କେନ୍ଦୁଝର: ତାମିଲନାଡୁର ଏକ କାରଖାନାରେ ଗତ ଜୁନ୍ ୨୧ ତାରିଖରେ ଘଟିଥିବା ଭୟାବହ ଗ୍ୟାସ ଲିକ୍ ଦୁର୍ଘଟଣାରେ ୧୩ ଜଣ ନିରୀହ ଶ୍ରମିକଙ୍କ ଜୀବନ ଯିବା ପରେ ରାଜ୍ୟ ପ୍ରଶାସନ ଏବେ ତତ୍ପର ହୋଇଉଠିଛି। ଏହି ହୃଦୟବିଦାରକ ଘଟଣାରେ ମୃତକଙ୍କ ମଧ୍ୟରେ ୬ ଜଣ ନାବାଳକ ଥିବାବେଳେ, ଏବେ ଓଡ଼ିଶାର ଶ୍ରମ ବିଭାଗ ବେଆଇନ ଦାଦନ ଶ୍ରମିକ ଚାଲାଣ କରୁଥିବା ଦଲାଲଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ମିଥ୍ୟା ପ୍ରତିଶ୍ରୁତି ଦେଇ କେନ୍ଦୁଝର ଜିଲ୍ଲାରୁ ଜୁଆଙ୍ଗ ସମ୍ପ୍ରଦାୟର ଆଦିବାସୀ ଶ୍ରମିକମାନଙ୍କୁ ତାମିଲନାଡୁ ପଠାଇଥିବା ମୁଖ୍ୟ ଅଭିଯୁକ୍ତ ତଥା ଦଲାଲ ଶ୍ରୀକାନ୍ତ ଜୁଆଙ୍ଗଙ୍କ ବିରୋଧରେ ବିଭିନ୍ନ ଥାନାରେ ଏଫ୍ଆଇଆର୍ ରୁଜୁ ହୋଇଛି।
ଆକର୍ଷଣୀୟ ଦରମା ଓ ଉତ୍ତମ ସୁବିଧା ସୁଯୋଗର ଲୋଭ ଦେଖାଇ ଗରିବ ଆଦିବାସୀ ଶ୍ରମିକମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରୁଥିବା ଅଭିଯୋଗରେ ଦଲାଲ ଶ୍ରୀକାନ୍ତଙ୍କ ବିରୋଧରେ ଶ୍ରମ ବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲାର ୬ଟି ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବିଶେଷ କରି ତେଲକୋଇ ଥାନାରେ ତାଙ୍କ ନାମରେ ଏକ ସ୍ୱତନ୍ତ୍ର ମାମଲା ରୁଜୁ କରାଯାଇଛି। ଶ୍ରମ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ଶ୍ରୀକାନ୍ତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ ଆଇନ ଅନୁଯାୟୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।
କେନ୍ଦୁଝରର ଅତିରିକ୍ତ ଶ୍ରମ କମିଶନର ସୂର୍ଯ୍ୟ ନାରାୟଣ ମାଳି ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, “ପ୍ରଶାସନିକ ସମନ୍ୱୟ ରକ୍ଷା କରାଯାଇ ଇତିମଧ୍ୟରେ ତାମିଲନାଡୁରୁ ୫୮ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ନିଜ ଜିଲ୍ଲାକୁ ଫେରାଇ ଆଣିବାରେ ଆମେ ସକ୍ଷମ ହୋଇଛୁ। ସେଠାରେ ଆହୁରି କିଛି ଶ୍ରମିକ ଚିକିତ୍ସାଧୀନ ଅଛନ୍ତି ଏବଂ ଆମର ଏକ ସ୍ୱତନ୍ତ୍ର ଟିମ୍ ସେମାନଙ୍କ ଉପରେ ନଜର ରଖିଛନ୍ତି। ସେମାନେ ମଧ୍ୟ ଖୁବଶୀଘ୍ର ଫେରିଆସିବେ।”
ସୂର୍ଯ୍ୟ ମାଳି ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସମ୍ପୃକ୍ତ କାରଖାନାର ବରିଷ୍ଠ ଅଧିକାରୀମାନଙ୍କୁ ପୋଲିସ ଗିରଫ କରିସାରିଛି। ତେବେ ମୁଖ୍ୟ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗ ଏବେ ଫେରାର ଅଛନ୍ତି। ସେ ଏକୁଟିଆ ହିଁ ଏତେ ସଂଖ୍ୟକ ଶ୍ରମିକଙ୍କୁ ପ୍ରଲୋଭିତ କରି ସେଠାକୁ ନେଇଥିବାରୁ, ସମ୍ପୃକ୍ତ ବ୍ଲକର ସହକାରୀ ଶ୍ରମ ଅଧିକାରୀ ମାନେ ନିଜ ନିଜ ଅଞ୍ଚଳର ଥାନାରେ ତାଙ୍କ ନାମରେ ଏତଲା ଦେଇଛନ୍ତି।
ଏହି ହୃଦୟବିଦାରକ ଦୁର୍ଘଟଣା ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ଅସାଧୁ ଦଲାଲମାନଙ୍କ ଦୌରାତ୍ମ୍ୟ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ବର୍ତ୍ତମାନ ସୁରକ୍ଷିତ ଭାବେ ଘରକୁ ଫେରିଥିବା ୫୮ ଜଣ ଶ୍ରମିକ ଯେପରି ଜୀବିକା ଅନ୍ୱେଷଣରେ ପୁଣିଥରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ନହୁଅନ୍ତି, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ଉପଯୁକ୍ତ ରୋଜଗାର ଯୋଗାଇଦେବାକୁ ପ୍ରୟାସ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ, ଶ୍ରମ ଆଇନର ଉଲ୍ଲଂଘନ କରୁଥିବା ଏବଂ ଗରିବ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ବେଆଇନ ଏଜେଣ୍ଟମାନଙ୍କ ବିରୋଧରେ ଏହି ଧରପଗଡ଼ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
