Latest Odisha News

BREAKING NEWS

ଜେଲ୍‌ରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସହ ‘ମଉଜ’ ପରେ ଏବେ ସାମ୍ନାକୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ଭିଡିଓ

ରେଢାଖୋଲ: ସୁରକ୍ଷାର ବଳୟ ଭିତରେ ରହିବା କଥା ଯେଉଁ ଅପରାଧୀଙ୍କୁ, ସେମାନେ ଏବେ ଜେଲ୍ ବାହାରେ ଖୁଲମଖୁଲା ବୁଲୁଛନ୍ତି। କେବଳ ସେତିକି ନୁହେଁ, ଜେଲ୍ ଅଧିକାରୀଙ୍କ ଘରର ବାସନ ମଜାଠାରୁ ଆରମ୍ଭ କରି ଘରୋଇ କାମ କରୁଛନ୍ତି ଗୁରୁତର ଅପରାଧୀ। ଏଭଳି ଏକ ସାଂଘାତିକ ଅଭିଯୋଗ ଏବେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପ-କାରାଗାରକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

 

ମିଳିଥିବା ସୂଚନା ମୁତାବକ, ରେଢାଖୋଲ ଉପ-କାରାଗାରର ମୁଖ୍ୟ ୱାର୍ଡର ଦିଲୀପ କୁମାର ଦାସ ଏବଂ ଜେଲର ଲକ୍ଷ୍ମୀକାନ୍ତ ମୁର୍ମୁଙ୍କ ନାମରେ ଏହି ସାଙ୍ଘାତିକ ଅଭିଯୋଗ ଆସିଛି। ଜେଲରଙ୍କ ବାସଭବନରେ କିଛି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଲଗାଇ ଘରୋଇ କାମ କରାଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। କେବଳ ଘର କାମ ନୁହେଁ, ଜେଲ୍ ପରିସରରେ କଏଦୀମାନେ ଅବାଧରେ ବୁଲାବୁଲି କରୁଥିବା ମଧ୍ୟ ଦେଖିବାକୁ ମିଳିଛି।

 

ଭାଇରାଲ ଭିଡିଓରେ ସାଧାରଣ କଏଦୀ ନୁହନ୍ତି, ବରଂ ଗୁରୁତର ଅପରାଧରେ ସମ୍ପୃକ୍ତ କଏଦୀମାନେ ନଜର ଆସିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଥିବା ଅର୍ଜୁନ ପ୍ରଧାନ ନାମକ ଜଣେ କଏଦୀ ନିଜ ଭାଇକୁ ହତ୍ୟା କରିବା ମାମଲାରେ ଜେଲ୍‌ରେ ଅଛି। ସେହିପରି ପ୍ରଦୀପ ନାମକ ଆଉ ଜଣେ କଏଦୀ ପକ୍ସୋ ମାମଲାରେ ବିଚାରାଧୀନ ଅଛି। ନିୟମ ଅନୁସାରେ ଏମାନଙ୍କୁ କାରାଗାରର କଡ଼ା ନିୟମ ଭିତରେ ରହିବା କଥା, କିନ୍ତୁ ସେମାନେ ଜେଲ୍ ଅଧିକାରୀଙ୍କ ପାଇଁ ବ୍ୟକ୍ତିଗତ କାମ କରୁଥିବା ଦେଖିବାକୁ ମିଳିଛି।

 

ଗତକାଲି ହିଁ ଜେଲ୍ ଭିତରେ ମୁଖ୍ୟ ୱାର୍ଡରଙ୍କ ଅପରାଧୀଙ୍କ ସହ ‘ପାର୍ଟି’ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାକୁ ନେଇ କାରାଗାର ପ୍ରଶାସନ ଉପରେ ଚାରିଆଡୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ, ପୁଣି ଏହି ନୂଆ ଭିଡିଓ ଆସିବା ପରେ ସ୍ଥିତି ଅଧିକ ସଙ୍ଗୀନ ହୋଇପଡ଼ିଛି।

 

ଏହି ଘଟଣାକୁ ନେଇ ଜେଲ୍ ବିଭାଗର ବରିଷ୍ଠ ଅଧିକାରୀ ମହଲରେ ତତ୍ପରତା ପ୍ରକାଶ ପାଇଛି। ଡିଆଇଜି ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇସାରିଥିବା ବେଳେ, ଜେଲ୍ ଭିତରେ ଚାଲିଥିବା ଏହି ଅନୈତିକ କାର୍ଯ୍ୟକଳାପ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।

Leave A Reply

Your email address will not be published.