ଭୁବନେଶ୍ୱର: ସ୍ଥଳଭାଗ ଅତିକ୍ରମ କଲା ଅବପାତ। ବାଲେଶ୍ବର ନିକଟରୁ ଅବପାତ ଉତ୍ତର ଉପକୂଳ ଓଡିଶା ଅତିକ୍ରମ କରିଛି। ଏହା ଆଗାମୀ ୨୪ ଘଣ୍ଟା ଯାଏଁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡଖଣ୍ଡ ଏବଂ ଉତ୍ତର ଛତିଶଗଡ ମଧ୍ୟ ଦେଇ ଗତି କରିବା ସମ୍ଭାବନା ରହିଛି। ଗତ ୫ ଦିନରେ ନାକେଦମ୍ କଲାଣି ବର୍ଷା। ସ୍ୱାଭାବିକଠାରୁ ୨୩୪% ଅଧିକ ବର୍ଷିଛି। ନିର୍ଧୁମ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ। ଆଗକୁ ଆହୁରି ବର୍ଷିବ। ସୋମବାର ପଶ୍ଚିମ ଓଡ଼ିଶାରେ ଅତିପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓ ଉତ୍ତର ଓଡ଼ିଶାରେ ବି ଲଗାଣ ବର୍ଷା ଲାଗି ରହିବ।
ରବିବାର ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଉପରେ ଅବପାତ ସୃଷ୍ଟି ହୋଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଉପକୂଳକୁ ଅତିକ୍ରମ କରିବ। ଆସନ୍ତା ୧୨ ଘଣ୍ଟାରେ ଏହି ଅବପାତ ବାଲେଶ୍ଵର ପାଖରେ ଚାନ୍ଦବାଲି ଓ ଦୀଘା ମଝି ଦେଇ ଅତିକ୍ରମ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ କରିଛି। ପୂରା ଜୁଲାଇ ମାସରେ ସ୍ବାଭାବିକ ଭାବେ ୩୪୧.୪ ମିମି ବର୍ଷା ହେବା କଥା । କିନ୍ତୁ ପ୍ରଥମ ୫ ଦିନରେ ୧୫୫.୨ ମିମି ବର୍ଷା ହୋଇ ସାରିଲାଣି। ଗତ ୫ଦିନରେ ପୂରା ମାସର ପ୍ରାୟ ୪୫% ବର୍ଷା ହୋଇ ସାରିଲାଣି । ଏତିକି ଦିନରେ ସ୍ଵାଭାବିକଠାରୁ ୨୩୪% ଅଧିକ ବର୍ଷି ସାରିଲାଣି।
ଏଭଳି ମୂଷଳ ଧାରାରେ ବର୍ଷା ସତ୍ତେ୍ୱ ଚଳିତ ମୌସୁମୀ ଋତୁ(ଜୁନ୍ ୧ରୁ ଜୁଲାଇ ୫) ଭିତରେ ୬ ଜିଲ୍ଲାରେ ମୋଟ ବର୍ଷା ପରିମାଣ ନିଅଣ୍ଟିଆ ରହିଛି। ସୁନ୍ଦରଗଡ଼ରେ ୪୧%, ନବରଙ୍ଗପୁରରେ ୩୭%, କଳାହାଣ୍ଡିରେ ୩୪%, ଦେବଗଡ଼ରେ ୩୧%, ଝାରସୁଗୁଡ଼ାରେ ୨୮%, ସମ୍ବଲପୁରରେ ୨୧% ବର୍ଷା ହୋଇଛି। ଉଭୟ ଜୁନ୍ ଓ ଜୁଲାଇ ମାସରେ ବୌଦ୍ଧ ଓ କନ୍ଧମାଳରେ ଅତ୍ୟଧିକ ବର୍ଷା ହୋଇଛି। ବୌଦ୍ଧରେ ସ୍ୱାଭାବିକଠାରୁ ୯୫% ଅଧିକ ଓ କନ୍ଧମାଳରେ ୭୭% ଅଧିକ ବର୍ଷା ହୋଇଛି। ଢେଙ୍କାନାଳ, କଟକ, ନୟାଗଡ଼, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ବରଗଡ଼, ବଲାଙ୍ଗୀର ଓ କୋରାପୁଟରେ ସ୍ୱାଭାବିକ ତୁଳନାରେ ପ୍ରବଳ ବର୍ଷା ହୋଇଛି। ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା ଓ ନୂଆପଡ଼ାରେ ସ୍ୱାଭାବିକ ବର୍ଷା ହୋଇଛି।
ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବାଧିକ ୨୨୪ ମିମି ବର୍ଷା ହୋଇଛି। ଟିଟିଲାଗଡ଼ରେ ୨୦୫ ମିମି, କେନ୍ଦ୍ରାପଡ଼ାରେ ୧୭୬, ବଲାଙ୍ଗୀରରେ ୧୪୦, କଟକରେ ୧୨୪, ଯାଜପୁରରେ ୧୨୦, ଭୁବନେଶ୍ୱରରେ ୧୧୯ ଓ ଚାନ୍ଦବାଲିରେ ୮୧ମିମି ବର୍ଷା ହୋଇଛି। ବୌଦ୍ଧ ଜିଲ୍ଲା ସାଲୁଙ୍କି ନଦୀରେ ୨ ମହିଳା ଫସି ରହିଥିଲେ। ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରିଥିଲା। ସେହିଭଳି ଖୋର୍ଦ୍ଧା-ବଲାଙ୍ଗୀର ରେଳ ଟନେଲରେ ପାଣି ଭର୍ତ୍ତି ହୋଇ ଯାଇଥିଲା। ସମ୍ବଲପୁର ଓ ନୂଆପଡ଼ାର ଅନେକ ଅଞ୍ଚଳ ଜଳବନ୍ଦୀ ହେବା ସହ କଚ୍ଚା ଘର ଭାଙ୍ଗିଛି। ବରଗଡ଼ର ପଡ଼ା ଅଞ୍ଚଳ ଜଳମଗ୍ନ ହୋଇଛି।