶ୍ୱର ପ୍ରାୟ ଏକ ପଞ୍ଚମାଂଶ ଜନସଂଖ୍ୟାର ଘର। ହେଲେ ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ତୁତୁମେମେ ଏବଂ ଦୀର୍ଘ ଦିନର ଶତ୍ରୁତା ଯୁବପିଢ଼ିଙ୍କ ଠାରୁ ସେମାନଙ୍କର ସୁଯୋଗ, ସମୃଦ୍ଧି ଓ ସୁରକ୍ଷିତ ଭବିଷ୍ୟତ ଛଡ଼ାଇ ନେଉଛି। ସେଥିପାଇଁ ଜମ୍ମୁ-କାଶ୍ମୀର ସମେତ ସମସ୍ତ ଅମୀମାଂସିତ ପ୍ରସଙ୍ଗରେ ବ୍ୟାପକ ଦ୍ୱିପାକ୍ଷିକ ଆଲୋଚନା, ୨୦୦୪-୨୦୦୭ ଆଲୋଚନା ଢାଞ୍ଚାର ପୁନଃବିଚାର, ସାମରିକ ଉତ୍ତେଜନା ହ୍ରାସ ଏବଂ ପରସ୍ପରର ସୁରକ୍ଷା ଚିନ୍ତାକୁ ସମ୍ମାନ ଦେବାକୁ ଚିଠିରେ ପରାମର୍ଶ ଦିଆଯାଇଛି।
ତେବେ ଏହି ଆବେଦନ ଏମିତି ସମୟରେ ଆସିଛି, ଯେତେବେଳେ ଅପରେସନ୍ ସିନ୍ଦୂର ପରେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି, “ଆତଙ୍କବାଦ ଓ ଆଲୋଚନା ଏକାସାଙ୍ଗରେ ଚାଲିପାରିବ ନାହିଁ। ଆତଙ୍କବାଦ ଓ ବ୍ୟବସାୟ ମଧ୍ୟ ଏକାସାଙ୍ଗରେ ଚାଲିପାରିବ ନାହିଁ।” ନୂଆଦିଲ୍ଲୀ ବାରମ୍ବାର ଦୋହରାଇଛି, ସୀମାପାର ଆତଙ୍କବାଦ ବନ୍ଦ ହେବା ପରେ ହିଁ ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାରର ସମ୍ଭାବନା ରହିଛି।
ତେବେ ଏହି ଚିଠି କୌଣସି ରାଜନୈତିକ ପକ୍ଷକୁ ସମର୍ଥନ କରୁନାହିଁ ବୋଲି ସ୍ପଷ୍ଟ କରାଯାଇଛି । ବରଂ ଏହା ପ୍ରାୟ ୨ ବିଲିୟନ ଲୋକଙ୍କ ଭବିଷ୍ୟତକୁ ସଂଘର୍ଷ ନୁହେଁ, ଶାନ୍ତି, ସହଯୋଗ ଓ ସାମୂହିକ ବିକାଶର ପଥରେ ଆଗେଇ ନେବାକୁ ଏକ ଆବେଦନ ବୋଲି କୁହାଯାଇଛି । ଯାହାପରେ ଏବେ ନଜର ରହିବ, ଏହି ଶାନ୍ତି ବାର୍ତ୍ତା ଉପରେ ନୂଆଦିଲ୍ଲୀ ଓ ଇସଲାମାବାଦ କିପରି ପ୍ରତିକ୍ରିୟା ଦେଉଛନ୍ତି।
