Latest Odisha News

BREAKING NEWS

ସଂସଦୀୟ କମିଟିର ବଡ଼ ସୁପାରିଶ: ଏମବିବିଏସ୍, ଆୟୁଷ ଓ ନର୍ସିଂ ପାଇଁ ହେଉ ଅଲଗା ଅଲଗା ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ: ନିଟ୍ (NEET-UG) ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷା ପରିଚାଳନାରେ ଅନିୟମିତତାକୁ ନେଇ ସାରା ଦେଶରେ ତୀବ୍ର ବିବାଦ ଲାଗି ରହିଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଦେଶର ଡାକ୍ତରୀ ଶିକ୍ଷା ବ୍ୟବସ୍ଥା ଏବଂ ପରୀକ୍ଷା ପ୍ରକ୍ରିୟାରେ ସୁଧାର ଆଣିବା ଲକ୍ଷ୍ୟରେ ସଂସଦୀୟ କମିଟି ଏକ ବଡ଼ ପ୍ରସ୍ତାବ ଦେଇଛି। ଏମବିବିଏସ୍ , ଆୟୁଷ ଏବଂ ନର୍ସିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଗୋଟିଏ ସାଧାରଣ ପ୍ରବେଶିକା ପରୀକ୍ଷା ପରିବର୍ତ୍ତେ ଭିନ୍ନ ଭିନ୍ନ ପରୀକ୍ଷା କରାଯାଉ ବୋଲି ଶିକ୍ଷା ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ସୁପାରିଶ କରିଛି।

 

କଂଗ୍ରେସ ସାଂସଦ ମୁକୁଲ ୱାସନିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କମିଟିର ବୈଠକରେ ପରୀକ୍ଷା ପରିଚାଳନାରେ ରହୁଥିବା ପ୍ରଶାସନିକ ତ୍ରୁଟି ଏବଂ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ୁଥିବା ମାନସିକ ଚାପକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବର୍ତ୍ତମାନ ଡାକ୍ତରୀ ଏବଂ ଆନୁଷଙ୍ଗିକ ପାଠ୍ୟକ୍ରମ ପାଇଁ କେବଳ ନିଟ୍ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଏକାଥରକେ ଲକ୍ଷ ଲକ୍ଷ ପିଲା ପରୀକ୍ଷା ଦେଉଛନ୍ତି, ଯାହାକି ପରିଚାଳନା କ୍ଷେତ୍ରରେ ଏକ ବିରାଟ ବୋଝ ବା ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ତେଣୁ ବିଭିନ୍ନ ପାଠ୍ୟକ୍ରମ ପାଇଁ ପୃଥକ ପରୀକ୍ଷା କରାଗଲେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ବାଣ୍ଟିହୋଇଯିବ ଏବଂ ପରୀକ୍ଷା ପରିଚାଳନା ବ୍ୟବସ୍ଥା ଅଧିକ ସ୍ୱଚ୍ଛ ତଥା ସୁଚାରୁ ରୂପେ ହୋଇପାରିବ ବୋଲି କମିଟିର ସଦସ୍ୟମାନେ ମତ ରଖିଛନ୍ତି।

 

ଦେଶବ୍ୟାପୀ ଗୋଟିଏ ଦିନରେ ଏତେ ବଡ଼ ପ୍ରବେଶିକା ପରୀକ୍ଷା ଆୟୋଜନ କରିବା କଷ୍ଟକର ହେଉଥିବାରୁ, ୟୁପିଏସସି ଢାଞ୍ଚାରେ ନିଟ୍ ପରୀକ୍ଷାକୁ ମଧ୍ୟ ଅଲଗା ଅଲଗା ରାଜ୍ୟରେ ଏକାଧିକ ପର୍ଯ୍ୟାୟରେ ଆୟୋଜନ କରିବା ପାଇଁ କମିଟି ପ୍ରସ୍ତାବ ଦେଇଛି। ଏଥିସହ ଆଗାମୀ ଦିନରେ ପ୍ରଶ୍ନପତ୍ର ଲିକ୍ ଆଶଙ୍କାକୁ ଦୂର କରିବା ପାଇଁ ଏହାକୁ ପେନ୍-ପେପର ବଦଳରେ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ମୋଡ୍‌ରେ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ତେବେ ଗ୍ରାମାଞ୍ଚଳ ତଥା ଦେଶର କୋଣ ଅନୁକୋଣରେ ଡିଜିଟାଲ୍ ଭିତ୍ତିଭୂମି ସମ୍ପୂର୍ଣ୍ଣ ସୁଦୃଢ଼ ହେବା ପରେ ହିଁ ଏହି ନିଷ୍ପତ୍ତି ଲାଗୁ କରିବାକୁ ସାଂସଦମାନେ ପରାମର୍ଶ ଦେଇଛନ୍ତି, ଯାହାଦ୍ୱାରା କୌଣସି ପରୀକ୍ଷାର୍ଥୀ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି।

 

ସଂସଦୀୟ କମିଟିର ଏହି ପ୍ରସ୍ତାବ ଉପରେ ଜାତୀୟ ପରୀକ୍ଷଣ ସଂସ୍ଥା ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ଏନଟିଏ ଅଧିକାରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନର ଆଡମିଶନ ନିୟମ ଅନୁସାରେ ଏମବିବିଏସ୍, ଆୟୁଷ ଓ ନର୍ସିଂ ପାଇଁ କେବଳ ନିଟ୍ ସ୍କୋରକୁ ହିଁ ମାନଦଣ୍ଡ ଭାବେ ଗ୍ରହଣ କରାଯାଉଛି। ତେଣୁ ତୁରନ୍ତ ଏଥିପାଇଁ ପୃଥକ ପରୀକ୍ଷା ଆୟୋଜନ କରିବା ପ୍ରାୟୋଗିକ ଭାବେ ସମ୍ଭବପର ନୁହେଁ। ଅନ୍ୟପକ୍ଷରେ ନିଟ୍‌କୁ ଏକାଧିକ ପର୍ଯ୍ୟାୟରେ କରିବା ପ୍ରସଙ୍ଗ ଉପରେ ନିଷ୍ପତ୍ତି କେବଳ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ (ନୋଡାଲ୍ ମନ୍ତ୍ରଣାଳୟ) ହିଁ ନେଇପାରିବ ବୋଲି ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି।

Leave A Reply

Your email address will not be published.