Latest Odisha News

BREAKING NEWS

Senior Citizen Pilgrimage Scheme: ମାଗଣା ତୀର୍ଥଯାତ୍ରା ଟ୍ରେନ୍‌ରେ ଗଲେ ୭୭୫ ଜଣ;ଆର୍ଥିକ ଦୁର୍ବଳ ବରିଷ୍ଠ ନାଗରିକ ପାଇଁ ବନ୍ଦୋବସ୍ତ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର:ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନରୁ ଆଜି ୭୭୫ ଜଣ ବରିଷ୍ଠ ନାଗରିକ ବାରଣାସୀ ଓ ଅଯୋଧ୍ୟା ତୀର୍ଥ ଯାତ୍ରାରେ ଗଲେ । ଭୁବନେଶ୍ୱର ପଟିଆ ନିୟୁ ରେଳ ଷ୍ଟେସନରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଯାତ୍ରା ଆରମ୍ଭ ବେଳେ ପର୍ଯ୍ୟଟନ ମନ୍ତ୍ରୀ ସମ୍ପଦ ସ୍ବାଇଁ ଉପସ୍ଥିତ ଥିଲେ ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟରେ ପୁରୀ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କର ବାରଣାସୀ-ଅଯୋଧ୍ୟା ଟ୍ରେନ୍‌ର ଶୁଭାରମ୍ଭ କରି ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ପ୍ରଭୁ ଲିଙ୍ଗରାଜଙ୍କ ପୀଠରୁ କାଶୀ ବିଶ୍ୱନାଥ ଓ ଅଯୋଧ୍ୟା ପୀଠକୁ ଏହି ଯାତ୍ରା ସଫଳ ହେଉ । ଏହି ଯାତ୍ରା ଦ୍ୱାରା ବରିଷ୍ଠ ନାଗରିକମାନେ ଗଙ୍ଗା ଆଳତି, କାଶୀ ବିଶ୍ୱନାଥ ଦର୍ଶନ ଓ ଶ୍ରୀରାମଲାଲାଙ୍କ ସାନିଦ୍ଧ ଲାଭ କରିପାରିବେ । ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ଜିଲ୍ଲାର ବରିଷ୍ଠ ନାଗରିକମାନେ ଦେଶର ବିଭିନ୍ନ ତୀର୍ଥସ୍ଥାନ ଯାତ୍ରା କରିବାର ସୌଭାଗ୍ୟ ହାସଲ କରିବା ସହ ସେହି ସ୍ଥାନର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଗୁରୁତ୍ୱ ସମ୍ପର୍କରେ ଜାଣିପାରିବେ ବୋଲି ସେ ଉଲ୍ଲେଖ କରିଛନ୍ତି ।

ଏହି ପ୍ରଥମ ପର୍ଯ୍ୟାୟ ବରିଷ୍ଠ ତୀର୍ଥଯାତ୍ରାରେ ଖୋର୍ଦ୍ଧା ଜିଲ୍ଲାର ୧୬୯ ଜଣ, ଜଗତସିଂହପୁର ଜିଲ୍ଲାର ୮୫, କଟକ ଜିଲ୍ଲାର ୧୯୭, ପୁରୀରୁ ୧୨୭, କେନ୍ଦ୍ରାପଡ଼ାରୁ ୧୦୮ ଓ ଢେଙ୍କାନାଳ ଜିଲ୍ଲାର ୮୯ ଜଣଙ୍କୁ ମିଶାଇ ମୋଟ ୭୭୫ ଜଣ ବରିଷ୍ଠ ନାଗରିକ ଓ ସେମାନଙ୍କର ଭଲମନ୍ଦ ବୁଝିବା ପାଇଁ ୨୫ ଜଣ ଅଧିକାରୀ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩୩୩ ଜଣ ମହିଳା ଓ ୪୩୨ ଜଣ ପୁରୁଷ ଅଛନ୍ତି ।

ଏହି ଅବସରରେ ପର୍ଯ୍ୟଟକମାନଙ୍କୁ ପ୍ରତୀକାତ୍ମକ ଭାବେ ରେଲ୍ୱେ ଟିକେଟ୍‌ ଓ କିଟ୍‌ ବ୍ୟାଗ୍‌ ପ୍ରଦାନ କରାଯାଇଥିଲା ।

ସୂଚନାଯୋଗ୍ୟଯେ, ୨୦୨୬-୨୭ ବର୍ଷରେ ମୋଟ ୧୦ ଟି ପର୍ଯ୍ୟାୟରେ ୮,୦୦୦ ବରିଷ୍ଠ ନାଗରିକ ଅଯୋଧ୍ୟା, ବାରାଣାସୀ, ହରିଦ୍ୱାର, ଋଷିକେଶ, ରାମେଶ୍ୱରମ ଓ ମଦୁରାଇ ଭ୍ରମଣ କରିବେ।

Leave A Reply

Your email address will not be published.