Latest Odisha News

BREAKING NEWS

ଭୁବନେଶ୍ୱରରେ ରେକର୍ଡ ଭାଙ୍ଗିଲା ଲଗାଣ ବର୍ଷା, ୩ ଜିଲ୍ଲା ପାଇଁ ସର୍ବୋଚ୍ଚ ବିପଦ ‘ରେଡ୍ ଆଲର୍ଟ’ ଜାରି

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷାର ରୂପ ଏବେ ଭୟଙ୍କର ହେବାରେ ଲାଗିଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ବର୍ଷା ଲାଗି ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ବର୍ଷାର ପରିମାଣ ସବୁ ଆକଳନକୁ ପଛରେ ପକାଇ ୧୦୦ ମିଲିମିଟର (ମିମି) ଅତିକ୍ରମ କରିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ରେକର୍ଡ ୧୧୨.୩ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ଫଳରେ ସହରର ବିଭିନ୍ନ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।

 

ରାଜଧାନୀ ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ଚାନ୍ଦବାଲିରେ ୬୪.୬ ମିମି, ପୁରୀରେ ୫୫.୭ ମିମି, ବାଲେଶ୍ୱରରେ ୪୧.୪ ମିମି ଏବଂ ବନ୍ଦର ସହର ପାରାଦୀପରେ ୩୦.୨ ମିମି ବର୍ଷା ରେକର୍ଡ ହୋଇଛି। ଲଗାଣ ବର୍ଷା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି।

 

ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା ପାଇଁ ସର୍ବୋଚ୍ଚ ସତର୍କତା ଅର୍ଥାତ୍ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ବରଗଡ଼, ସମ୍ବଲପୁର, ନୂଆପଡ଼ା। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ, ଏପରିକି କେତେକ ସ୍ଥାନରେ ଅତ୍ୟନ୍ତ ଭୟଙ୍କର ବର୍ଷା ହେବାର ସମ୍ଭାବନା ରହିଛି।

 

ରେଡ୍ ଆଲର୍ଟ ବ୍ୟତୀତ ପାଣିପାଗ ବିଭାଗ ଅନ୍ୟ ୬ଟି ଜିଲ୍ଲା ପ୍ରତି ମଧ୍ୟ ବିପଦର ଘଣ୍ଟି ବଜାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା; ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୋନପୁର, ବଲାଙ୍ଗିର ଏବଂ କଳାହାଣ୍ଡି। ଏହି ସବୁ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଠାରେ ପ୍ରବଳ ବର୍ଷା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହେବା ଏବଂ କଞ୍ଚା ଘର କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି।

 

ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହରାଞ୍ଚଳରେ ଡ୍ରେନେଜ୍ ସମସ୍ୟା ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। ରାଜ୍ୟ ସରକାର ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି।

Leave A Reply

Your email address will not be published.