Latest Odisha News

BREAKING NEWS

କିଭ୍ ଉପରେ ଋଷର ସବୁଠୁ ବଡ଼ ଏୟାର ଷ୍ଟ୍ରାଇକ; ୧୫ରୁ ଅଧିକ ମୃତ, ୯୦ରୁ ଅଧିକ ଗୁରୁତର

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଉତ୍ତେଜନା ପୁଣିଥରେ ଏକ ଅତ୍ୟନ୍ତ ହିଂସାତ୍ମକ ସ୍ଥିତିରେ ପହଞ୍ଚିଛି । କିଭ୍ ଉପରେ ସବୁଠୁ ବଡ଼ ଏୟାର ଷ୍ଟ୍ରାଇକ କରିଛି ଋଷ । ଗୁରୁବାର ରାତିରେ, ଋଷ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଘାତକ ଡ୍ରୋନ୍ ବ୍ୟବହାର କରି ୟୁକ୍ରେନର ରାଜଧାନୀ କିଭ୍ ଉପରେ ଏକ ବଡ଼ ଆକ୍ରମଣ କରିଥିଲା । ଏହି ଆକ୍ରମଣ ସମଗ୍ର ରାଜଧାନୀକୁ ଥରାଇ ଦେଇଥିଲା ଏବଂ କିଛି ଘଣ୍ଟା ପର୍ଯ୍ୟନ୍ତ ଶକ୍ତିଶାଳୀ ବିସ୍ଫୋରଣ ପ୍ରତିଧ୍ୱନିତ ହୋଇଥିଲା ।

ସରକାରୀ ସଂଖ୍ୟା ଅନୁସାରେ, ଏହି ଆକ୍ରମଣରେ ଅତି କମରେ ୧୫ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୯୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଜେଲେନ୍ସକି କହିଛନ୍ତି ଯେ, ୟୁକ୍ରେନ ଉପରେ ଏହି ଆକ୍ରମଣରେ ରୁଷ ୭୦ ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା, ଯାହା ମଧ୍ୟରୁ ପ୍ରାୟ ଅଧା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଥିଲା । ଏହା ସହିତ, ସେମାନେ ପ୍ରାୟ ୫୦୦ ଡ୍ରୋନ୍ ସାହାଯ୍ୟରେ ମଧ୍ୟ ଆକ୍ରମଣ କରିଥିଲେ ।

ଆକ୍ରମଣ ଆରମ୍ଭ ହେବା ମାତ୍ରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏବଂ ଅନ୍ୟାନ୍ୟ ସ୍ଥାନୀୟ ଅଧିକାରୀମାନେ ଏକ ଚେତାବନୀ ଜାରି କରିଥିଲେ । ରୁଷିଆ କ୍ଷେପଣାସ୍ତ୍ର ଭୟରେ ହଜାର ହଜାର ନାଗରିକ ସହରର ବିଭିନ୍ନ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଥିଲେ । କିଭ୍ ମେୟର ଭିଟାଲି କ୍ଲିଟସ୍କୋ ଆକ୍ରମଣକୁ “ଶତ୍ରୁର ଭୀଷଣ ଆକ୍ରମଣ” ବୋଲି କହି ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଅପିଲ୍ କରିଥିଲେ ।

ଏହି ଏୟାର ଷ୍ଟ୍ରାଇକ ପ୍ରାୟ ୧୧ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏହାର ଦୃଢ଼ ଜବାବ ଦେବାକୁ ଚେତାବନୀ ଦେବା ସହ ଆନ୍ତର୍ଜାତୀୟ ସମୁଦାୟକୁ ଅଧିକ ସାମରିକ ସହାୟତା ପାଇଁ ଅପିଲ୍ କରିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.